ଚେନ୍ନାଇ: ଗୋଟିଏ ପଟେ ଖାଉଟିଙ୍କୁ କନ୍ଦାଉଛି ପିଆଜର ମାତ୍ରାଧିକ ଦର । ଅନ୍ୟପଟେ ଦର ବୃଦ୍ଧି ଖୋଲି ଦେଇଛି ପିଆଜ ଚାଷୀଙ୍କ ଭାଗ୍ୟ। ଚଳିତ ବର୍ଷ ପିଆଜ ଚାଷ କରି କୋଟିପତି ହୋଇପାରିଛନ୍ତି କର୍ଣ୍ଣାଟକର ଜଣେ ଚାଷୀ । ଋଣ ଭାର ସହି ନପାରି ଚାଷୀ ଆତ୍ମହତ୍ୟା କରୁଥିବାର ଖବର ଶୁଣିବାକୁ ମିଳେ, ହେଲେ କୌଣସି ଚାଷୀ କୋଟିପତି ହେବା ପ୍ରଥମ ଥର ଜାଣିବାକୁ ମିଳିଛି।
ଋଣରେ ବୁଡିଥିଲେ ଚାଷୀ, କୋଟିପତି କଲା ପିଆଜ - Karnataka onion farmer became crorepati
ଋଣୀ ଚାଷୀରୁ କୋଟିପତି । ଦରବୃଦ୍ଧି ଯୋଗୁଁ ଲାଭବାନ ହେଲେ ପିଆଜ ଚାଷୀ । ପଢନ୍ତୁ ସେହି ସଫଳ ଚାଷୀଙ୍କ ବିଷୟରେ...
ଏପରି ଜଣେ ସଫଳ ଚାଷୀ ଜଣକ ହେଉଛନ୍ତି କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାର ମଲ୍ଲିକାର୍ଜୁନ। ଚଳିତ ବର୍ଷ ସେ ଋଣ କରି 240ରୁ ଅଧିକ ଟନ(20 ଟ୍ରକ) ପିଆଜ ଉତ୍ପାଦନ କରିଥିଲେ। ପିଆଜ କିଲୋ ପିଛା 100-150 ଟଙ୍କାରେ ପହଞ୍ଚିବାରୁ ଏଥର ତାଙ୍କୁ ବେଶ ଲାଭ ମିଳୁଛି। ଏ ବର୍ଷ 15ଲକ୍ଷ ଟଙ୍କା ବିନିଯୋଗ କରି ଅମଳ କରିଥିବା ପିଆଜରୁ ମଲ୍ଲିକାର୍ଜୁନ 5ରୁ 10 ଲକ୍ଷ ଟଙ୍କା ଲାଭ ମିଳିବ ବୋଲି ଆଶା ରଖିଥିଲେ। ହେଲେ ତାଙ୍କ ସ୍ବପ୍ନ ଠାରୁ ଅଧିକ ଲାଭବାନ ହୋଇ ପାରିଛନ୍ତି ସେ। ଯାହା ଦ୍ବାରା ଚାଷୀ ମଲ୍ଲିକାର୍ଜୁନ ସମସ୍ତ ଋଣ ସୁଝିବାରେ ସକ୍ଷମ ହୋଇପାରିଛନ୍ତି। ଏହି ଖବର ଚାରିଆଡେ ପ୍ରସାରିତ ହେବା ପରେ ମଲ୍ଲିକାର୍ଜୁନ ସ୍ଥାନୀୟ ଅଞ୍ଚଳରେ ସେଲିବ୍ରିଟି ପାଲଟି ଯାଇଛନ୍ତି।
ବେଙ୍ଗାଲୁରୁରୁ 200 କିମି ଦୂରରେ 10 ଏକର ଓ ଲିଜ ନେଇଥିବା ଅନ୍ୟ ଏକ 10 ଏକରରେ ଜମିରେ ପିଆଜ ଚାଷ କରିଥିଲେ ମଲ୍ଲିକାର୍ଜୁନ। ଯେଉଁଥି ପାଇଁ 50ଜଣ ଶ୍ରମିକଙ୍କୁ ପିଆଜ ଚାଷ କାର୍ଯ୍ୟରେ ନିୟୋଜିତ କରିଥିଲେ। ସେ 2004 ମସିହାରୁ ପ୍ରତି ବର୍ଷା ଋତୁରେ ପିଆଜ ଚାଷ କରୁଛନ୍ତି। ଗତବର୍ଷ ସେ ଏହି ଚାଷରୁ ପାଖାପାଖି 5ଲକ୍ଷ ଟଙ୍କା ଲାଭ ପାଇଥିବା ବେଳେ, ଚଳିତ ବର୍ଷ ଲିଜ ନେଇଥିବା ଚାଷ ଜମି ସହ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ 20 ଲକ୍ଷ ଟଙ୍କା ଋଣ କରିଥିଲେ।