ଭାରତ ସହିତ ସେମାନଙ୍କ ସଂପର୍କ ଯେତେ କ୍ଷୀଣ ହେଉ ନା କାହିଁକି, ପ୍ରବାସୀ ଭାରତୀୟମାନଙ୍କର ଯେ କୌଣସି ସଫଳତାକୁ ସଗର୍ବେ ଆଦରି ନେବା, ଗତ କିଛି ବର୍ଷ ହେଲା ଭାରତ ସରକାରଙ୍କ ପାଇଁ ଏକ ପାରମ୍ପରିକ ଧାରାରେ ପରିଣତ ହୋଇଛି । ଏହି କାରଣରୁ ହିଁ ଭାରତୀୟ ବଂଶୋଦ୍ଭବ ପ୍ରଥମ ମହିଳା ଭାବେ କମଲା ହାରିସ, ଆମେରିକାର ଏକ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ରାଷ୍ଟ୍ରପତି ପଦ ଭଳି ସର୍ବୋଚ୍ଚ ପଦବୀ ପାଇଁ ପ୍ରାର୍ଥୀ ରୂପେ ମନୋନୀତ ହେବାକୁ ଯାଉଥିବା ବେଳେ ଭାରତ ସରକାରଙ୍କ ନିରବ ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।
ହାରିସ ନିଜର ମୂଳ ବଂଶ ଏବଂ ତାଙ୍କ ଭାରତୀୟ ମାଆଙ୍କ ନିକଟରୁ ସେ ପାଇଥିବା ଶିକ୍ଷା ସଂପର୍କରେ ଦୃପ୍ତ ଭାବରେ ବର୍ଣ୍ଣନା କରନ୍ତି । ତାଙ୍କ ମାଆ ଥିଲେ, ତାମିଲ ନାଡୁରୁ ଆମେରିକାକୁ ଆସିଥିବା ପ୍ରଥମ ପିଢ଼ିର ପ୍ରବାସୀ । ଗତ ନଭେମ୍ବରରେ ଆମେରିକା ରାଷ୍ଟ୍ରପତିଙ୍କ ଭଳି ବିଶ୍ବର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପଦବୀ ନିମନ୍ତେ ହାରିସ୍ଙ୍କ ନାଁ ଖୁବ୍ ଚର୍ଚ୍ଚାରେ ରହିଥିଲା । ୱେଷ୍ଟ ଇଣ୍ଡିଜ୍ରୁ ଆରମ୍ଭ କରି ଆୟାରଲ୍ୟାଣ୍ଡ, ସିଙ୍ଗାପୁର, ଫିଜି ଏବଂ ମରିସସ୍ ଭଳି ଅନେକ ଦେଶରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିମାନେ ସର୍ବୋଚ୍ଚ ପଦବୀ ମଣ୍ଡନ କରିସାରିଥିଲେ ହେଁ ଯୁକ୍ତରାଷ୍ଟ୍ର ଆମେରିକାର ଉପ ରାଷ୍ଟ୍ରପତି ପଦ ପାଇଁ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ବ ଖୁବ୍ ବଡ଼କଥା ଥିଲା ଏବଂ ଏହାକୁ ଭାରତ ଓ ଆମେରିକାର ଗଣମାଧ୍ୟମ, ବିଭିନ୍ନ ସମାଜର ସଦସ୍ୟ ଏବଂ ଅନ୍ୟ ମହଲରେ ସମୁଚିତ ତଥା ବିପୁଳ ସ୍ବାଗତ କରାଯାଇଥିଲା ।
ଏବେ, ଭାରତ ଏଭଳି ସ୍ବଳ୍ପଭାଷୀ ହେବା ପଛରେ ଅନେକ କାରଣ ରହିଛି ଏବଂ ସେଥିରୁ ଯାହା ସବୁଠାରୁ ସ୍ପଷ୍ଟ ରୂପେ ପ୍ରତୀୟମାନ, ତାହା ହେଉଛି ଟ୍ରମ୍ପ୍ ସରକାରଙ୍କ ସହିତ ଭାରତ ସରକାରଙ୍କ ପ୍ରତ୍ୟକ୍ଷ ଘନିଷ୍ଠତା ଏବଂ ନିର୍ଦ୍ଦିଷ୍ଟ ଭାବରେ ଭାରତର ସମର୍ଥକ ରୂପେ ଡୋନାଲଡ ଟ୍ରମ୍ପଙ୍କ ସରକାରଙ୍କୁ ଉପସ୍ଥାପନ କରିବାର ପ୍ରୟାସ । ଭାରତ ସହ ଆମେରିକାର ନିବିଡ଼ ସଂପର୍କ ସ୍ଥାପନ ପ୍ରକ୍ରିୟା ମୁଖ୍ୟତଃ ଏକ ଦ୍ବିଦଳୀୟ ପ୍ରୟାସ ଏବଂ ଉଭୟ ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ପାର୍ଟି ଏଥିରେ ଅଂଶଗ୍ରହଣ କରିବା କଥା । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି ଭାରତର ଖୋଲାଖୋଲି ସମର୍ଥନ ପ୍ରଦର୍ଶନକୁ ଡେମୋକ୍ରାଟିକ୍ ପାର୍ଟି ସହଜରେ ଗ୍ରହଣ କରିପାରିନାହିଁ ଏବଂ ଭାରତରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ଦ୍ବାରା ନିକଟରେ ପ୍ରଣୀତ ବିଭିନ୍ନ ନୀତିକୁ, ନିର୍ଦ୍ଦିଷ୍ଟ ଭାବେ ଜାମ୍ମୁ ଓ କାଶ୍ମୀର ସଂପର୍କିତ 370 ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ ଭଳି ନୀତିକୁ, ଏହି ଦଳର ଅନେକ ନେତା କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି (ଡେମୋକ୍ରାଟିକ୍ ପାର୍ଟିର) ବାରାକ୍ ଓବାମାଙ୍କ ସହିତ ମୋଦିଙ୍କ ପ୍ରକାଶ୍ୟ ଘନିଷ୍ଠତା ସତ୍ତ୍ବେ ସେମାନେ ଏହା କରିଛନ୍ତି ।
ହାରିସ୍ ସେହିଭଳି ନେତାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସଂପ୍ରତି ଜାମ୍ମୁ ଓ କାଶ୍ମୀରର ସ୍ଥିତିକୁ ଖୋଲାଖୋଲି ସମାଲୋଚନା କରିଆସିଛନ୍ତି । ଏମିତିକି ଗତ ଡିସେମ୍ବରରେ ଜାମ୍ମୁ ଓ କାଶ୍ମୀର ସଂପର୍କରେ ଆମେରିକା ସଦନର ବୈଦେଶିକ ସମ୍ବନ୍ଧ କମିଟି ସହିତ ପ୍ରସ୍ତାବିତ ବୈଠକରୁ ଓହରି ଆସିଥିବାରୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ । ତା ପୂର୍ବରୁ ମଧ୍ୟ, ଗତ ବର୍ଷ ସେପ୍ଟେମ୍ବରରେ ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରୁ ସେ ଦୂରେଇ ରହିଥିଲେ । ଭାରତ ଓ ଆମେରିକାର ସଂପର୍କ ଏବଂ ସହଭାଗିତାକୁ ନେଇ ଉତ୍ସବ ପାଳନ ସକାଶେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିକାଂଶ ଭାରତୀୟ ବଂଶୋଦ୍ଭବଙ୍କ ସମେତ ଆମେରିକାର ଅନେକ ପ୍ରଭାବଶାଳୀ ନୀତିପ୍ରଣେତା ଟ୍ରମ୍ପଙ୍କ ସହିତ ଯୋଗ ଦେଇଥିଲେ ।
ନୂଆଦିଲ୍ଲୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଥିବା ଅଧିକାଂଶ ଅଧିକାରୀଙ୍କ ବ୍ୟକ୍ତିଗତ ମତ ଅନୁସାରେ. ଜୋ ବିଡେନଙ୍କ ସାଥୀ ଭାବରେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପରେ ହାରିସ୍ଙ୍କ ମନୋନୟନ ସଂପର୍କରେ ଭାରତ ସରକାର ନିରବ ରହିବାର ଏକ ପ୍ରମୁଖ କାରଣ ହେଉଛି ଟ୍ରମ୍ପଙ୍କ ଚମକପ୍ରଦ ବ୍ୟକ୍ତିତ୍ବ । ବିଶେଷତଃ ବାଣିଜ୍ୟ କ୍ଷେତ୍ରରେ ୱାଶିଂଟନ ଭାରତର GSP (ସାଧାରଣ ଅଗ୍ରାଧିକାର ପଦ୍ଧତି) ମାନ୍ୟତା ପୁନର୍ବାର ଲାଗୁ କରିବାର ସମ୍ଭାବନା ରହିଥିବା ସମୟରେ, କୌଣସି ପ୍ରକାରେ, ଟ୍ରମ୍ପଙ୍କୁ ଅପ୍ରସନ୍ନ କରିବା ଲାଗି ମୋଦି ସରକାର ଇଚ୍ଛା କରୁନାହିଁ ।
ସୀମାରେ ଲାଗି ରହିଥିବା ସ୍ଥିତି କାରଣରୁ ଚୀନ ସହିତ ସଂପର୍କରେ ଉତ୍ତେଜନା ଲାଗି ରହିଥିବା ଏବଂ ଭାରତର କେତେକ ଅଞ୍ଚଳକୁ ନିଜ ସୀମାଭୁକ୍ତ ବୋଲି ଦାବି କରିଆସୁଥିବା ପାକିସ୍ତାନକୁ ଚୀନ ସମର୍ଥନ କରୁଥିବା କାରଣରୁ ମଧ୍ୟ, ଯୁକ୍ତରାଷ୍ଟ୍ର ଆମେରିକାର ଖୋଲାଖୋଲି ସମର୍ଥନ ହାସଲ କରିବା ନୂଆଦିଲ୍ଲୀ ପାଇଁ ଗୁରୁତ୍ବପୂର୍ଣ୍ଣ ।