ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ପଲିଟିକ୍ସ; ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଟକ୍କର ଦେବେ ଗୌରଭ ବଲ୍ଲଭ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଗୋଟି ଚାଳନା। ମହାମେଣ୍ଟ ଶାସକ ଦଳକୁ ହଟାଇ କ୍ଷମତାକୁ ଫେରିବା ପାଇଁ ପ୍ରୟାସ କରୁଥିବା ବେଳେ ଶାସକ ବିଜେପି ପୁନର୍ବାର କ୍ଷମତା ବଜାୟ ରଖିବା ପାଇଁ ଚଳାଇଛି ରଣନୀତି।

By

Published : Nov 17, 2019, 1:39 PM IST

Updated : Nov 17, 2019, 4:17 PM IST

ଝାଡଖଣ୍ଡ ପଲିଟିକ୍ସ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ଏହି ଆସନରୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଗୌରଭ ବଲ୍ଲଭଙ୍କୁ ପ୍ରାର୍ଥୀ କରିଛି। ଏନେଇ ଦଳ ବିଧିବଦ୍ଧ ଭାବେ ଗୌରଭଙ୍କ ନାଁ ଘୋଷଣା କରିଛି।

ଗୌରଭ ବଲ୍ଲଭ ଜାମସେଦପୁର ସ୍ଥିତ ଏକ୍ସଏଲଆରଆଇ ମ୍ୟାନେଜମେଣ୍ଟ ମହାବିଦ୍ୟାଳୟରେ ପ୍ରଫେସର ଅଛନ୍ତି । ଜଣେ ସ୍ପଷ୍ଟ ବକ୍ତା, ପ୍ରଚଣ୍ଡ ଶବ୍ଦ ଆକ୍ରମଣରେ ସିଦ୍ଧହସ୍ତ ଗୌରବ ଜାତୀୟ ସ୍ତରରେ ଦଳର ପ୍ରସଙ୍ଗକୁ ଦୃଢତାର ସହ ରଖିଥାନ୍ତି । ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରିବା ଏବେ ବିଜେପି ପାଇଁ ଚିନ୍ତା ବଢାଇ ଦେଇଛି। ଝାଡଖଣ୍ଡରେ ଆରଜେଡି, ଜେଏମଏମ ଓ କଂଗ୍ରେସ ମଧ୍ୟରେ ଗଠବନ୍ଧନ ହୋଇଛି । ଏହି ଗଠବନ୍ଧନରେ କଂଗ୍ରେସକୁ 31 ସିଟ ମିଳିଛି ।

ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ଲଗାତାର 5ଥର ହେଲା ବିଜୟୀ ହୋଇ ଆସୁଛନ୍ତି । 2005ରେ ଏହି ଆସନରୁ ରଘୁବର ଦାସ କଂଗ୍ରେସ ପ୍ରାର୍ଥୀ ରାମ ଆସରେ ପ୍ରସାଦଙ୍କୁ ପରାସ୍ତ କରିଥିଲେ । ଏହାପରେ 2009ରେ ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଭୟ ସିଂକୁ ପରାସ୍ତ କରିଥିଲେ । 2014 ନିର୍ବାଚନରେ ପୁଣି କଂଗ୍ରେସ ପ୍ରାର୍ଥୀ ଆନନ୍ଦ ବିହାରୀଙ୍କୁ ପରାସ୍ତ କରି ହ୍ୟାଟ୍ରିକ ବିଜୟୀ ହୋଇଥିଲେ ।

ଝାଡଖଣ୍ଡରେ ଆସନ୍ତା 30ରୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଶାସକ ବିଜେପି ତାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପଞ୍ଚମ ପର୍ଯ୍ୟାୟରେ ବିଜେପି 3ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୋଟ 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ପାଇଁ ବର୍ତ୍ତମାନ ସୁଦ୍ଧା ଦଳ 71ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ସୂଚନାଯୋଗ୍ୟ ଯେ ବିଜେପି ଏକାକୀ ଏଠାରେ ନିର୍ବାଚନ ଲଢୁଛି।

ସେପଟେ ଦଳ ତାର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଦଳର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ।

ଏହାସହ ଅଭିନେତାରୁ ରାଜନେତା ହୋଇଥିବା ତଥା ପଞ୍ଜାବ ଗୁରୁଦାସପୁର ସାଂସଦ ସନ୍ନି ଦେଓଲ, ଅଭିନେତା ସାଂସଦ ମନୋଜ ତିୱାରୀ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି। ଚଳିତ ମାସ 30ରୁ ଆସନ୍ତା ଡିସେମ୍ବର 20ଯାଏଁ 5ଟି ପର୍ଯ୍ୟାୟରେ ଝାଡଖଣ୍ଡ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Last Updated : Nov 17, 2019, 4:17 PM IST

ABOUT THE AUTHOR

...view details