ପାଟନା: ଚାରା ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ଝଟକା । ଝାଡଖଣ୍ଡ ହାଇକୋର୍ଟ ଦ୍ବାରା ଶୁକ୍ରବାର ତାଙ୍କର ଜାମିନ ଆବେଦନ ଖାରଜ କରାଯାଇଛି । ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଦୁମକା କୋଷାଗାର ମାମଲାରେ ସେ ଜାମିନ ଆବେଦନ କରିଥିଲେ ।
ଚାରା ଦୁର୍ନୀତି ମାମଲା: ଲାଲୁଙ୍କ ଜାମିନ ଆବେଦନ ଖାରଜ - ଚାରା ଦୁର୍ନୀତି ମାମଲା
ଚାରା ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଖାରଜ କରାଯାଇଛି ।
ଜଷ୍ଟିସ ଅପରେଶ କୁମାର ଲାଲୁଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ସିବିଆଇର ସ୍ବତନ୍ତ୍ର ଅଦାଲତଠାରୁ ମିଳିଥିବା ଜେଲଦଣ୍ଡର ଅଧା ସମୟ ମଧ୍ୟ କାଟିନଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ନ୍ୟାୟାଧୀଶ ଅପରେଶ କୁମାର କହିଛନ୍ତି । ସିବିଆଇ ସ୍ବତନ୍ତ୍ର କୋର୍ଟ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ 7 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।
ସୂଚନା ଯୋଗ୍ୟ ଯେ, ଲାଲୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପଶୁପାଳନ ବିଭାଗରେ 900 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଚାରା ଦୁର୍ନୀତି ହୋଇଥିଲା । ଏହି ମାମଲା ସହ ଜଡିତ 4ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହେବାପରେ ଦଣ୍ଡ ମିଳିଛି । ଏଥିମଧ୍ୟରୁ ଗୋଟିଏ ମାମଲାରେ ଲାଲୁଙ୍କୁ ଜାମିନ ମିଳିଛି । ସେପଟେ ଦୋରାଂଗ କୋଷାଗାର ସହ ଜଡିତ 5ମ ମାମଲାରେ ରାଞ୍ଚିର ସ୍ବତନ୍ତ୍ର ଅଦାଲତରେ ତାଙ୍କ ବିରୋଧରେ ଶୁଣାଣି ଚାଲିଛି । 2017ରୁ ଜେଲରେ ବନ୍ଦୀ ଥିବା ଲାଲୁଙ୍କର ବର୍ତ୍ତମାନ ରାଞ୍ଚି ମେଡିକାଲରେ ଚିକିତ୍ସା ଚାଲିଛି ।