ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ନାରୀ ଆଉ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିନାହାଁନ୍ତି । ସେମାନେ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ନିଜ ଅଦମ୍ୟ ଶକ୍ତି ଓ ଅସୀମ ସାହାସ ଓ ବଳରେ ସମସ୍ତ କାର୍ଯ୍ୟକୁ ସଫଳତାର ସହ ତୁଲାଉଛନ୍ତି । ସେହିଭଳି ଜଣେ ସଫଳତାର ମୁକସାକ୍ଷୀ ହେଉଛନ୍ତି ଉତ୍ତର ରେଳର ଦିଲ୍ଲୀ ମଣ୍ଡଳରେ ନିୟୋଜିତ ଥିବା ଷ୍ଟେସନ ମାଷ୍ଟର କନିକା ମଲହୋତ୍ରା ।
ଷ୍ଟେସନରେ ଟ୍ରେନ ଗୁଡିକର ଗତିବିଧି ଠାରୁ ଆରମ୍ଭ କରି ଲୋକଙ୍କ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସମସ୍ତ କଠିନ କାର୍ଯ୍ୟକୁ କନିକା ଅତି ସରଳତାର ସହ ପରିଚାଳନା କରିଥାନ୍ତି । ଯେଉଁଥିପାଇଁ ସେ ଆଜି ସମସ୍ତ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ସଂଘର୍ଷପୂର୍ଣ୍ଣ ଜୀବନର ଜ୍ବଳନ୍ତ ଉଦାହରଣ କନିକା ମଲହୋତ୍ରା ତେବେ ରବିବାର ମହିଳା ଦିବସ ଅବସରରେ ସେ 'ଇଟିଭି ଭାରତ' ସହ ସାକ୍ଷାତକାର ସମୟରେ କହିଛନ୍ତି ଯେ, ସେ ସମସ୍ତ କାମକୁ ତାଙ୍କ ପରିବାର ଲୋକଙ୍କ ସାହାର୍ଯ୍ୟ ବଳରେ ଅତି ସହଜରେ କରିପାରିଛନ୍ତି । 2017ରେ ରେଳ ବିଭାଗରେ ଭର୍ତ୍ତି ହୋଇଥିବା କନିକା ମଲହୋତ୍ରା ଗତ 3 ବର୍ଷ ଧରି ଭଲ କାମ କରିଥିବା ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି । ନୂଆଦିଲ୍ଲୀ ଭଳି ବ୍ୟସ୍ତ ବହୁଳ ଷ୍ଟେସନରେ ଯଦି ଟ୍ରେନ ସମୟାନୁସାରେ ପହଞ୍ଚୁଛି, ଆଉ ସମୟରେ ହିଁ ବାହାରୁଛି ତେବେ ଏହାର ଶ୍ରେୟ କେବଳ କନିକାଙ୍କୁ ହିଁ ଦିଆଯାଇଥାଏ ।
କନିକା କହିଛନ୍ତି ଯେ, ତାଙ୍କ କର୍ମକ୍ଷେତ୍ରକୁ ଛାଡିଲେ ତାଙ୍କ ପରିବାର କଥା ମଧ୍ୟ ସେ ଅତି ଭଲ ଭାବେ ବୁଝିଥାନ୍ତି । ସେ ଡ୍ୟୁଟି ସାରି ସନ୍ଧ୍ୟା ବେଳେ ଘରକୁ ଯାଆନ୍ତି ତେବେ ତାଙ୍କ ସ୍ବାମୀ ଓ 6 ବର୍ଷର ଝିଅ କଥା ବୁଝିଥାନ୍ତି । କନିକା କୁହନ୍ତି କୌଣସି କାମ ମହିଳା ମାନଙ୍କ ପାଇଁ କଠିନ ନୁହଁ । ଯଦି କେହି ମହିଳା ନିଜ ମନରୁ କିଛି କରିବାକୁ ଚାହେଁ ଆଉ ତା' ପରିବାର ପକ୍ଷରୁ ତାଙ୍କୁ ସପୋର୍ଟ ମିଳେ ତେବେ ପୁରୁଷଙ୍କ ପରି ନାରୀ ମଧ୍ୟ ସବୁକିଛି ସମ୍ଭବ କରିପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ