ଭୋପାଳ: ପୁଣି ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା। ଲକ୍ଷ୍ନୌ ବିଜୟ ନଗରର ସାମ୍ବାଦିକଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଆଉ ଜଣେ ସାମ୍ବାଦିକ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଘଟଣାଟି ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲାରେ ଘଟିଛି। ଜମିଜମା ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମ୍ବାଦିକ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି।
ଜମି ବିବାଦକୁ କେନ୍ଦ୍ରକରି ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା, ମାମଲା ରୁଜୁ - land dispute
ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲାରେ ଅଘଟଣ। ଜମିଜମା ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମ୍ବାଦିକ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। 7 ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।
ମୃତ ସାମ୍ବାଦିକଙ୍କ ନାମ ସୁନୀଲ ତିୱାରୀ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ ବୁଧବାର ,ଜୁଲାଇ 22 ସନ୍ଧ୍ୟାରେ ପୁଟ୍ରି ଖେରା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ତେବେ ଘଟଣାସ୍ଥଳକୁ ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ରତୀଭା ତ୍ରିପାଠୀ ପରିଦର୍ଶନ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି। ତାଙ୍କ କହିବା ଅନୁସାରେ , ପ୍ରାଥମିକ ତଦନ୍ତରୁ ଏହା ଜମି ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ପୂର୍ବରୁ ଏହାକୁ ନେଇ ଅଭିଯୋଗ ଥିବା ବେଳେ,ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ସେ କହିଛନ୍ତି ଯେ ଧାରା 302 (ହତ୍ୟା) ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଅନ୍ୟ ସମ୍ପୃକ୍ତ ବିଭାଗ ଅଧୀନରେ 7 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି। ଖବର ଅନୁଯାୟୀ, ତିୱାରୀ ଦୁଇ ମାସ ପୂର୍ବେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାଇଥିଲେ। ଏହାସହ ତାଙ୍କୁ ହତ୍ୟା କରିବାର ଧମକ ଦେଇଥିବା ତିନି ଜଣଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ।