ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମୋଦିଙ୍କ ଶାସନ ସମୟରେ ସାଧାରଣ ଜନତା କ୍ଷତି ସହୁଛନ୍ତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ସେ କହିଛନ୍ତି ଯେ, ଗତ 15 ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ସର୍ବନିମ୍ନ ଥିବା ବେଳେ ଦେଶରେ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । କପିଲ ସିବଲ ଏହା ମଧ୍ୟ କହିଛନ୍ତି, ମେ 2014ରେ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ 258 ପ୍ରତିଶତ ଏବଂ ଡିଜେଲ ଉପରେ 819 ପ୍ରତିଶତ ବୃଦ୍ଧି କରାଯାଇଛି ।
ଏହି ଅବସରରେ ସେ ମୋଦିଙ୍କ ମେ 23, 2012ର ଏକ ଟ୍ୱିଟ ସମ୍ପର୍କରେ ମଧ୍ୟ କହିଛନ୍ତି । କଂଗ୍ରେସ ନେତା କହିଛନ୍ତି ଯେ, ଯେତେବେଳେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଟ୍ୱିଟ୍ କରି କହିଥିଲେ ଯେ ପେଟ୍ରୋଲ ମୂଲ୍ୟରେ ବ୍ୟାପକ ବୃଦ୍ଧି ହେଉଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବିଫଳତାର ଏକ ବଡ ଉଦାହରଣ । ଏହାଦ୍ବାରା ଗୁଜୁରାଟ ଉପରେ କୋଟି କୋଟି ଟଙ୍କାର ବୋଝ ପଡିବ ।
ସାମ୍ବାଦିକ ସମ୍ମିଳନୀରେ କପିଲ ସିବଲ କହିଛନ୍ତି ଯେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି 4 ଅକ୍ଟୋବର, 2014ରେ ପୁଣି ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ସେ ବିଜେପି ଶାସନ ସମୟରେ ତେଲର ମୂଲ୍ୟ ହ୍ରାସ ବିଷୟରେ ଉଲ୍ଲେଖ କରିଥିଲେ । ପିଏମ ମୋଦି ଟ୍ବିଟ କରି କହିଥିଲେ ଯେ, ବିଜେପି ସରକାର ଗଠନ ପରଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି । ଦେଶ ସାମନା କରୁଥିବା ସମସ୍ତ ସମସ୍ୟାକୁ ଆମେ ହଟାଇବାକୁ ପ୍ରତିଶ୍ରୁତିବଦ୍ଧ ।
କପିଲ ସିବଲ କହିଛନ୍ତି ଯେ ଅଶୋଧିତ ତେଲର କମ୍ ମୂଲ୍ୟରେ ଗ୍ରାହକଙ୍କୁ ଲାଭ ଦେବା ପରିବର୍ତ୍ତେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 13 ଜୁନରେ ସପ୍ତମ ଥର ପାଇଁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପେଟ୍ରୋଲ 59-61 ପଇସା ମହଙ୍ଗା ହୋଇଥିବାବେଳେ ଦେଶର ପ୍ରମୁଖ ସହରରେ ଡିଜେଲ 50-60 ପଇସା ମହଙ୍ଗା ହୋଇଛି । ଜୁନ 7ରେ ତେଲ ଦର ସଂଶୋଧନ କରାଯାଇଥିଲା ।