ରାଞ୍ଚି: ଆଜି ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଖବର ପ୍ରସାରିତ ହେବା ପରେ ଲକଡାଉନ ଅବଧି ପୁଣି ଥରେ ବଢିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୋଦିଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପ୍ରଥମେ ବିପଦରେ ପକାଇଥାନ୍ତି ପରେ ଏଥିପାଇଁ କ୍ଷମା ବି ମାଗିଥାନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଆଜି ଯେଉଁ ନଦୀର ପ୍ରବାହର ଦିଗ ବଦଳିଯାଇଛି, ଶ୍ରମିକ ମାନେ ଯେଉଁ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି, ମୋ ରାଜ୍ୟର ଲୋକମାନେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି ତାହା କେବଳ ସେଠାରେ ପ୍ରବାସୀମାନେ ହିଁ କହିପାରିବେ ।
ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ମୋଦି ଶ୍ରମିକଙ୍କ ଲୁଚି ପଳେଇ ଆସିବାକୁ ନେଇ କ୍ଷମା ମାଗିଥିଲେ । ମନ କି ବାତରେ ମୋଦି କୋରୋନା ମୁକାବିଲା ପାଇଁ ଲକଡାଉନ ପରି କଠିନ ନିଷ୍ପତ୍ତି ନେଇଥିବାରୁ ଦେଶବାସୀଙ୍କୁ କ୍ଷମା ମାଗିଥିଲେ । ସେ କହିଥିଲେ ଯେ, ଏଭଳି ନିଷ୍ପତ୍ତି ଯୋଗୁଁ ଅନେକ ଲୋକ ମୋ ଉପରେ ରାଗିଥିବେ । କାରଣ ଲକଡାଉନ ଯୋଗୁ ଅନେକଙ୍କୁ କଷ୍ଟ ସହିବାକୁ ପଡ଼ୁଛି । ମାତ୍ର କୋରୋନା ମୁକାବିଲା ଏବଂ ଆପଣଙ୍କ ଜୀବନ ବଞ୍ଚାଇବାକୁ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ।
ସେପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଆମ ରାଜ୍ୟ । ରେଳବାଇକୁ ସର୍ବାଧିକ ରାଜସ୍ୱ ଆମେ ଦେଇଥାଉ । କିନ୍ତୁ ଏହି ରାଜ୍ୟର ଶ୍ରମିକମାନଙ୍କୁ ଘରକୁ ଫେରିବା ପାଇଁ ରେଳ ଭଡା ଦେବାକୁ ପଡିଛି । ଏହାଠାରୁ ଦୁର୍ଭାଗ୍ୟଜନକ କଥା କିଛି ନୁହେଁ । ଆମ ପାଖରେ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ପର୍ଯ୍ୟାପ୍ତ ସମ୍ବଳ ନାହିଁ ।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଝାଡଖଣ୍ଡରେ ଲକଡାଉନରେ କୌଣସି ପ୍ରକାର ଛାଡ ଦିଆଯାଇନାହିଁ । ଏପର୍ଯ୍ୟନ୍ତ ରାଜ୍ୟ ସମ୍ପୂର୍ଣ୍ଣ ତାଲାବନ୍ଦ ରହିଛି । ରମଜାନ ସମୟରେ ତାଲାବନ୍ଦ କୋହଳ କରିବା ଦ୍ବାରା ଲୋକମାନେ ବାହାରକୁ ବାହାରିବେ । ଯଦ୍ବାରା ପରିସ୍ଥିତି ଖରାପ ହୋଇପାରେ । ଯାହାକୁ ଦୃଷ୍ଟିରେ ରଖି ଆମେ ତାଲାବନ୍ଦ ନିୟମ ବନ୍ଦ କରିନାହୁଁ । ତୃତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମେ 17 ପର୍ଯ୍ୟନ୍ତ ନିଷ୍ପତ୍ତି ନେଇଛନ୍ତି । ସେ ଆମର ଅଧିନାୟକ ଏବଂ ତାଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି ହେବ ।