ବେଙ୍ଗାଲୁର: କର୍ଣ୍ଣାଟକ ରଙ୍ଗମଞ୍ଚର ଆଜି ଏକ ବଡ ନାଟକ ମଞ୍ଚସ୍ଥ ହେବ । ଗତ କିଛିଦିନ ମଧ୍ୟରେ କର୍ଣ୍ଣାଟକରେ ଅନେକ ନାଟକ ମଞ୍ଚସ୍ଥ ହୋଇସାରିଛି । ତେବେ ରାଜନୈତିକ ଆକଳନ ଅନୁସାରେ ଆଜି କର୍ଣ୍ଣାଟକ ମଞ୍ଚରେ ଅନ୍ତିମ ନାଟକ ମଞ୍ଚସ୍ଥ ହୋଇପାରେ । ଏହାପରେ କର୍ଣ୍ଣାଟକ ନାଟକର ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସବୁ ଚରିତ୍ର ନିଜ ନିଜ ଗନ୍ତବ୍ୟ ଅଭିମୁଖେ ବିଦାୟ ନେବେ ।
ଆଜି ସକାଳ 10:30 ମିନିଟରେ କର୍ଣ୍ଣାଟକ ନାଟକରେ ପ୍ରମୁଖ ଚରିତ୍ରରେ ଅଭିନୟ କରୁଥିବା 16 ଜଣ ବିଧାୟକଙ୍କ ଉପରେ ନିଷ୍ପତ୍ତି ଶୁଣାଇବେ ଦେଶର ସର୍ବୋଚ୍ଚ ଅଦାଲତ । ଏହାପରେ ଜଣାପଡିବ କେଉଁ ଦଳର ଅଭିନୟ କେତେ ଉଚ୍ଚକୋଟିର, କେଉଁ ଦଳକୁ ଦର୍ଶକ ଗ୍ରହଣ କରିଛନ୍ତି ।
ଆଇନ ବିଶେଷଜ୍ଞଙ୍କ ମତରେ ସର୍ବୋଚ୍ଚ ଅଦାଲତ ପ୍ରଥମେ ବିଧାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ପାଇଁ କିମ୍ବା ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି । ଅଦାଲତଙ୍କ ଯାହା ବି ରାୟ ଆସିବ ତାହା ଗୁରୁବାର ହେବାକୁ ଥିବା ଆସ୍ଥା ଭୋଟ ଉପରେ ସିଧାସଳଖ ପଡିବ ।