ନୂଆଦିଲ୍ଲୀ: ସେପ୍ଟେମ୍ବର 11 ଠାରୁ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ବୟାନ ରେକର୍ଡ ହେବ । ତେବେ ପୀଡିତାଙ୍କ ବୟାନ କୌଣସି ଅଦାଲତରେ ନୁହେଁ ବରଂ ଏମ୍ସର ଅସ୍ଥାୟୀ କୋର୍ଟରେ ରେକର୍ଡ କରାଯିବ । ଏହି ମାମଲାରେ ଶୁଣାଣି କରୁଥିବା ଜଜ ଧର୍ମେଶ ଶର୍ମା ବୁଧବାରଠାରୁ ଏମ୍ସର ଅସ୍ଥାୟୀ କୋର୍ଟକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିବେ । ଏକ ବନ୍ଦ କୋଠରୀରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ ।
ସେପଟେ ସେପ୍ଟମ୍ବର 2 ତାରିଖରେ ସୁପ୍ରିମକୋର୍ଟ ପୀଡିତାଙ୍କ ଶୁଣାଣି କରୁଥିବା ଦିଲ୍ଲୀର ତିସ ହଜାରୀ କୋର୍ଟଙ୍କୁ ପ୍ରଶ୍ନ କରିଥିଲେ ଯେ ଏହି ମାମଲାର ଶୁଣାଣି ପାଇଁ ଆଉ କେତେଦିନ ସମୟ ଲାଗିବ । ଏହାର ଉତ୍ତରରେ ଜଜ ଆହୁରି 45 ଦିନର ସମୟ ମାଗିଥିଲେ । ଆବଶ୍ୟକ ପଡିଲେ ଦିନ ବଢି ଯାଇ ପାରେ ବୋଲି ଜଜ କହିଥିଲେ । ତେବେ ପୀଡିତାଙ୍କ ବୟାନ ରେକର୍ଡ କରିବା ପାଇଁ ଏମ୍ସରେ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରାଯାଉ ବୋଲି ଜଜ ଧର୍ମେଶ ଶର୍ମା ନୂଆଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ତାଙ୍କର ଦାବି ଏବଂ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଦିଲ୍ଲୀ ହାଇକୋର୍ଟ ସେପ୍ଟେମ୍ବର 6 ତାରିଖରେ ଏମ୍ସର ଟ୍ରାମା ସେଣ୍ଟର ପରିସରରେ ଏକ ଅସ୍ଥାୟୀ କୋର୍ଟ ନିର୍ମାଣ କରିବା ପାଇଁ ଅନୁମତି ଦେଇଥିଲେ ।