ନୂଆଦିଲ୍ଲୀ: ଜେଏନୟୁରେ ରବିବାର ଘଟିଥିବା ହିଂସାକାଣ୍ଡ ପାଇଁ ଆରଏସଏସ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ଦାୟୀ କରିଛନ୍ତି ଛାତ୍ର ସଂସଦ ସଭାପତି ଆଇଶି ଘୋଷ । ଏହା ସହିତ ମାମଲାର ତତ୍କାଳ ତଦନ୍ତ ଏବଂ ଜେଏନୟୁ କୁଳପତିଙ୍କ ବରଖାସ୍ତ ଦାବି କରିଛନ୍ତି ସେ ।
ଜେଏନୟୁ ହିଂସାକାଣ୍ଡ: କୁଳପତିଙ୍କ ବରଖାସ୍ତ ଦାବି କଲେ ଆଇଶି ଘୋଷ
ଜେଏନୟୁରେ ରବିବାର ଘଟିଥିବା ହିଂସାକାଣ୍ଡ ପାଇଁ ଆରଏସଏସ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ଦାୟୀ କରିଛନ୍ତି ଛାତ୍ର ସଂସଦ ସଭାପତି ଆଇଶି ଘୋଷ । ଜାଣନ୍ତୁ ସେ ଆଉ କ'ଣ କହିଛନ୍ତି..
ରବିବାର ହିଂସାକାଣ୍ଡରେ ଗଭୀର ଆହତ ହୋଇଥିବା ଆଇଶି ଏମ୍ସରେ ଚିକିତ୍ସା ପରେ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, "ରବିବାରର ହିଂସାକାଣ୍ଡରେ ଆରଏସଏସ ଏବଂ ଏବିଭିପି ଗୁଣ୍ଡାଙ୍କର ହାତ ରହିଛି । ଗତ 4-5ଦିନରୁ ଆରଏସଏସ ସହ ଜଡିତ ପ୍ରଫେସର ଜେଏନୟୁ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ହିଂସା ଉସୁକାଉଥିଲେ । ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା । ସେମାନେ ଛାତ୍ରମାନଙ୍କୁ ବାଛି ବାଛି ଆକ୍ରମଣ କରୁଥିଲେ । ଜେଏନୟୁ ସୁରକ୍ଷାକର୍ମୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ସମ୍ପର୍କ ଥିଲା । ତେଣୁ ସେମାନେ ଏହି ହିଂସାକାଣ୍ଡକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ଆଇଶି କହିଛନ୍ତି" ।
ସେ ଆହୁରି କହିଛନ୍ତି ଯେ, "ଜେଏନୟୁର ଗଣତାନ୍ତ୍ରିକ ସଂସ୍କୃତିକୁ ଦଳିଦେବାର ପ୍ରୟାସ କରାଯାଉଛି । କିନ୍ତୁ ଏହା କେବେ ସଫଳ ହେବନାହିଁ । ଛାତ୍ରଙ୍କ ବିରୋଧରେ ବ୍ୟବହାର ହୋଇଥିବା ଲୁହା ରଡର ଜବାବ ବାଦ-ବିବାଦ ଏବଂ ଆଲୋଚନା ଜରିଆରେ ଦିଆଯିବ । ଜେଏନୟୁର ସଂସ୍କୃତି ନଷ୍ଟ ହେବନାହିଁ । ଆମେ ଏହାକୁ ନଷ୍ଟ ହେବାକୁ ଦେବୁନାହିଁ" ବୋଲି ସେ କହିଛନ୍ତି ।