ମୁମ୍ବାଇ: ଦେଶରେ କୋରୋନା ଭାଇରସର ପ୍ରକୋପ ବଢୁଥିବା ବେଳେ କୋରୋନା ପ୍ରଭାବିତ ରାଜ୍ୟ ଗୁଡିକ ମଧ୍ୟରେ ଟପରେ ରହିଛି ମହାରାଷ୍ଟ୍ର । ରାଜ୍ୟର ଏଭଳି ସଙ୍କଟଜନକ ସ୍ଥିତି ସମୟରେ ସହାୟତାର ହାତ ବଢାଇଛନ୍ତି କେରଳ ସରକାର ।
ମହାରାଷ୍ଟ୍ରକୁ 100 ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ୍ ପଠାଇଲେ କେରଳ ସରକାର କେରଳ ସରକାର ମହାରାଷ୍ଟ୍ରକୁ 100 ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ୍ ପଠାଇଛନ୍ତି । କେରଳର ଅର୍ଥମନ୍ତ୍ରୀ ଥୋମାସ ଇସାକ ଟ୍ବିଟ କରି କହିଛନ୍ତି ଯେ, କେରଳର ଡାକ୍ତର ଏବଂ ନର୍ସଙ୍କ ଏକ 100 ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ କୋଭିଡ-19 ସହ ଲଢେଇ କରିବାକୁ ମୁମ୍ବାଇ ପହଞ୍ଚି ସାରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, 100 ସଦସ୍ୟ ବିଶିଷ୍ଟ ଏହି ଟିମର ନେତୃତ୍ବ ନେଇଛନ୍ତି ଟିଭିଏମ ମେଡିକାଲ କଲେଜର ଅଧୀକ୍ଷକ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର । ପୂର୍ବରୁ ଏକ ଟିମ୍ ଆଗୁଆ ସେଭେନ ହିଲ୍ସ ହସ୍ପିଟାଲରେ ପହଞ୍ଚିସାରିଛନ୍ତି । ଏହି ଟିମ ମୁମ୍ବାଇର 600 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ କାର୍ଯ୍ୟ କରିବେ ।
ଆସନ୍ତା ସପ୍ତାହରେ 50 ଡାକ୍ତର ଏବଂ 100 ନର୍ସ ବିଶିଷ୍ଟ ଏକ ଟିମ ମହାରାଷ୍ଟ୍ର ଗସ୍ତ କରି କୋରୋନା ସଂକ୍ରମିତଙ୍କ ଚିକିତ୍ସା କରିବେ ।
ପ୍ରକାଶ ଥାଉ କି, ମୁମ୍ବାଇରେ କୋରୋନାର ଅଣାୟତ୍ତ ସ୍ଥିତି ସହ ଡାକ୍ତର ଏବଂ ନର୍ସଙ୍କ ଅଭାବ ଯୋଗୁଁ ଅନେକ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମେଡିକାଲ ଡାଇରେକ୍ଟର ଡାକ୍ତର ଟିପି ଲହାନେ କେରଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 50 ବିଶେଷଜ୍ଞ ଡାକ୍ତର ଏବଂ 100 ନର୍ସ ପଠାଇବାକୁ କହିଥିଲେ । ଏସମସ୍ତ ଡାକ୍ତର ଏବଂ ନର୍ସଙ୍କ ଖାଦ୍ୟ ଏବଂ ରହିବାର ବ୍ୟବସ୍ଥା ସହ ଦରମା ମଧ୍ୟ ମହାରାଷ୍ଟ୍ର ସରକାର ବହନ କରିବେ ।
ମହାରାଷ୍ଟ୍ରରେ ରବିବାର 2940 ନୂଆ କୋରୋନା ପଜିଟିଭ ମାମଲାକୁ ସାମନାକୁ ଆସିବା ସହ ମୋଟ ସଂଖ୍ୟା 65, 168ରେ ପହଞ୍ଚିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।