ରାୟପୁର: ଭାରତୀୟ ସଂସ୍କୃତି ଓ ପରମ୍ପରା ନିଆରା ଏବଂ ସ୍ବତନ୍ତ୍ର । ସମଗ୍ର ଦେଶର କୋଣ ଅନୁକୋଣରେ ଏପରିକି ଅଜବ ପ୍ରଥା ପ୍ରଚଳିତ । ଅନ୍ୟ ଦେଶ ତୁଳନାରେ ଏସବୁ ବେଶ ଗୁରୁତ୍ବ ବହନ କରିଥାଏ । ଦେଶରେ ଏମିତି ଅନାଲୋଚିତ ଏବଂ ଅଦ୍ବିତୀୟ ଜିନିଷ ରହିଛି । ଯାହାର କେବେ ଲୋକଲୋଚନକୁ ଆସିଥାଏ ତ କେବେ ଆସି ନଥାଏ । ତେବେ ଆମେ ଆପଣଙ୍କୁ ଏକ ଏମିତି ମନ୍ଦିର କଥା କହିବୁ ଯାହା ଆପଣ ଆଗରୁ ଜାଣି ନଥିବେ । ଛତିଶଗଡର ବାଲୋଦ ଅଞ୍ଚଳରେ ଏକ ମନ୍ଦିରରେ ଭଗବାନଙ୍କ ପରିବର୍ତ୍ତେ ପୂଜା ପାଉଛି କୁକୁର ମୂର୍ତ୍ତି ।
ହଁ ଆପଣ ଠିକ୍ ପଢୁଥିଲେ, ଛତିଶଗଡରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ‘କୁକୁର’ କୁ ଭଗବାନ ରୂପେ ପୂଜା କରାଯାଏ । ବଞ୍ଜରା (ଜିପ୍ସି) ସମ୍ପ୍ରଦାୟର ଜଣେ ବ୍ୟକ୍ତି ଏକ କୁକୁର ରଖିଥିଲେ । ତାଙ୍କର ଏମିତି ଏକ ସମୟ ଆସିଲା ସେ ଅଭାବ ଅନଟନରେ ଗତି କରୁଥିଲେ । ଫଳରେ ନିଜର ସମ୍ପତ୍ତି ଭାବରେ ରଖିଥିବା କୁକୁରକୁ ଜଣେ ସାହୁକାରକୁ ଦେଇ କିଛି ଟଙ୍କା ଆଣିଥିଲେ ।
ଏକଦା ଦିନେ ସାହୁକାର ଘରୁ କିଛି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଚୋରି ହୋଇଗଲା । ସମସ୍ତ ଜିନିଷ ଚୋରି କରି ଚୋର କେଉଁଠି ରଖିଥିଲା କୁକୁରଟି ସବୁ ଦେଖିଥିଲା । ସାହୁକାରକୁ କୁକୁର ଚୋରି ସାମଗ୍ରୀ ରହିଥିବା ସ୍ଥାନକୁ ନେଇଯାଇଥିଲା । ଫଳରେ ସମସ୍ତ ଚୋରି ସମଗ୍ରୀ ଫେରି ପାଇଥିଲା ସାହୁକାର ।
ପରେ ସାହୁକାର ବଞ୍ଜରା ନିକଟକୁ ଏକ ପତ୍ର ଲେଖିଲେ । ଯେଉଁଥିରେ କୁକୁରକୁ ସାବାସି ଦେବା ସହ ସେ ନେଇଥିବା କରଜ ସବୁ ସୁଝିଦେଲେ ବୋଲି ଉଲ୍ଲେଖ କରିଥିଲେ । ଆଉ ସେହି ଚିଠିଟିକୁ କୁକୁର ବେକରେ ହିଁ ଝୁଲାଇ ସାହୁକାର ତାର ମାଲିକ ନିକଟକୁ ପଠାଇଥିଲା ।