ଆମର ଦୈନନ୍ଦିନ ଜୀବନରେ ପନି ପରିବା ଖୁବ ଜରୁରୀ । ପୁଷ୍ଟିକର ଖାଦ୍ୟ ଖାଇବା ସହ ସୁସ୍ଥ ରହିବା ପାଇଁ ପ୍ରତିଦିନ ବଜାରକୁ ଯାଇ ଆମେ କିଣି ଆଣୁ ପରିବା । ସାଧାରଣତଃ 40-50 ଟଙ୍କାରେ ଯେକୌଣସି ପରିବା ଗୋଟିଏ କିଲୋ ମିଳିଯାଏ । ଅଧିକ ହେଲେ 100 କିମ୍ବା 200 ଟଙ୍କା ହୁଏ । ତେବେ ଥରେ ଚିନ୍ତା କରନ୍ତୁ ଯଡି ଗୋଟିଏ କିଲୋ ପରିବା କିଣିବା ପାଇଁ ଆପଣଙ୍କୁ ଦେବାକୁ ହୁଏ 80 ହଜାର ଟଙ୍କା ଆପଣ କଣ କରିବେ ? ଶୁଣି ବିଶ୍ବାସ ହେଉ ନଥିବ ଯେ ପରିବା କିଲୋ କେମିତି ଏତେ ଟଙ୍କା ହେବ ! କିନ୍ତୁ ଏମିତି ଏକ ପରିବା ଅଛି ଯାହାକୁ କିଣିବା ପାଇଁ ବଡ଼ ବଡ଼ ବିତ୍ତଶାଳୀ ବ୍ୟକ୍ତି ମଧ୍ୟ 10 ଥର ଚିନ୍ତା କରିବେ । ଏହି ପରିବାର ମୂଲ୍ୟ କିଲୋ ପିଛା 1000 ୟୁରୋ, ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ 82 ହଜାର ଟଙ୍କା । ତେବେ ଆସନ୍ତୁ ଜାଣିବା କଣ ଏହି ପରିବା ଓ କଣ ରହିଛି ଏହାର ବିଶେଷତ୍ବ ।
ଏହି ପରିବାର ନାଁ ହେଉଛି ‘ହପ ଶୁଟ୍ସ’ ଓ ଏହାର ଯେଉଁ ଫୁଲ ରହିଛି ତାହାକୁ ‘ହପ କନ୍ସ’ ବୋଲି କୁହାଯାଏ । ଏହାର ଫୁଲର ବ୍ୟବହାର ବିୟର ତିଆରି ପାଇଁ ବ୍ୟବହୃତ ହୋଇଥାଏ ଓ ବାକି ଡାଳ ଖାଇବା ପାଇଁ ବ୍ୟବହାର ହୁଏ । ଏତେ ମହଙ୍ଗା ହୋଇଥିବା କାରଣରୁ କୁହାଯାଏ ଯେ ହପ ଶୁଟ୍ସ ପରିବା ଖାଇବାକୁ ହେଲେ ବ୍ୟାଙ୍କରୁ ଋଣ ନେବାକୁ ପଡ଼ିପାରେ ।
‘ହପ ଶୁଟ୍ସ’ ଔଷଧୀୟ ଗୁଣରେ ଭରପୂର ରହିଥିବାରୁ ଏହାରକୁ ଜଡ଼ିବୁଟି ଭାବେ ବ୍ୟବହାର କରାଯାଏ । ଦାନ୍ତ ବ୍ୟଥା ପାଇଁ ଏହା ରାମବାଣ ଔଷଧ । ଏହାଛଡ଼ା ଟିବି ପରି ମାରାତ୍ମକ ରୋଗର ଚିକିତ୍ସା ପାଇଁ ମଧ୍ୟ ଏହା ବ୍ୟବହୃତ ହୁଏ । ଏଥିରେ ଏଣ୍ଟିବାୟୋଟିକ ଗୁଣ ମଧ୍ୟ ଭରି ରହିଛି ।