ଭୋପାଳ: ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ବର୍ତ୍ତମାନ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । ଏହାକୁ ନେଇ ଆଲୋଚନା-ପର୍ଯ୍ୟାଲୋଚନା ହେଉଛି । ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଅନେକ ବିବାଦ ଦେଖାଯାଇଛି । ଏପରିକି ଏହି ଫିଲ୍ମକୁ ନ ଦେଖିବା ପାଇଁ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ । ବହୁ ବାଦବିବାଦ ମଧ୍ୟରେ ସିନେମା ଘରକୁ ଆସିଛି ‘ଛପାକ’ । ଏହି ଚଳଚ୍ଚିତ୍ରକୁ ନେଇ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତଥା ଦଳର ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଦିଆ ।
‘ଛପାକ’ ଚଳଚ୍ଚିତ୍ରକୁ ନେଇ ପ୍ରତିକ୍ରିୟା ରଖିଲେ ଜ୍ୟୋତିରାଦିତ୍ୟ ସିନ୍ଦିଆ - politician on chhapaak
ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’କୁ ନେଇ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତଥା ଦଳର ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଦିଆ ।
ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, ‘ମୁଁ ପ୍ରତ୍ୟେକ ଚଳଚ୍ଚିତ୍ର ଦେଖି ଥାଏ ଏବଂ ଛପାକ ଚଳଚ୍ଚିତ୍ର ମଧ୍ୟ ଦେଖିବି । ଏହି ଫିଲ୍ମରେ ଅଭିନୟ କରିଥିବା ଦୀପିକା ପାଦୁକୋନଙ୍କୁ ନେଇ ଯେଉଁ ଟିପ୍ପଣୀ ଦିଆ ହେଉଛି, ତାହା ଆମର ସଂସ୍କୃତିରୁ ସମ୍ପୂର୍ଣ୍ଣ ବାହାରେ । ଆମେ ଯେତେ ନିନ୍ଦା କଲେ ମଧ୍ୟ ତାହା କମ ହେବ । ଏହି ଚଳଚ୍ଚିତ୍ର ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଚଳଚ୍ଚିତ୍ର । ଏହି ଦ୍ବାରା ମହିଳାଙ୍କ ଆତ୍ମବିଶ୍ବାସ ବଢିବ । ପ୍ରତ୍ୟେକ ବ୍ୟକ୍ତି ଏହାକୁ ନିହାତି ଦେଖିବା ଆବଶ୍ୟକ । ଦୀପିକାଙ୍କୁ ନେଇ ଯେଉଁ ଆଲୋଚନା-ପର୍ଯ୍ୟାଲୋଚନା ହେଉଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବା ଦରକାର । ତାଙ୍କର ଏହି ବୀରତା ପାଇଁ ତାଙ୍କୁ ହୃଦୟରୁ ଧନ୍ୟବାଦ । ’
ଜେଏନୟୁରେ ହୋଇଥିବା ହିଂସାକାଣ୍ଡକୁ ନେଇ ସେଠାକାର ଛାତ୍ରଙ୍କ ପକ୍ଷରୁ ଚାଲିଥିବା ଛାତ୍ର ଆନ୍ଦୋଳନରୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପହଞ୍ଚି ଥିଲେ ଦୀପିକା ପାଦୁକୋନ । ଯେଉଁଥିପାଇଁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା । ଏପରିକି ତାଙ୍କ ଅଭିନୀତ ଫିଲ୍ମ ‘ଛପାକ’ କୁ ନଦେଖିବା ପାଇଁ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ।