ଓଡିଶା

odisha

ETV Bharat / bharat

ଭାରତରେ ମିଳୁନି ନ୍ୟାୟ

ନୂଆ ନୂଆ ବୈଷୟିକ ଜ୍ଞାନକୌଶଳରେ ଅନେକ ଉନ୍ନତି ହେଉଛି, କିନ୍ତୁ ଅପରାଧ ଓ ଅତ୍ୟାଚାର କମିବା ନାଁ ନେଉନାହିଁ। ଆମର ନ୍ୟାୟପାଳିକା ଏବେ ବି ପୁରୁଣାକାଳିଆ ବ୍ୟବସ୍ଥାକୁ ଧରି ବସିଛି, ଦେଶରେ ନ୍ୟାୟ ପାଇବା ଏକ ମରୀଚିକା ପାଲଟିଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତରେ ମିଳୁନି ନ୍ୟାୟ
ଭାରତରେ ମିଳୁନି ନ୍ୟାୟ

By

Published : Aug 6, 2020, 5:01 PM IST

Updated : Aug 7, 2020, 6:13 PM IST

ନୂଆ ନୂଆ ବୈଷୟିକ ଜ୍ଞାନକୌଶଳରେ ଅନେକ ଉନ୍ନତି ହେଉଛି, କିନ୍ତୁ ଅପରାଧ ଓ ଅତ୍ୟାଚାର କମିବା ନାଁ ନେଉନାହିଁ। ଆମର ନ୍ୟାୟପାଳିକା ଏବେ ବି ପୁରୁଣାକାଳିଆ ବ୍ୟବସ୍ଥାକୁ ଧରି ବସିଛି, ଦେଶରେ ନ୍ୟାୟ ପାଇବା ଏକ ମରୀଚିକା ପାଲଟିଛି। 2001ରେ ତେହଲକା ଦ୍ବାରା ଅପରେସନ ୱେଷ୍ଚ ଏଣ୍ଡ ନାମରେ ହୋଇଥିବା ଏକ ଷ୍ଟିଙ୍ଗ ଅପରେସନରେ ଭାରତୀୟ ସେନା ବାହିନୀର ଚାଲିଥିବା ଦୁର୍ନୀତି ଏବଂ ତତ୍କାଳୀନ ଏନଡିଏ ସରକାର ଅମଳରେ ଗୋପନରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ ପର୍ଦ୍ଦା ଫାସ୍ ହୋଇଥିଲା। ଆଇନର ନିୟମ ବା ରୁଲ୍ ଅଫ୍ ଲ’ ତାଲିକାରେ 126ଟି ଦେଶ ମଧ୍ୟରେ ଭାରତର ସ୍ଥାନ 68 ବୋଲି ସେଣ୍ଟର ଫର ସୋସିଆଲ ଜଷ୍ଟିସ୍ ସହଯୋଗରେ ଟାଟା ଟ୍ରଷ୍ଟ ଦ୍ବାରା ପ୍ରସ୍ତୁତ ଦି ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ(2019)ରେ ପ୍ରକାଶ ପାଇଛି । ହିଂସାରେ ବୃଦ୍ଧି କାରଣରୁ ଭାରତକୁ ଜିଡିପିର 9 ପ୍ରତିଶତ ପାଖାପାଖି ମୂଲ୍ୟ ଦେବାକୁ ପଡୁଛି।

ପ୍ରତି ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବା ପ୍ରତ୍ୟେକ ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ପରମ୍ପରା ପାଲଟି ଯାଇଛି। କିନ୍ତୁ ସିଏଜି ଅତି ଅଳ୍ପ ଅନୁଦାନ ଏବଂ ବ୍ୟାପକ ଭ୍ରଷ୍ଟାଚାର ଉଲ୍ଲେଖ କରି ଏକ ଭିନ୍ନ ଚିତ୍ର ଦର୍ଶାଉଛି। 2001ରେ ଭାରତୀୟ ନ୍ୟୁଜ ମ୍ୟାଗାଜିନ ତେହଲକା ୱେଷ୍ଟ ଏଣ୍ଡ ଇଣ୍ଟରନ୍ୟାସନାଲ ନାମରେ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ଲଣ୍ଡନର ଏକ କାଳ୍ପନିକ କମ୍ପାନି ଗଠନ କରିଥିଲା। କିଛି ଅନିସନ୍ଧିତ୍ସୁ ସାମ୍ବାଦିକ ଥର୍ମାଲ କ୍ୟାମେରା ଏବଂ ଅନ୍ୟ ସାମରିକ ଯନ୍ତ୍ରପାତି ବିକ୍ରି କରିବା ବାହାନାରେ ଅନେକ ପ୍ରତିରକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ତେହଲକା ଏହି ଷ୍ଟିଙ୍ଗ୍ ଅପରେସନ କରିବା ପାଇଁ 10.8 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏହାମଧ୍ୟରୁ ସର୍ବାଧିକ ପରିମାଣ ଅଫିସର ଏବଂ ରାଜନେତାଙ୍କୁ ଲାଞ୍ଚ ଏବଂ କମିସନ ଦେବାରେ ଯାଇଥିଲା। କିନ୍ତୁ ଏହା ଭାରତରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଥିବା ଲୋଭ ଏବଂ ନୈତିକତାର ଘୋର ଅଭାବକୁ ପଦାରେ ପକାଇ ଦେଇଥିଲା।

ପ୍ରତିରକ୍ଷା ସାମଗ୍ରୀ କଣ୍ଟ୍ରାକ୍ଟ କରିବା ବେଳେ ଦୁର୍ନୀତି ଏକ ସାଧାରଣ କଥା ବୋଲି କହି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ ବଦନାମ ହେବାକୁ ପଡିଥିଲା। ସିନିଅର ସେକ୍ସନ ଅଫିସରଙ୍କୁ ଲାଞ୍ଚ ଦେବାରୁ ଆରମ୍ଭ କରି ଅପରେସନ ୱେଷ୍ଟ ଏଣ୍ଡ ବିଜେପି ମୁଖ୍ୟ ବାଙ୍ଗାରୁ ଲକ୍ଷ୍ମଣ ଏବଂ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ଯାଏଁ ପହଞ୍ଚି ଯାଇଥିଲା। ଷ୍ଟିଙ୍ଗ ଅପରେସନର ଭିଡିଓ ସିଡି ମାର୍ଚ୍ଚ 2001ରେ ରିଲିଜ ହୋଇଥିଲା ଯାହାକି ରାଜନୈତିକ ଝଡ଼ ସୃଷ୍ଟି କରିଥିଲା। ପ୍ରତିରକ୍ଷା ସାମଗ୍ରୀ କିଣିବା ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଇବା ପାଇଁ ଲକ୍ଷ୍ଣଣ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଦୃଶ୍ୟ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସମତା ପାର୍ଟିର ଜାତୀୟ ସଭାପତି ଏବଂ କୋଷାଧ୍ୟକ୍ଷ ଜୟା ଜେଟଲୀ ଏବଂ ଆର.କେ.ଜୈନ ମଧ୍ୟ ଲାଞ୍ଚ ନେଇଥିଲେ।

ଭ୍ରଷ୍ଟାଚାର ମାମଲାରେ କୋର୍ଟରେ ଅନେକ ପ୍ରତିରକ୍ଷା ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଥିଲେ, କିନ୍ତୁ ରାଜନେତାଙ୍କ ବିରୁଦ୍ଧରେ କୌଣସି ଗୁରୁତର ମାମଲା ଆସିନଥିଲା। ବହୁ ବର୍ଷର ତଦନ୍ତ ପରେ ଏକ ସିବିଆଇ ଅଦାଲତ ନିକଟରେ ପ୍ରତିରକ୍ଷା ଚୁକ୍ତି ସଂକ୍ରାନ୍ତ ଭ୍ରଷ୍ଟାଚାର ମାମଲାରେ ଜୟା ଜେଟଲୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜେଟଲୀଙ୍କୁ 4 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲେ ହେଁ ସଂଗେ ସଂଗେ ଜାମିନ ମଧ୍ୟ ମିଳିଯାଇଛି, ଯାହାକି ଭାରତରେ ଆଇନ କାନୁନର ପ୍ରକୃତ ସ୍ଥିତି ଦର୍ଶାଉଛି । ନିର୍ଦ୍ଦିଷ୍ଟ ପ୍ରମାଣ ସତ୍ତ୍ବେ ସିବିଆଇ କାହିଁକି ଚୂଡାନ୍ତ ରାୟ ଦେବାକୁ ଏତେ ଦିନ ନେଲା ?

ତେହଲକା ଅପରେସନ ପରବର୍ତ୍ତୀ ସମୟରେ ଜଷ୍ଟିସ କେ. ଭେଙ୍କଟସ୍ବାମୀଙ୍କ ଜଣିକିଆ କମିସନ ପ୍ରତିରକ୍ଷା ଚୁକ୍ତିରେ ହୋଇଥିବା ଦୁର୍ନୀତି ନେଇ ମ୍ୟାଗାଜିନ ପ୍ରକାଶ କରିଥିବା ସମସ୍ତ ଘଟଣାର ବିଚାର କରୁଥିଲେ। ଭେଙ୍କଟସ୍ବାମୀ ଏହି ବହୁ ଚର୍ଚ୍ଚିତ ମାମଲାର ଶୁଣାଣି 20 ମାସରେ 181 ଦିନ କରିଥିଲେ, କିନ୍ତୁ ରାଜନୈତିକ ଚାପ ଯୋଗୁଁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଅଧିକ ଶୁଣାଣି ପାଇଁ ତାଙ୍କୁ ଏକ ଅଥରିଟିର ଅଧ୍ୟକ୍ଷ କରାଯାଇଥିଲା, କିନ୍ତୁ ଏହା ବିରୁଦ୍ଧରେ ପ୍ରବଳ ହୋହଲା ହେବାରୁ ସେ ତେହଲକା ମାମଲାରୁ ନିଜ ଆଡୁ ଓହରିଯାଇଥିଲେ। ଏହାପରେ ଜୁଲାଇ 2003ରୁ ତେହଲକା ଟେପ୍ ମାମଲାର ବିଚାର କରି ଆସୁଥିବା ଫୁକାନ କମିସନର କାର୍ଯ୍ୟକାଳ ବଢାଇବାକୁ ତତ୍କାଳୀନ ୟୁପିଏ ସରକାର ମନା କରି ଦେଇଥିଲେ। ଜର୍ଜ ଫର୍ଣ୍ଣାଣ୍ଡେଜଙ୍କୁ କ୍ଲିନ ଚିଟ୍ ଦେବାକୁ ଏସ.ଏନ.ଫୁକାନଙ୍କ ସହ ୟୁପିଏ ସରକାର ରାଜି ନଥିବା କଥାକୁ କେହି ଅସ୍ବୀକାର କରି ପାରିବେ ନାହିଁ। ସିବିଆଇ ରାଜନେତା ଏବଂ ପ୍ରତିରକ୍ଷା ଅଫିସରଙ୍କ ଉପରେ ମୋଟ 9ଟି ମାମଲା ରୁଜୁ କରିଥିଲା। ବାଙ୍ଗାରୁ ଲକ୍ଷ୍ମଣଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସ୍ବତନ୍ତ୍ର ସିବିଆଇ କୋର୍ଟକୁ 4 ବର୍ଷ ଲାଗିଗଲା। ଜୟା ଜେଟଲୀଙ୍କ ମାମଲାରେ କୋର୍ଟକୁ 8 ବର୍ଷ ଲାଗିଗଲା।

ନ୍ୟାୟ ପାଇବା ଭାରତରେ ସାଧାରଣ ଲୋକଙ୍କ ପାଇଁ ଏକ ଭେଳିକି ଛଡ଼ା ଆଉ କିଛି ନୁହେଁ। ସିବିଆଇର ସ୍ବତନ୍ତ୍ରତା ରକ୍ଷା ପାଇଁ 1997ରେ ସୁପ୍ରିମକୋର୍ଟ ଏକ ନିୟମାବଳି ପ୍ରଦାନ କରିଥିଲେ। ଇଂଲଣ୍ଡରେ ଥିବା ପ୍ରସିକ୍ୟୁସନ ଡାଇରେକ୍ଟରଙ୍କ ଢାଞ୍ଚାରେ ଏକ ନିରପେକ୍ଷ ଏଜେନ୍ସୀ ଗଠନ ପାଇଁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ ଏବଂ ସିବିଆଇ ଓ ଇଡିର ପରିଚାଳନା ଏକ ରେଗୁଲେଟରୀ ଏଜେନ୍ସିକୁ ଦେବାକୁ ମଧ୍ୟ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସରକାର ଏସବୁ ଗାଇଡଲାଇନକୁ ଭୁଲିଯାଇ କେନ୍ଦ୍ରୀୟ ଯାଞ୍ଚକାରୀ ସଂସ୍ଥାକୁ ସରକାରଙ୍କ ଆଉ ଏକ ଶାଖାରେ ପରିଣତ କରି ଦେଇଛନ୍ତି।

ଦକ୍ଷିଣ କୋରିଆ କଥା ଉଦାହରଣକୁ ନେଲେ ସେଠାକାର ରାଷ୍ଟ୍ରପତିଙ୍କୁ ଭ୍ରଷ୍ଟାଚାର ପାଇଁ 15 ବର୍ଷ ଜେଲଦଣ୍ଡ ହୋଇଛି। ଅଥଚ ବିଶ୍ବର ବୃହତ ଗଣତନ୍ତ୍ର ବୋଲି ଗର୍ବ କରି ଆସୁଥିବା ଭାରତରେ ସ୍ଥିତି ସମ୍ପୂର୍ଣ୍ଣ ବିପରିତ। ପୁରୁଣାକାଳିଆ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଏବଂ ତଥ୍ୟଗତ ପ୍ରମାଣ ଆଇନରେ ସଂସ୍କାର ଆବଶ୍ୟକ। ନୂଆ ନୂଆ ବିଚାର ପ୍ରଣାଣି ଏବଂ ନ୍ୟାୟ ବିଚାରରେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଗଲେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ନିଶ୍ଚିତ କରିହେବ। ଏହାଦ୍ବାରା ଭ୍ରଷ୍ଟାଚାର ମାମଲା ଗୁଡିକର ବର୍ଷ ବର୍ଷ ବିଚାର ବ୍ୟବସ୍ଥାର ଅବସାନ ହେବ ଏବଂ ଭାରତୀୟ ରାଜନୀତିରେ ଅପରାଧୀକରଣର ମାତ୍ରା କମିବ।

Last Updated : Aug 7, 2020, 6:13 PM IST

ABOUT THE AUTHOR

...view details