ରାଜନୈତିକ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ, ସଂଘର୍ଷପୂର୍ଣ୍ଣ ସ୍ଥିତି ଉପୁଜିଲେ ପ୍ରଗତି ଓ ଅଭିବୃଦ୍ଧିର ଗତି ଥମିଯାଏ । ସଂଘର୍ଷକୁ ଅଙ୍ଗେ ନିଭାଉଥିବା ବିଭିନ୍ନ ସଂପ୍ରଦାୟ ମଧ୍ୟରେ ମାତ୍ରାଧିକ ସଂଶୟବାଦ ଜାତ ହୁଏ ଏବଂ ବେଳେବେଳେ, ଅଧିକ ଦୃଢ଼ ସ୍ଥିତିରେ ଥିବା ସଂପ୍ରଦାୟ ତୁଳନାରେ ଅତି ସାଧାରଣ ମନେ ହେଉଥିବା ପ୍ରସଙ୍ଗକୁ ନେଇ କୌଣସି ସଂପ୍ରଦାୟ ଭିତରେ ସନ୍ଦେହ ପ୍ରକାଶ ପାଇଥାଏ । ସଂଘର୍ଷ ଏବଂ ସଂକଟ କାରଣରୁ କୌଣସି ସଂପ୍ରଦାୟର ସୁନ୍ଦର ଭବିଷ୍ୟତ ଗଠନ ଦିଗରେ ଗୁରୁତ୍ବପୂର୍ଣ୍ଣ ବିବେଚିତ ବିଭିନ୍ନ କ୍ଷେତ୍ରରେ ଚରମ ବିଫଳତା ଲକ୍ଷ୍ୟ କରାଯାଏ । ଏଥିରେ ରହିଛି ସାମାଜିକ ମୂଲ୍ୟବୋଧ, ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର । ଏକ ମାନବୀୟ ସଂକଟ ସମୟରେ, ପରସ୍ପର ମଧ୍ୟରେ ବିଶ୍ବାସର ଅଭାବ ଏବଂ ସନ୍ଦେହବାଦକୁ ଭୁଲିଯିବା ହିଁ ଶ୍ରେୟସ୍କର । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ତାହା ହୋଇପାରିନାହିଁ ।
ଅନେକ ସମୟରେ, ଶାସନ ବ୍ୟବସ୍ଥା ଉପରେ ଅବିଶ୍ବାସ ଏବଂ ଅନାସ୍ଥା ହିଁ ସମାଜରୁ ଦୋଷତ୍ରୁଟି ସୁଧାରିବା ସହିତ ଏହାକୁ ଆଗେଇ ନେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜେ । ଏହି ସନ୍ଦର୍ଭରେ, କୋଭିଡ୍-19 ସର୍ବବ୍ୟାପୀ ମହାମାରୀର କାରଣ ରୂପେ ବିବେଚିତ ନୋଭେଲ କୋରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ବିଶ୍ବର ଅନ୍ୟାନ୍ୟ କେତେକ ସ୍ଥାନ ଭଳି ସଂପୂର୍ଣ୍ଣ ଲକ୍ଡାଉନ୍ ସ୍ଥିତିରେ ଥିବା ପ୍ରାୟ 60 ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କାଶ୍ମୀର, ଏକ ପ୍ରତୀକାତ୍ମକ ଉଦାହରଣ । କାଶ୍ମୀର ଉପତ୍ୟକାର ସମସ୍ତ ଦଶଟି ଜିଲ୍ଲାର ଅନେକ ଅଞ୍ଚଳକୁ ରେଡ୍ ଜୋନ୍ ଭାବରେ, ଅର୍ଥାତ୍ ଭୌଗୋଳିକ ଦୃଷ୍ଟିରୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନ୍ମେଣ୍ଟ ଏରିଆ ଭାବରେ ଘୋଷଣା କରାଯାଇଛି । ଅନ୍ୟାନ୍ୟ ରାଜ୍ୟ ସଦୃଶ, ଏହି କଣ୍ଟେନ୍ମେଣ୍ଟ ଜୋନ୍ ଗଠନର ଉଦ୍ଦେଶ୍ୟ ହେଉଛି, ଏକ ନିର୍ଦ୍ଧାରିତ ଭୌଗୋଳିକ ପରିସୀମା ମଧ୍ୟରେ ଏହି ରୋଗକୁ ଆବଦ୍ଧ କରି ରଖି ସଂକ୍ରମଣର ଶୃଙ୍ଖଳକୁ ଛିନ୍ନ କରିବା ଏବଂ ଏହା ଦ୍ବାରା ଆଖପାଖ ଅଞ୍ଚଳକୁ ଏହି ଭୁତାଣୁର ସଂଚରଣକୁ ରୋକିବା । କଣ୍ଟେନ୍ମେଣ୍ଟ ଜୋନ୍ରୁ ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ପରିସରଭୁକ୍ତ ଅଞ୍ଚଳକୁ କୁହାଯାଉଛି ବଫର ଜୋନ୍ କିମ୍ବା ବିପତ୍ତି ସମ୍ଭାବନା କମ୍ ରହିଥିବା ଅଞ୍ଚଳ ।
ଏହି ସବୁ ସମ୍ବେଦନଶୀଳ ଭୌଗୋଳିକ ଅଞ୍ଚଳରେ ଆଚରଣ ଅନୁପାଳନ ଲାଗି ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ରହିଛି । ରେଡ୍ ଜୋନ୍ ଚାରିପଟେ କଂକ୍ରିଟ୍ ବ୍ୟାରିକେଡ୍ ଗଠନ କରି ଏହାକୁ ଏପରି ପୃଥକ୍ କରାଯାଉଛି ଯେ, ଏହି ଅଞ୍ଚଳ ଭିତରୁ ବାହାରକୁ କିମ୍ବା ବାହାରୁ ଭିତରକୁ ଯିବାଆସିବା ବନ୍ଦ ରହୁଛି । ପୂର୍ବକାଳରେ କୁଷ୍ଠରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କଲୋନି ଅନୁରୂପ ଢଙ୍ଗରେ, ଏହି ଅଞ୍ଚଳର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଉଛି । କାଶ୍ମୀରର ରେଡ୍ ଜୋନ୍ ସଂପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭିନ୍ନ ଚିତ୍ର ବାସ୍ତବରେ ଏକ ଭୟଙ୍କର ଦୃଶ୍ୟାବଳୀର ଅବତାରଣା କରେ । ସତେ ଯେମିତି ସେହି ନିର୍ଦ୍ଦିଷ୍ଟ ଅଞ୍ଚଳର ସବୁ ଲୋକେ ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି । ନିଃସନ୍ଦେହରେ, ଆଖପାଖ ଅଞ୍ଚଳକୁ ରୋଗ ସଂକ୍ରମଣରୁ ରକ୍ଷା କରିବା ପାଇଁ. ଏହା ଲୋକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କରାଯାଇଛି । କିନ୍ତୁ ଯାନବାହନ ଚଳାଚଳକୁ ରୋକିବା ଲାଗି ଯେଭଳି ଭାବରେ ସମସ୍ତ ମୁଖ୍ୟ ରାସ୍ତାକୁ ଖୋଳି ତା ଉପରେ ଧାତୁ ନିର୍ମିତ ଢାଞ୍ଚା ସ୍ଥାପନ କରାଯାଇଛି, ତାହାକୁ ନେଇ କାଶ୍ମୀରର ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।
ଲୋକଙ୍କ ଧାରଣା ଯେ. ବିଭିନ୍ନ ସଂପୃକ୍ତ ବିଭାଗ ଦ୍ବାରା ଘୋଷିତ ରେଡ୍ ଜୋନ୍ ତାଲିକା ପଛରେ ଏକ ବୃହତ୍ ଷଡ଼ଯନ୍ତ୍ର ରହିଛି । ଏବଂ ଦଶନ୍ଧି ଦଶନ୍ଧି ଧରି ଏହି ପୂର୍ବତନ ରାଜ୍ୟ ଉପଭୋଗ କରିଆସିଥିବା ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରବର୍ତ୍ତୀ ସମୟରେ ଲାଗୁ କରାଯାଇଥିବା ଅନେକ ଲକ୍ଡାଉନ୍ ଏବଂ କର୍ଫ୍ୟୁର ଏହା ସଂପ୍ରସାରିତ ରୂପ ବୋଲି ମନେ କରାଯାଉଛି । ବର୍ତ୍ତମାନ ରେଡ୍ ଜୋନ୍ ରୂପେ ଘୋଷିତ ଅନେକ ଅଞ୍ଚଳ ପୂର୍ବରୁ ରାଜନୈତିକ ରେଡ୍ ଜୋନ୍ ରୂପେ ବିବେଚିତ ହୋଇଥିଲା ଏବଂ ରାସ୍ତା ଉପରେ ପ୍ରତିବାଦ ଏବଂ ପରବର୍ତ୍ତୀ ସମୟରେ ତଜ୍ଜନିତ ହିଂସାକାଣ୍ଡକୁ ରୋକିବା ସକାଶେ ପାର୍ଶ୍ବବର୍ତ୍ତୀ ଅନ୍ୟାନ୍ୟ ଅଞ୍ଚଳରୁ ଏସବୁ ଅଞ୍ଚଳକୁ ବିଚ୍ଛିନ୍ନ କରିବା ଲାଗି ଅନେକ ଅସାମାନ୍ୟ ସାମରିକ ଉପାୟ ଉପଯୋଗ କରାଯାଇଥିଲା ।
କାଶ୍ମୀରରେ ସରକାର ଯାହା କରିବାକୁ ଚାହାଁନ୍ତି, ସେ ଦୃଷ୍ଟିରୁ ପ୍ରତିରୋଧର ଅନ୍ୟତମ କେନ୍ଦ୍ର ରୂପେ ବିବେଚିତ ଶ୍ରୀନଗରର ସହରତଳି ଅଞ୍ଚଳର ଲୋକେ ସରକାରଙ୍କୁ ଆଦୌ ସହଜରେ ଗ୍ରହଣ କରିନଥିଲେ । ଏମିତି କି ଏଠାରେ ଏଲ୍ଇଡି ବଲ୍ବ ବଣ୍ଟନ ନିମନ୍ତେ ପ୍ରଣୀତ ସରକାରୀ କାର୍ଯ୍ୟକ୍ରମ ବି ଲୋକଙ୍କ ଉପରେ ଗୁପ୍ତ ନଜର ରଖିବାକୁ ଉଦ୍ଦିଷ୍ଟ ଥିଲା ବୋଲି ମନେ କରାଯାଉଥିଲା । ରିହାତି ଦରରେ ବିତରଣ କରାଯାଇଥିବା ଏଲ୍ଇଡି ବଲ୍ବଗୁଡ଼ିକୁ ଅନେକ ସ୍ଥାନରେ ଲୋକେ ରାସ୍ତା ଉପରେ ଫିଙ୍ଗି ଦେଇଥିଲେ । କାରଣ, ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଏହି ବଲ୍ବଗୁଡ଼ିକରେ ଏକ ପ୍ରକାର ଚିପ୍ ସଂଯୋଗ କରାଯାଇଥିଲା ବୋଲି ଧରି ନିଆଯାଇଥିଲା ।