ଓଡିଶା

odisha

ETV Bharat / bharat

କମଲା ହାରିସ – ଦକ୍ଷିଣ ଏସୀୟ ଆମେରିକୀୟ ପ୍ରବାସୀଙ୍କ ସ୍ବପ୍ନ - ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ

ଏ ବର୍ଷ ଜାନୁଆରୀରେ କମଲା ହାରିସ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରୁ ଓହରି ଯାଇଥିଲେ । କିନ୍ତୁ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ସାଥୀ ଭାବରେ ଉପରାଷ୍ଟ୍ରପତି ପଦ ପାଇଁ ସେ ପ୍ରାର୍ଥୀ ହେବା ଘୋଷଣା, ଆମେରିକା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଥିଲା । ଅଧିକ ପଢନ୍ତୁ...

Kamala harris, american election, america vice president election, indian origin in the us, କମଳା ହାରିସ, ଆମେରିକାରେ ନିର୍ବାଚନ, ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ, ଆମେରିକାରେ ଭାରତୀୟ ବଂଶୋଦ୍ଭବ
କମଲା ହାରିସ – ଦକ୍ଷିଣ ଏସୀୟ ଆମେରିକୀୟ ପ୍ରବାସୀଙ୍କ ସ୍ବପ୍ନ

By

Published : Aug 13, 2020, 12:50 PM IST

2019 ଜୁନ୍‌ରେ, ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ପ୍ରଥମ ପ୍ରାଇମେରୀ ବିତର୍କ କାର୍ଯ୍ୟକ୍ରମ ଅବସରରେ, କମଲା ହାରିସ ତାଙ୍କୁ ଲକ୍ଷ୍ୟ କରି ଶାଣିତ ସ୍ବରରେ କିଛି କହିଥିଲେ । ସିନେଟର ହାରିସ କହିଥିଲେ, ‘ଆପଣ ଜାଣନ୍ତି, କାଲିଫର୍ଣ୍ଣିଆରେ ରହୁଥିବା ଛୋଟ ଝିଅଟିଏ ଦ୍ବିତୀୟ ବର୍ଗର ଅଂଶବିଶେଷ ରୂପେ ସେଠାକାର ପବ୍ଲିକ୍‌ ସ୍କୁଲଗୁଡ଼ିକରେ ସଂହତି ସ୍ଥାପନ ଲାଗି ଉଦ୍ୟମ କରୁଥିଲା ଏବଂ ସବୁଦିନ ବସ୍‌ରେ ସ୍କୁଲକୁ ଯାଉଥିଲା । ମୁଁ ହେଉଛି ସେଇ ଝିଅ ।’ ହାରିସ୍‌ ବିଡେନଙ୍କୁ ସମାଲୋଚନା କରିବାର ସୁଯୋଗକୁ ହାତଛଡ଼ା କରି ନଥିଲେ । ଆମେରିକାର ଯେଉଁ ସ୍କୁଲ୍‌ଗୁଡ଼ିକରେ ଜାତିଆଣ ଏବଂ ସାମାଜିକ-ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ବିଭେଦ ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଥିଲା, ସେଗୁଡ଼ିକୁ ଅନ୍ୟମାନଙ୍କ ସହ ସାମିଲ କରିବା ପାଇଁ, କୃଷ୍ଣକାୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶ୍ବେତାଙ୍ଗ ବହୁଳ ଅଞ୍ଚଳକୁ ବସ୍‌ରେ ଯିବାଆସିବାର ସୁଯୋଗ ଦେବାକୁ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ବିଡେନ୍‌ ସେତେବେଳେ ବିରୋଧ କରୁଥିଲେ । ଏହା ପୂର୍ବରୁ, ଦକ୍ଷିଣାଞ୍ଚଳର ଦୁଇ ପୃଥକତାବାଦୀ ଡେମୋକ୍ରାଟ୍‌ ସିନେଟର, ମିସିସିପିର ଜେମ୍‌ସ ଓ. ଇଷ୍ଟଲାଣ୍ଡ ଏବଂ ଜର୍ଜିଆର ହର୍ମାନ ଟାଲମାଜ୍‌ଙ୍କୁ ବିଡେନ୍‌ ଆହ୍ବାନ କରିଥିଲେ ଏବଂ ତାଙ୍କର ଏଭଳି 70 ଓ 80 ଦଶକରେ ପ୍ରଚଳିତ ‘ପୁରୁଣାକାଳିଆ’ ‘ଶିଷ୍ଟାଚାର’କୁ ଉପଲକ୍ଷ୍ୟ କରି ହାରିସ୍‌ କହିଥିଲେ, ‘ପ୍ରକୃତରେ ମୁଁ ଖିୁବ୍‌ ଦୁଃଖିତ- ଏ ଦେଶରେ ଜାତିଆଣ ଭେଦଭାବ ବିରୋଧରେ ସ୍ବର ଉତ୍ତୋଳନ କରି ନିଜର ବୃତ୍ତିଗତ ଜୀବନ ଗଢ଼ିଥିବା ଏବଂ ଖ୍ୟାତି ଅର୍ଜନ କରିଥିବା ଆମେରିକାର ଦୁଇ ଜଣ ସିନେଟ୍‌ ସଦସ୍ୟଙ୍କ ସଂପର୍କରେ ଆପଣ ଯାହା କହିଛନ୍ତି, ତାହା ମୋତେ ଆଘାତ ଦେଇଛି । କେବଳ ସେତିକି ନୁହେଁ, ଆପଣ ବି ସେମାନଙ୍କ ସହିତ ଜାତି ଭିତ୍ତିରେ ଛାତ୍ରଛାତ୍ରୀଙ୍କ ବସ୍‌ଯାତ୍ରାକୁ ବିରୋଧ କରି କାମ କରିଥିଲେ ।’

ଏ ବର୍ଷ ଜାନୁଆରୀରେ କମଲା ହାରିସ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରୁ ଓହରି ଯାଇଥିଲେ । କିନ୍ତୁ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ସାଥୀ ଭାବରେ ଉପରାଷ୍ଟ୍ରପତି ପଦ ପାଇଁ ସେ ପ୍ରାର୍ଥୀ ହେବା ଘୋଷଣା, ଆମେରିକା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଥିଲା । ପ୍ରବାସୀ ପିତାମାତାଙ୍କ ଔରସରୁ କାଲିଫର୍ଣ୍ଣିଆରେ ସେ ଜନ୍ମଗ୍ରହଣ କରିଥିଲେ । ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ ଭାବେ ପଢୁଥିବା ସମୟରେ ତାଙ୍କ ପିତା ଡୋନାଲଡ ହାରିସ ଏବଂ ମାଆ ଶ୍ୟାମଲା ଗୋପାଲନ୍‌ଙ୍କ ମଧ୍ୟରେ ୟୁସି ବର୍କଲେ ବିଶ୍ବବିଦ୍ୟାଳୟରେ ପ୍ରଥମ ସାକ୍ଷାତ ହୋଇଥିଲା ଏବଂ ସେତେବେଳେ ସେମାନେ ନାଗରିକ ଅଧିକାର ଆନ୍ଦୋଳନରେ ସକ୍ରିୟ ରହିଥିଲେ । ଗୋଟିଏ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାରେ କମଲା ହାରିସ୍‌ ହେଉଛନ୍ତି ପ୍ରଥମ କୃଷ୍ଣକାୟ ଏବଂ ଦକ୍ଷିଣ ଏସୀୟ ଆମେରିକୀୟ ମହିଳା । ତାଙ୍କ ବାପା ଡୋନାଲ୍ଡ ଜାମାଇକାରୁ ଆସି ଆମେରିକାରେ ରହୁଥିଲେ । ୟୁସି ବର୍କଲେର ଜଣେ ଛାତ୍ରୀ ହିସାବରେ ତାଙ୍କ ମାଆ ତାମିଲନାଡୁରୁ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ ।

ଶ୍ୟାମଲାଙ୍କ ବାପା ପି.ଭି.ଗୋପାଲନ ଜଣେ ସଚ୍ଚୋଟ ସରକାରୀ ଅଧିକାରୀ ଥିଲେ ଏବଂ ସେ ଦୁର୍ନୀତି ବିରୋଧରେ ସଂଗ୍ରାମ କରୁଥିଲେ । ବଡ଼ଝିଅର ସ୍ବପ୍ନକୁ ସାକାର କରିବା ପାଇଁ ସେ ଅବସର ପରବର୍ତ୍ତୀ ସମୟ ପାଇଁ ସଞ୍ଚୟ କରିଥିବା ଅର୍ଥ ଖର୍ଚ୍ଚ କରି ଦେଇଥିଲେ ଏବଂ ତାଙ୍କୁ ଦରିଆପାରି ଯାତ୍ରା ସକାଶେ ଅନୁମତି ଦେଇଥିଲେ । 2009ରେ ସାପ୍ତାହିକ ପତ୍ରିକା ‘ଇଣ୍ଡିଆ ଆବ୍ରଡ୍‌’ର ପ୍ରତିନିଧି ଅଜିଜ୍‌ ହାନିଫାଙ୍କ ସହ ସାକ୍ଷାତକାରରେ ଅତୀତର ସ୍ମୃତିଚାରଣ କରି କମଲା ହାରିସ କହିଥିଲେ, ‘ଭାରତରେ ପ୍ରଥମ ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ଥିଲେ ମୋ ଜେଜେବାପା ଏବଂ ସେ ଅବସର ନେବା ପରେ ତତ୍କାଳୀନ ମାଡ୍ରାସର ବସନ୍ତ ନଗରରେ ରହୁଥିଲେ । ସେ ସମୟରେ ତାଙ୍କ ସହିତ ସମୁଦ୍ରକୂଳରେ ଚାଲିବାର ସୁଖଦ ଅନୁଭୂତି ମୋର ରହିଛି । ସେତେବେଳେ ସେ ସବୁଦିନ ସକାଳେ ସାଙ୍ଗମାନଙ୍କ ସହିତ ସମୁଦ୍ରକୂଳରେ ଚାଲୁଥିଲେ । ତାଙ୍କର ସବୁ ସାଙ୍ଗ ଅବସର ନେଇଥିବା ସରକାରୀ ଅଧିକାରୀ ଏବଂ ସେମାନେ ରାଜନୀତି, ଦୁର୍ନୀତି ବିରୋଧରେ ଲଢ଼େଇ ଏବଂ ନ୍ୟାୟ ସଂପର୍କରେ କଥାବାର୍ତ୍ତା କରୁଥିଲେ । ସେମାନେ ହସି ଉଠନ୍ତି, ନିଜ ନିଜର ମତାମତ ଦିଅନ୍ତି ଏବଂ ଯୁକ୍ତିତର୍କ ବି କରନ୍ତି । ସେମାନଙ୍କ କାର୍ଯ୍ୟକଳାପ ତୁଳନାରେ ସେହି ସବୁ କଥାବାର୍ତ୍ତାର ଗଭୀର ପ୍ରଭାବ ମୋ ଉପରେ ପଡ଼ିଥିଲା ଏବଂ ସେହିଠାରୁ ହିଁ ମୁଁ ଦାୟିତ୍ବସଂପନ୍ନ, ସଚ୍ଚୋଟ ଏବଂ ସତ୍ୟନିଷ୍ଠ ହେବାକୁ ଶିଖିଥିଲି ।’ କେତେକ ସାକ୍ଷାତ୍‌କାରରେ କମଲା ହାରିସ୍‌ ବର୍ଣ୍ଣନା କରିଛନ୍ତି ଯେ, ପ୍ରଗତିଶୀଳ ଚିନ୍ତାଧାରା ସଂପନ୍ନ ତାଙ୍କ ଜେଜେବାପା ସାରା ବିଶ୍ବରେ ତାଙ୍କର ପ୍ରିୟ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଦୀର୍ଘ ବର୍ଷ ଧରି ସେ ତାଙ୍କର ଜଣେ ପତ୍ରବନ୍ଧୁ ଭାବେ ରହିଥିଲେ । ଯାହାକି ଜନସାଧାରଣଙ୍କ ସେବା କ୍ଷେତ୍ରରେ ତାଙ୍କ ଭାବଧାରାକୁ ରୂପରେଖ ପ୍ରଦାନ କରିଥିଲା । କିନ୍ତୁ ସର୍ବସାଧାରଣ ସଭାସମିତିରେ ଭାଷଣ ଦେବା ବେଳେ ସିନେଟର ହାରିସ୍‌ ନିୟମିତ ଭାବେ ନିଜ ମାଆଙ୍କ ସ୍ମୃତିଚାରଣ କରୁଥିଲେ ।

ସେ ଅଳ୍ପ ବୟସର ହୋଇଥିବା ବେଳେ ତାଙ୍କ ପିତାମାତାଙ୍କ ବିବାହ ବିଚ୍ଛେଦ ହୋଇଥିଲା ଏବଂ ମଣ୍ଟ୍ରିଲ୍‌ରେ ତାଙ୍କ ମାଆ ଶ୍ୟାମଲା ହିଁ କମଲା ହାରିସ ଓ ତାଙ୍କ ଭଉଣୀ ମାୟାଙ୍କ ଲାଳନପାଳନ କରିଥିଲେ । ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାଁ ଘୋଷିତ ହେବା ପରେ ମାଆଙ୍କ ଅବଦାନକୁ ମନେ ପକାଇ ତାଙ୍କ ଭଉଣୀ ମାୟା ଟ୍ବିଟ୍‌ କରିଥିବା ଏକ ଭିଡିଓ କ୍ଲିପ୍‌ରେ, ଅତୀତରେ କମଲା ହାରିସ୍‌ଙ୍କ ପ୍ରଚାର ସମୟର ଭାଷଣ ରହିଥିଲା ଏବଂ ସେଥିରେ ସେ କହିଥିଲେ, ‘ମୋତେ ଓ ମୋ ଭଉଣୀର ଲାଳନପାଳନ କରିଥିବା ମୋ ମାଆ ଜଣେ ସ୍ବାଭିମାନୀ ମହିଳା ଥିଲେ । ତାଙ୍କ ଦେହର ରଙ୍ଗ ଥିଲା ବାଦାମୀ । ତାଙ୍କ ଉଚ୍ଚାରଣରେ ଗମ୍ଭୀରତା ରହିଥିଲା । ସେ ଏମିତି ଜଣେ ମହିଳା ଥିଲେ ଯାହାଙ୍କୁ ଅନେକ ସମୟରେ ଅନେକ ଲୋକ ଅଣଦେଖା କରୁଥିଲେ ଏବଂ ଗମ୍ଭୀରତାର ସହ ଗ୍ରହଣ କରୁନଥିଲେ । ହୁଏତ, ତାଙ୍କ ଉଚ୍ଚାରଣ ଶୈଳୀ ଯୋଗୁଁ ତାଙ୍କ ବୁଦ୍ଧିମତ୍ତା ସଂପର୍କରେ ଲୋକେ ନିଜସ୍ବ ଢଙ୍ଗରେ ଅନୁମାନ କରୁଥିଲେ । ଏବେ, ସେହି ସମସ୍ତ ବ୍ୟକ୍ତିଙ୍କୁ ସବୁ ସମୟ ପାଇଁ ଭୁଲ ବୋଲି ମୋ ମାଆ ପ୍ରମାଣିତ କରିଛନ୍ତି । ଏବଂ ଏହି କାରଣରୁ ଯେ, ମୋ ମାଆ କ’ଣ ଥିଲେ, ସେ କ’ଣ ବିଶ୍ବାସ କରୁଥିଲେ, ତାହା ଭିନ୍ନ କଥା, କିନ୍ତୁ ସ୍ବପ୍ନ ଦେଖିବାରେ ତାଙ୍କର ଦକ୍ଷତାକୁ ସେ ସମ୍ଭବ କରି ଦେଖାଇଥିଲେ ଏବଂ ତାହାକୁ କାର୍ଯ୍ୟରେ ପରିଣତ କରିଥିଲେ । ପ୍ରକୃତ କଥା ହେଉଛି, ଗୋଟିଏ ପିଢ଼ିରେ କ’ଣ ସବୁ ସମ୍ଭବ ହେବ ଏବଂ କାହିଁକି ସମ୍ଭବ ହେବ ସେ ସଂପର୍କରେ କହିବା ପାଇଁ ମୋ ମାଆ କାହାରି ଅନୁମତି ଲୋଡୁ ନଥିଲେ । ମୁଁ ଏଠାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଜଣେ ଗମ୍ଭୀର ପ୍ରାର୍ଥୀ ରୂପେ ଠିଆ ହୋଇଛି ।’

ଭିନ୍ନ ଭିନ୍ନ ବଂଶଜ ପିତାମାତାଙ୍କ ସନ୍ତାନ ରୂପରେ ଏବଂ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ସହିତ ଏବଂ ଭାରତରେ ଏକ ହିନ୍ଦୁ ଜାତୀୟତାବାଦୀ ଦଳ ଶାସନ କ୍ଷମତାରେ ରହିଥିବା ସମୟରେ, ଉପ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସ କେମିତି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ତାହାକୁ ନେଇ କୌତୁହଳ ଲାଗି ରହିବ ଏବଂ ଯଦି ନିର୍ବାଚିତ ହୁଅନ୍ତି ତେବେ ସେ 2024ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଗଧାଡ଼ିରେ ରହିବେ । ହୁଏତ ହ୍ୟୁଷ୍ଟନ୍‌ରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଭାରତୀୟ-ଆମେରିକୀୟମାନଙ୍କ ଦ୍ବାରା ଷ୍ଟାଡିଅମ୍‌ ଭରିଯାଇଥିଲା ଏବଂ ସେତେବେଳେ ସାର୍ବଜନୀନ ଭାବେ ପ୍ରକାଶିତ ମୋଦି-ଟ୍ରମ୍ପଙ୍କ ଅମାୟିକ ବନ୍ଧୁତାକୁ ହର୍ଷଧ୍ବନିରେ ସ୍ବାଗତ କରାଯାଇଥିଲା । କିନ୍ତୁ ପ୍ରବାସୀ ରୂପରେ କମଲା ହାରିସ୍‌ଙ୍କ ଦୃଢ଼ ସ୍ଥିତି ଏବଂ ଭାରତୀୟ ବଂଶୋଦ୍ଭବ ହୋଇଥିବା କାରଣରୁ ଭାରତୀୟ-ଆମେରିକୀୟମାନଙ୍କ ସମେତ ଦକ୍ଷିଣ ଏସୀୟ ଆମେରିକୀୟମାନେ ମଧ୍ୟ ତାଙ୍କ ପ୍ରତି ସମର୍ଥନ ଜଣାଇବାର ସଶକ୍ତ କାରଣ ରହିଛି ।

ବର୍ତ୍ତମାନ ଆମେରିକୀୟ କଂଗ୍ରେସରେ ପାଞ୍ଚ ଜଣ ଭାରତୀୟ-ଆମେରିକୀୟ ଅଛନ୍ତି ଏବଂ ସମସ୍ତେ ଡେମୋକ୍ରାଟ ଦଳର । ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ରାଜା କ୍ରିଷ୍ଣାମୂର୍ତ୍ତି, ପ୍ରମିଲା ଜୟପାଲ, ରୋ ଖାନ୍ନା ଏବଂ ଆମି ବେରା ରହିଥିବା ବେଳେ କମଲା ହାରିସ୍‌ ସିନେଟ୍‌ରେ ଅଛନ୍ତି । ଏମାନଙ୍କ ମଧ୍ୟରୁ କେବଳ କ୍ରିଷ୍ଣମୂର୍ତ୍ତି ହିଁ ହ୍ୟୁଷ୍ଟନ୍‌ କାର୍ଯ୍ୟକ୍ରମରେ ଭାଗ ନେବାକୁ ପସନ୍ଦ କରିଥିଲେ । ସମ୍ବିଧାନର 370 ଧାରା ଉଚ୍ଛେଦ ଏବଂ କାଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥାର ଅବରୋଧକୁ ନାପସନ୍ଦ କରି ଅନ୍ୟମାନେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

‘ଜାମ୍ମୁ ଓ କାଶ୍ମୀରରେ ଯୋଗାଯୋଗ ଉପରେ ପ୍ରତିବନ୍ଧକ ଏବଂ ସାମୂହିକ ଅଟକ ବ୍ୟବସ୍ଥାର ଅନ୍ତ’ ପାଇଁ ଏବଂ ‘ସବୁ ନାଗରିକଙ୍କ ଧାର୍ମିକ ସ୍ବାଧୀନତା ବଜାୟ ରଖିବା” ପାଇଁ ଭାରତକୁ ଆହ୍ବାନ ଦେଇ ଗତ ଡିସେମ୍ବରରେ ଜୟପାଲ ଏକ ପ୍ରସ୍ତାବ ଆଗତ କରିଥିଲେ । ଏଭଳି ସମାଲୋଚନାରେ ଅସନ୍ତୁଷ୍ଟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର. 2019 ଡିସେମ୍ବରରେ ତାଙ୍କର ଆମେରିକା ଗସ୍ତ ବାତିଲ କରିଦେଇଥିଲେ । ସେତେବେଳେ ସେ ଆମେରିକା ସଦନର ପ୍ରଭାବଶାଳୀ ବୈଦେଶିକ ବ୍ୟାପାର କମିଟି ସହିତ ଆୟୋଜିତ ଏକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇଥିଲା ଏବଂ ଏହି କମିଟିରେ ଆମେରିକା କଂଗ୍ରେସର ସଦସ୍ୟା ଜୟପାଲ ମଧ୍ୟ ଥିଲେ । ‘ୱାଶିଂଟନ ପୋଷ୍ଟ’ର ଏକ ରିପୋର୍ଟ ଅନୁସାରେ, ଜୟପାଲଙ୍କୁ ଏହିପ୍ୟାନେଲରୁ ବାଦ ଦେଇ ବୈଠକ କରିବା ଲାଗି ଜୟଶଙ୍କରଙ୍କ ଦାବିକୁ କମିଟିର ଅଧ୍ୟକ୍ଷ ଏଲିଅଟ୍‌ ଏନ୍‌ଗେଲ ଅଗ୍ରାହ୍ୟ କରିଦେଇଥିଲେ । ତାଙ୍କ ସହକର୍ମୀଙ୍କୁ ସମର୍ଥନ କରି କମଲା ହାରିସ୍‌ କରିଥିବା ଏକ ଟ୍ବିଟ୍‌ରେ ଲେଖିଥିଲେ, ‘କୌଣସି ବିଦେଶୀ ସରକାର ପକ୍ଷରେ କ୍ୟାପିଟଲ ହିଲ୍‌ରେ ହେବାକୁ ଥିବା ବୈଠକରେ ଆମେରିକା କଂଗ୍ରେସର କେଉଁ ସଦସ୍ୟ ରହିବେ ତାହା କହିବା ଭୁଲ ।’

ପାକିସ୍ତାନର ପ୍ରମୁଖ ଦୈନିକ ଖବରକାଗଜ ‘ଡନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ବର୍ଷ ଟେକ୍‌ସାସ୍‌ରେ ହାରିସ୍‌ ଏକ ବିବୃତି ଦେଇ କହିଥିଲେ, “କାଶ୍ମୀରବାସୀଙ୍କୁ ଆମେ ମନେ ପକାଇ ଦେବାକୁ ଚାହୁଁଛୁ ଯେ ସେମାନେ ଏ ବିଶ୍ବରେ ଏକାକୀ ନୁହନ୍ତି । ଆମେ ପରିସ୍ଥିତି ଉପରେ ନଜର ରଖିଛୁ । ଯଦି ସେଭଳି ପରିସ୍ଥିତି ଉପୁଜେ, ତେବେ ଆମେ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ।” ମୁଖ୍ୟତଃ ରଣନୈତିକ ସହଭାଗିତା ଭିତ୍ତିରେ ଭାରତ ଓ ଆମେରିକାର ସଂପର୍କ ଗଢ଼ି ଉଠିଥିବା ଏବଂ ଆମେରିକା କଂଗ୍ରେସରେ ଏହାକୁ ଦ୍ବିଦଳୀୟ ସମର୍ଥନ ମିଳୁଥିବା ସମୟରେ, ଯଦି ଜୋ ବିଡେନ୍‌ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇ ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚନ୍ତି ତେବେ କମଲା ହାରିସଙ୍କ ଧର୍ମ ନିରପେକ୍ଷ, ପ୍ରଗତିଶୀଳ ଗଣତାନ୍ତ୍ରିକ ଦୃଷ୍ଟିକୋଣ ଯୋଗୁଁ ମୋଦି ସରକାର ସହ ରହିଥିବା ସଂପର୍କ କିଭଳି ପ୍ରଭାବିତ ହେବ ତାହା ଉପରେ ନଜର ରଖିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ ହେବ ।

2016ରେ କମଲା ହାରିସ ସିନେଟ୍‌କୁ ନିର୍ବାଚିତ ହୋଇଥିଲେ ଏବଂ ସେ ସମୟରେ, ଏକ ଦଶନ୍ଧିରୁ ଅଧିକ କାଳ ମଧ୍ୟରେ ସେ ଥିଲେ ସିନେଟ୍‌ର ପ୍ରଥମ କୃଷ୍ଣକାୟ ମହିଳା । ସେ ହେଉଛନ୍ତି ଉପରାଷ୍ଟ୍ରପତି ପଦ ପାଇଁ ପ୍ରଥମ ପ୍ରାର୍ଥୀ, ଯେ କି ଇତିହାସ ଅନୁସାରେ ବର୍ଷ ବର୍ଷ ଧରି କୃଷ୍ଣକାୟମାନଙ୍କ ଆଧିପତ୍ୟ ରହିଥିବା ୱାଶିଂଟନ ଡି.ସି.ର ହାୱାର୍ଡ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ କରିଛନ୍ତି । ସନ୍‌ଫ୍ରାନ୍‌ସିସ୍‌କୋର ପୂର୍ବତନ ପ୍ରଥମ କୃଷ୍ଣକାୟ ଡିଷ୍ଟ୍ରିକ୍‌ଟ ଆଟର୍ଣ୍ଣି ଏବଂ କାଲିଫର୍ଣ୍ଣିଆର ପୂର୍ବତନ ଆଟର୍ଣ୍ଣି ଜେନେରାଲ ହାରିସ୍‌ଙ୍କ ବୟସ ଏବେ 55 ବର୍ଷ ଏବଂ ସେ ଇଣ୍ଟେଲିଜେନ୍‌ସ କମିଟି ଏବଂ ବିଚାର ବିଭାଗୀୟ କମିଟି ସମେତ ସିନେଟ୍‌ର ଅନେକ ଉଚ୍ଚସ୍ତରୀୟ କମିଟିରେ ସେବାରତ । କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟା ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ‘ଆଇକ୍ୟାଣ୍ଟ୍‌ବ୍ରିଦ୍‌’ ପ୍ରତିବାଦ ଚାଲିଥିବା ବେଳେ ଏବଂ ସାରା ବିଶ୍ବରେ ଏହା ପ୍ରତିଧ୍ବନିତ ହେଉଥିବା ବେଳେ ଏହି ପୂର୍ବତନ ଶୀର୍ଷସ୍ଥାନୀୟ ଆଇନଜୀବୀ ଜାତିଆଣ ନ୍ୟାୟ ବିଧେୟକ ପ୍ରବର୍ତ୍ତନ ସପକ୍ଷରେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ । ଜାତିଭିତ୍ତିକ ବ୍ୟବସ୍ଥାର ବିଲୋପ ପାଇଁ ଏବଂ ଲୋକଙ୍କ ଭିଡ଼ ଦ୍ବାରା ହତ୍ୟାକୁ ସଂଘୀୟ ଅପରାଧ ରୂପେ ବିବେଚିତ କରିବା ପାଇଁ ଆଗତ ବିଭିନ୍ନ ପୁନର୍ବିନ୍ୟାସ ପ୍ରସ୍ତାବକୁ ସେ ସମର୍ଥନ କରିଥିଲେ । ରିଚାର୍ଡ ନିକ୍‌ସନଙ୍କ ପଦାଙ୍କ ଅନୁସରଣ କରି ଟ୍ରମ୍ପ୍‌ ଯେତେବେଳେ ଆଇନ ଏବଂ ଶୃଙ୍ଖଳାକୁ ନେଇ ଗୋଟିଚାଳନା କରୁଛନ୍ତି, ସେ ସମୟରେ ଜଣେ ଆଇନଜୀବୀ ଭାବରେ ହାରିସ୍‌ଙ୍କ ପୂର୍ବ ରେକର୍ଡ ବେଶ ଗୁରୁତ୍ବ ବହନ କରେ ।

ହାରିସ୍‌ଙ୍କ ପ୍ରତି ଅନେକ ଲୋକଙ୍କର ଧ୍ୟାନ ସେତେବେଳେ ଆକର୍ଷିତ ହେଲା, ଯେତେବେଳେ ସେ, ବ୍ରେଟ୍‌ ଏମ୍‌.କାବାନାଗ୍‌ଙ୍କ ସମେତ ଟ୍ରମ୍ପ ସରକାରର ବହୁ ଅଧିକାରୀ ଏବଂ ମନୋନୀତ ପଦାଧିକାରୀଙ୍କୁ ସୁପ୍ରିମ କୋର୍ଟଙ୍କ ଚୂଡ଼ାନ୍ତ ଶୁଣାଣି ବେଳେ ଏବଂ ଆଟର୍ଣ୍ଣି ଜେନେରାଲ ଜେଫ୍‌ ସେସନ୍‌ସଙ୍କୁ ସିନେଟ୍‌ ଇଣ୍ଟେଲିଜେନ୍‌ସ କମିଟିର ଶୁଣାଣି ବେଳେ ତନାଘନା ଜେରା କଲେ ଏବଂ ଟେଲିଭିଜନରେ ଏହାର ସିଧା ପ୍ରସାରଣ କରାଗଲା । କାଲିଫର୍ଣ୍ଣିଆର କନିଷ୍ଠ ସିନେଟ୍‌ ସଦସ୍ୟ ଭାବରେ ହାରିସ୍‌, କାବାନାଗ୍‌ଙ୍କ ମନୋନୟନକୁ ବିରୋଧ କରି କହିଲେ, ‘ଆମର ଏଭଳି ଏକ ନ୍ୟାୟ ପଦ୍ଧତି ରହିଛି, ଯାହାର ପ୍ରତୀକ ହେଉଛି ନିକିତି ଧରିଥିବା ଜଣେ ମହିଳା । ଏବଂ ସେ ଆଖିରେ ପଟି ବାନ୍ଧିଛନ୍ତି । ଆଇନ ଆଖିରେ ପଟି ବନ୍ଧା ହେବାର କାରଣ ହେଉଛି, ଯୁକ୍ତରାଷ୍ଟ୍ର ଆମେରିକାରେ ଆମେ କହୁ ଯେ ଆମ ନ୍ୟାୟପାଳିକାରେ ଗୃହୀତ ପଦ୍ଧତି ଅନୁସାରେ କୌଣସି ବ୍ୟକ୍ତିର ସାମାଜିକ ସ୍ଥିତି ପ୍ରତି ଆଇନ ଆଖି ବୁଜି ଦେବା ଉଚିତ । ଆମେ କହିଛୁ ଯେ, କୌଣସି ବ୍ୟକ୍ତି ପାଖରେ କେତେ ଅର୍ଥ ଅଛି, ସେ କିଭଳି ଦେଖାଯାଆନ୍ତି କିମ୍ବା କାହାକୁ ପ୍ରେମ କରନ୍ତି, ତାଙ୍କ ପିତାମାତା କିଏ ଏବଂ ସେ କେଉଁ ଭାଷାରେ କଥାବାର୍ତ୍ତା କରନ୍ତି, ସେ ସବୁ ବିଷୟ ପ୍ରତି ଆଇନ ଆଖି ବୁଜି ଦେବା ଉଚିତ ଏବଂ ସୁପ୍ରିମ କୋର୍ଟର ପ୍ରତ୍ୟେକ ବିଚାରପତି ଏହି ଆଦର୍ଶକୁ ବୁଝିବା ଏବଂ ପାଳନ କରିବା ନିଶ୍ଚିତ ଆବଶ୍ୟକ ଏବଂ ବିଚାରପତି କାବାନାଗ୍‌ ମହୋଦୟ, ଏହି ସବୁ ମାମଲା ଯଦି ଆପଣଙ୍କ ସାମନାକୁ ଆସେ, ଆପଣ ସବୁ ଆମେରିକୀୟମାନଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରିବେ କିମ୍ବା ରକ୍ଷଣଶୀଳ ଚିନ୍ତାଧାରା ସହିତ ଯେଉଁ ରାଜନୈତିକ ଦଳ ଆପଣଙ୍କ ବୃତ୍ତିଗତ ଜୀବନ ଗଠନରେ ସହାୟକ ହୋଇଛି ତାହା ପ୍ରତି ଅନୁରକ୍ତି ପ୍ରଦର୍ଶନ କରିବେ, ସେ ସଂପର୍କରେ ମୁଁ ଚିନ୍ତିତ । ମୁଁ ଏଥିପାଇଁ ଚିନ୍ତିତ ଯେ ଆପଣ, ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ପ୍ରତି ନୁହେଁ. ଆପଣଙ୍କୁ ନିଯୁକ୍ତି ଦେଇଥିବା ରାଷ୍ଟ୍ରପତିଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବେ ।’

ଡୋନାଲ୍ଡ ଟ୍ରମ୍ପଙ୍କ ଉପରାଷ୍ଟ୍ରପତି ପଦ ପ୍ରାର୍ଥୀ ମାଇକ୍‌ ପେନ୍‌ସଙ୍କ ପାଇଁ ଏବେ କଠିନ ସମୟ ଉପନୀତ । କାରଣ ନଭେମ୍ବର ନିର୍ବାଚନ ପୂର୍ବରୁ ହେବାକୁ ଥିବା ବିଭିନ୍ନ ବିତର୍କ କାର୍ଯ୍ୟକ୍ରମରେ ତାଙ୍କୁ କମଲା ହାରିସଙ୍କ ସମ୍ମୁଖୀନ ହୋଇ ରାଷ୍ଟ୍ରପତିଙ୍କ ଲିଙ୍ଗଭିତ୍ତିକ ପକ୍ଷପାତିତା, ଜାତିଆଣ ନୀତି, ଆଇନ ଓ ପୋଲିସ ବ୍ୟବସ୍ଥାକୁ ସମର୍ଥନ କରିବାକୁ ପଡ଼ିବ । 2019ରେ ମାର୍ଟିନ୍‌ ଲୁଥର କିଙ୍ଗଙ୍କ ଜୟନ୍ତୀ ପାଳନ ଅବସରରେ ରାଷ୍ଟ୍ରପତି ପଦମଣ୍ଡନର ସ୍ବପ୍ନ ସଂପର୍କରେ ହାରିସ୍‌ ଯେଉଁ ଘୋଷଣା କରିଥିଲେ ତାହା ପୂରଣ କରିବାକୁ ବର୍ତ୍ତମାନ ହୁଏତ ତାଙ୍କୁ କିଛି ସମୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ଏହା ସତ ଯେ ଇତିହାସ ରଚିତ ହୋଇସାରିଛି । 1972ରେ ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ପ୍ରଥମ ମହିଳା ପ୍ରାର୍ଥୀ ହେବାକୁ ଚାହୁଁଥିବା ନ୍ୟୁୟର୍କର କଂଗ୍ରେସ ସଦସ୍ୟା ଶର୍ଲି ଚିଶୋମ୍‌ କହିଥିଲେ ‘ରାଷ୍ଟ୍ରପତି ପଦ ପାଇଁ ପ୍ରଥମ କୃଷ୍ଣକାୟ ମହିଳା ପ୍ରାର୍ଥୀ ରୂପେ ଇତିହାସ ମୋତେ ମନେରଖୁ ବୋଲି ମୁଁ ଚାହେଁ ନାହିଁ, କିନ୍ତୁ ବିଂଶ ଶତାବ୍ଦୀରେ ନିଜକୁ ନିଜେ ପ୍ରତିପାଦିତ କରିବାର ସାହସ କରିଥିବା ଜଣେ କୃଷ୍ଣକାୟ ମହିଳା ରୂପରେ ମୋତେ ମନେ ରଖୁ । ଆମେରିକାରେ ପରିବର୍ତ୍ତନ ଚାହୁଁଥିବା ଜଣେ ପ୍ରବର୍ତ୍ତକ ରୂପେ ମୁଁ ସ୍ମୃତିରେ ରହିବାକୁ ଚାହେଁ ।’ ସେହି ପରିବର୍ତ୍ତନ ଆଜି ଆମେରିକାର ଇତିହାସରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ ଦିଗରେ ବାଟ କଢ଼ାଇ ନେଇଛି ।

ABOUT THE AUTHOR

...view details