ଥିରୁଅନନ୍ତପୁରମ: ମଣିଷ ଓ ହାତୀ ଲଢେଇରେ ପରିସମାପ୍ତି ଘଟୁନାହିଁ। ଅନେକ ସମୟରେ ବଣୁଆ ହାତୀ ଜନବସତି ମୁହାଁ ହେଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଧନଜୀବନ କ୍ଷୟକ୍ଷତି ଘଟୁଛି। ତେବେ ଏ ସମସ୍ତ ସମସ୍ୟାର ସମାଧାନ ବାହାର କରିଛନ୍ତି କେରଳର ଜଣେ କୁନି ଛାତ୍ର। ଛୋଟ ପ୍ୟାକେଟ ହେଲେ ବଡା ଧମାକା। ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ର ଜଣକ ବଣୁଆ ହାତୀଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ଏକ ଡ୍ରୋନ ନିର୍ମାଣ କରିଛନ୍ତି। ଏହି ଛାତ୍ରଙ୍କ ଦ୍ବାରା ନିର୍ମାଣ ଡ୍ରୋନକୁ କେରଳ ଏବଂ ତାମିଲନାଡୁର ରାଜ୍ୟ ସୀମାରେ ଥିବା ଉଦୁମ୍ବାନଚୋଲାରେ ପ୍ରବେଶ କରୁଥିବା ବଣୁଆ ହାତୀ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯିବ।
ସୂଚନା ଅନୁସାରେ, ଜଙ୍ଗଲ ଅଞ୍ଚଳରୁ ଆସିଥିବା ବଣୁଆ ହାତୀମାନେ ପ୍ରାୟତଃ ଜନବହୁଳ ଅଞ୍ଚଳ ତଥା ଚାଷ ଜମିରେ ପ୍ରବେଶ କରି ଜଙ୍ଗଲ ସୀମାରେ ରହୁଥିବା ଲୋକଙ୍କ ଜୀବନ, ଫସଲ ଏବଂ ସମ୍ପତ୍ତି ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥାନ୍ତି। ଏନେଇ ଅନେକ ଉପାୟ ଅବଲମ୍ବନ କରାଯାଇଥିଲେ ମଧ୍ୟ ସବୁକିଛି ବିଫଳ ହୋଇଛି । ଏନେଇ କୋଭିଡ୍ ଲକଡାଉନ୍ ସମୟରେ ବାଳକ ଜଣକ ଡ୍ରୋନ ନିର୍ମାଣ କାମ ଆରମ୍ଭ କରିଥିଲେ।
ଖବର ଥାଉକି, କିଛି ବର୍ଷ ପୂର୍ବେ ଜୋୟାଲଙ୍କ ସହପାଠୀଙ୍କ ପିତା ଏକ ବଣୁଆ ହାତୀ ଆକ୍ରମଣରେ ନିହତ ହୋଇଥିଲେ। ଜୋୟାଲ ଦିଲ୍ଲୀ, ଗୁଜୁରାଟ ଏବଂ ମହାରାଷ୍ଟ୍ରରୁ ଡ୍ରୋନ୍ ତିଆରି କରିବା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଅର୍ଡର କରିଥିଲେ।