ଓଡିଶା

odisha

ETV Bharat / bharat

Man vs Wild: ଆଡଭେଞ୍ଚର ଟ୍ରିପରେ ମୋଦିଙ୍କ ଅକୁହା କଥା - ବେୟର ଗ୍ରୀଲ୍ସ

ମ୍ୟାନ ଭର୍ସେସ ୱାଇଲ୍ଡ’ରେ  ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ନିଜ ଜୀବନ ସହ ଯଡିତ କେତେକ ଗୁରୁତ୍ବପୂର୍ଣ୍ଣ ଗାଥା ବଖାଣିଛନ୍ତି ମୋଦି । କାର୍ଯ୍ୟକ୍ରମରେ ହୋଷ୍ଟ ବେୟର ଗ୍ରୀଲ୍ସ ଏବଂ ମୋଦି ପ୍ରକୃତିକୁ କିପରି ସଂରକ୍ଷିତ କରାଯାଇ ପାରିବ ସେ ନେଇ ମଧ୍ୟ ଚର୍ଚ୍ଚା କରିଛନ୍ତି ।

ଫାଇଲ ଫଟୋ

By

Published : Aug 12, 2019, 11:53 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜିମ କୋରବେଟ ଜାତୀୟ ଉଦ୍ୟାନର ଖତରନାକ ଜଙ୍ଗଲରେ ବେୟର ଗ୍ରୀଲ୍ସଙ୍କ ସହ ମିଶି ନିଜ ସାହାସିକତାର ପରିଚୟ ଦେଇଛନ୍ତି ମୋଦି । ଲୋକପ୍ରିୟ ୱାଇର୍ଡ ଲାଇଫ ପ୍ରୋଗ୍ରାମ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି ସେ । ତେବେ ଏଥିରେ ନିଜ ଜୀବନ ସହ ଯଡିତ କେତେକ ଗୁରୁତ୍ବପୂର୍ଣ୍ଣ ଗାଥା ବଖାଣିଛନ୍ତି ମୋଦି । କାର୍ଯ୍ୟକ୍ରମରେ ହୋଷ୍ଟ ବେୟର ଗ୍ରୀଲ୍ସ ଏବଂ ମୋଦି ପ୍ରକୃତିକୁ କିପରି ସଂରକ୍ଷିତ କରାଯାଇ ପାରିବ ସେ ନେଇ ମଧ୍ୟ ଚର୍ଚ୍ଚା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାନ ଭର୍ସେସ୍ ଓ୍ଵାଇଲ୍ଡର ସ୍ଵତନ୍ତ୍ର ଏପିସୋଡରେ ବେୟର ଗ୍ରୀଲ୍ସଙ୍କୁ ଆତ୍ମୀୟତାର ସହ ସ୍ଵାଗତ କରିଥିଲେ। ବେୟର ଗ୍ରୀଲ୍ସ ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ପୂର୍ବରୁ ସେଠାରେ ପହଞ୍ଚି ଯାଇଥିଲେ। ଏହା ପରେ ଶୋ’ରେ ପ୍ରଧାନମନ୍ତ୍ରୀ ମୋଦୀ ଏଣ୍ଟ୍ରି କରିଥିଲେ। ବେୟରଙ୍କ ସହିତ ଏହି ଯାତ୍ରା ରୋମାଞ୍ଚକର ହେବ ବୋଲି ଶୋ ଆରମ୍ଭରୁ କହିଥିଲେ ମୋଦି। ବେୟର ମଧ୍ୟ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଆତୁର ଥିବା କହିଥିଲେ ।

ମୋଦି ଏବଂ ବେୟର ଗ୍ରୀଲ୍ସଙ୍କ ମଧ୍ୟରେ ପ୍ରକୃତି, ଜଙ୍ଗଲ ଏବଂ ହିମାଳୟକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା । ଏହି ସମୟରେ ମୋଦି କହିଥିଲେ, ଯଦି ଆମେ ପ୍ରକୃତି ସହ ସଙ୍ଘର୍ଷ କରିବା ତାହା ପ୍ରକୃତି ଏବଂ ଆମ ସମସ୍ତଙ୍କ ପାଇଁ ହାନିକାରକ ହେବ । ଯଦି ଆମେ ପ୍ରକୃତି ସହ ସନ୍ତୁଳନ ରକ୍ଷା କରିବା ତାହେଲେ ସେ ମଧ୍ୟ ଆମକୁ ଅନେକ ପ୍ରକାର ସାହାଯ୍ୟ କରିବ ।

ତେବେ ଉଭୟେ ଜଙ୍ଗଲରେ ବୁଲୁଥିବା ବେଳେ ଆଖପାଖରେ ଥିବା ବାଘକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଗ୍ରୀଲ୍ସ । ତେଣୁ ସୁରକ୍ଷା ପାଇଁ ସେ କାଠ ଏବଂ ଛୁରୀ ସାହାଯ୍ୟରେ ଏକ ଧାରୁଆ ଅସ୍ତ୍ର ପ୍ରସ୍ତୁତ କରିଥିଲେ । ଗ୍ରୀଲ୍ସ କହିଥିଲେ, ଆଖପାଖରେ ଅନେକ ବାଘ ଥାଇ ପାରନ୍ତି । ଆପଣ(ମୋଦି) ଦେଶର ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି । ତେଣୁ ଆପଣଙ୍କ ସୁରକ୍ଷା ମୋର ପ୍ରାଥମିକତା । ଗ୍ରୀଲ୍ସଙ୍କ କଥାର ଜବାବରେ ମୋଦି କହିଥିଲେ, ଇଶ୍ବରଙ୍କ ଉପରେ ଭରଷା ରଖନ୍ତୁ, ସେ ସମସ୍ତଙ୍କ ସାହାଯ୍ୟ କରନ୍ତି ।

କାର୍ଯ୍ୟକ୍ରମରେ ମୋଦି କୌଣସି ପ୍ରକାର ଜୀବଜନ୍ତୁକୁ ହତ୍ୟା କରିବାକୁ ମନା କରିଦେଇଥିଲେ । କାହାର ହତ୍ୟା କରିବା ପାଇଁ ମୋ ସଂସ୍କାର ମୋତେ ବାଧା ଦେବ ବୋଲି ସେ କହିଥିଲେ । ନିଜ ଜୀବନକୁ ନେଇ ସେ କହିଥିଲେ, ମୁଁ ପ୍ରାୟ 13 ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲି । ସାଧାରଣ ଜନତାଙ୍କ ସହ ଜଡିତ ରହିବା ମୋ ପାଇଁ ଅତ୍ୟନ୍ତ ଜରୁରୀ ଥିଲା । ଏହାପରେ ଦେଶର ଜନତା ମୋତେ ପ୍ରଧାନମନ୍ତ୍ରୀ ଭାବେ ବାଛିଥିଲେ । ସେବେଠାରୁ 5 ବର୍ଷରୁ ମୁଁ ଲୋକଙ୍କ ସେବାରେ ନିୟୋଜିତ ଅଛି । ଯଦି ଆପଣ ଏହାକୁ ଛୁଟି ଦିନ କୁହନ୍ତି ତାହେଲେ ଏହା ଗତ 18 ବର୍ଷରେ ମୋର ପ୍ରଥମ ଛୁଟି ଦିନ ବୋଲି ଗ୍ରୀଲ୍ସଙ୍କୁ କହିଛନ୍ତି ମୋଦି ।

ପ୍ରକୃତିକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତିକୁ ଭୟ କରିବା ଉଚିତ୍ ନୁହଁ। ଯେବେ ମୁଁ ଛୋଟ ଥିଲି ଆମର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିଲା। ମୋ ବାପା କିଛି ପୋଷ୍ଟକାର୍ଡ ନେଇ ଆସୁଥିଲେ ଓ ସଂପର୍କୀୟଙ୍କୁ ବର୍ଷାର ଖବର ଦେଉଥିଲେ। ଏବେ ମୁଁ ବୁଝି ପାରୁଛି ଯେ, ବର୍ଷା ଖବର ଦେଇ ସେ କେତେ ସନ୍ତୁଷ୍ଟ ଥିଲେ।

ତେବେ ଶୋ'ର ଶେଷ ବେଳକୁ ମୋଦି ଦୁନିଆକୁ କି ବାର୍ତ୍ତା ଦେବାକୁ ଚାହିଁବେ ବୋଲି ଗ୍ରୀଲ୍ସ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ମୋଦି କହିଥିଲେ, ପ୍ରକୃତିକୁ ପ୍ରେମ କରି ବଞ୍ଚିବା ଉଚିତ । ପ୍ରକୃତିରୁ କିଛି ବି ନଷ୍ଟ କରିବା ପୂର୍ବରୁ ନିଜ ଭବିଷ୍ୟ ପିଢୀ ସମ୍ପର୍କରେ ଭାବିବା ଉଚିତ । ମୁଁ ଜଣେ ଶାକାହାରୀ ତେଣୁ ପ୍ରକୃତିର ମହତ୍ବ ମୁଁ ଜାଣେ ବୋଲି ସେ କହିଛନ୍ତି ।

କାର୍ଯ୍ୟକ୍ରମର ଶେଷରେ ମୋଦି କହିଛନ୍ତି, ମୋତେ ଆପଣଙ୍କ ସହ ଏବଂ ପ୍ରକୃତି ସହ କିଛି ସମୟ କାଟିବାର ସୁଯୋଗ ମିଳିଲା । ଲୋକେ ଏହାକୁ ଦେଖିଲେ ଭାରତ ଆସିବାକୁ ନିଶ୍ଚୟ ମନ ବଳାଇବେ । ଯାହା ଆମ ପର୍ଯ୍ୟଟନ ପାଇଁ ଲାଭବାନ ହେବ।

ABOUT THE AUTHOR

...view details