ଓଡିଶା

odisha

ETV Bharat / bharat

ସୋମବାର ଝାଡଖଣ୍ଡ ଫଳ; ଆଶା ଆଶଙ୍କାରେ ଗୈରିକ ଦଳ

ସୋମବାର ଆସିବ ଝାଡଖଣ୍ଡ ବିଧାନସଭା ଫଳ। ସମସ୍ତ ପୂର୍ବାନୁମାନ ଏବେ ଶାସକ ଦଳର ହୃତକମ୍ପନ ବଢାଇ ଦେଇଛି। ରାଞ୍ଚିରୁ ଦିଲ୍ଲୀ ଯାଏଁ ଆରମ୍ଭ ହୋଇଛି ଅଙ୍କକଷା। କଣ କହୁଛି ବିଜେପି ଅଙ୍କ ପଢନ୍ତୁ...

By

Published : Dec 22, 2019, 7:50 PM IST

Updated : Dec 22, 2019, 8:37 PM IST

PHOTO
jharkhand assembly

ରାଞ୍ଚି: ଝାଡଖଣ୍ଡରେ ପୁଣିଥରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ କ୍ଷମତା ବଜାୟ ରଖିବେ ନା ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ପୂରଣ ହେବ ହେମନ୍ତ ସୋରେନଙ୍କ। ଏହି ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ ଆଉ ମାତ୍ର କେଇ ଘଣ୍ଟା ପରେ। ଝାଡଖଣ୍ଡ ବିଧାନସଭାରେ ପ୍ରତିଦ୍ବନ୍ଦିତା କରିଥିବା ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ସୋମବାର ସକାଳୁ ଜଣାପଡିବ ବିଜେପିର ‘ଅବ୍‌ 65 ପାର’ ସତ ହେବ ନା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କଂଗ୍ରେସ ଓ ଆରଜେଡିର ଲକ୍ଷ୍ୟ ହାସଲ ହେବ।

19 ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଜାତୀୟ ଗଣମାଧ୍ୟମର ଏକଜିଟ ପୋଲ ବିଜେପିର ହୋସ ଉଡାଇ ଦେଇଛି। କାରଣ ବିଜେପି କ୍ଷମତାରୁ ଯାଉଥିବା ସମସ୍ତ ସର୍ବେକ୍ଷଣକାରୀ ସଂସ୍ଥା ପୂର୍ବାନୁମାନ ଲଗାଇଛନ୍ତି। ଏକଜିଟ ପୋଲ ବି ଅନେକ ସମୟରେ ଭୁଲ ପ୍ରମାଣିତ ହୋଇଥିବା ନଜିର ରହିଛି। ଏହା ମଧ୍ୟ ଆଶଙ୍କା ଲାଗି ରହିଛି ଯେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ଆସନ ମଧ୍ୟ ବଞ୍ଚାଇ ପାରୁନାହାଁନ୍ତି। ସେ କଂଗ୍ରେସ ପ୍ରାର୍ଥୀ ତଥା ପ୍ରଫେସର ଗୌରଭ ବଲ୍ଲଭଙ୍କ ଠାରୁ ପରାଜିତ ହେଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି।


ଅନ୍ୟପଟେ ମୋଦି ଦ୍ବିତୀୟ ଥର ପ୍ରଧାନ ମନ୍ତ୍ରୀ ହେବାପରେ ଝାଡଖଣ୍ଡ ହେଉଛି ତୃତୀୟ ରାଜ୍ୟ ଯେଉଁଠି ଦଳ ନିର୍ବାଚନ ଲଢିଛି । ପୂର୍ବରୁ ମହାରାଷ୍ଟ୍ର ଓ ହରିୟାଣାରେ ଦଳ ନିର୍ବାଚନ ଲଢିସାରିଛି। ହରିୟାଣାରେ ନିଜ ଦମରେ ସରକାର ଗଠନ କରିବାରେ ବିଫଳ ହେବାପରେ ମେଣ୍ଟ କରି ସରକାର ବଞ୍ଚାଇବାକୁ ସକ୍ଷମ ହୋଇଛି। ହେଲେ ମହାରାଷ୍ଟ୍ରରେ ଦଳ ଫସିଗଲା ଶିବସେନାର ଜାଲରେ। ଉଭୟ ଦଳ ନିର୍ବାଚନରେ ମେଣ୍ଟ କରିଥିଲେ ମଧ୍ୟ ସେନା ବିଜେପିକୁ ଯେଉଁଭଳି ଭାବେ ଛାଡି କ୍ଷମତା ଦଖଲ କରିନେଲା ତାହା ବିଜେପିର ଦଳୀୟ ସମ୍ବିଧାନରେ ଲିପିବଦ୍ଧ ହୋଇ ରହିବ। ଏହା ସତ ଯେ, ବିଜେପି ମହାରାଷ୍ଟ୍ରରେ ଯେଉଁ ସଫଳତା ପାଇଛି ଦଳ ଏକାକୀ ନିର୍ବାଚନ ଲଢିଥିଲେ ମଧ୍ୟ ବିଜୟୀ ହୋଇଥାନ୍ତା।


ଏହି ଦୁଇ ରାଜ୍ୟରୁ ଦଳ ଶିକ୍ଷା ଲାଭ କରି ଝାଡଖଣ୍ଡରେ ରଣନୀତି ବଦଳାଇବାକୁ ବାଧ୍ୟ ହୋଇଥିଲା। କାହିଁକି ନା 2016 ପର ଠାରୁ ଦଳ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରୁଥିଲା। ହେଲେ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଛି। ଯାହା ବିଜେପିର ରଣନୀତିକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଯଦି ଦଳ ଝାଡଖଣ୍ଡରେ ପରାଜିତ ହୁଏ ଦଳକୁ ସ୍ବୀକାର କରିବାକୁ ପଡିବଯେ ‘ଡବଲ ଇଞ୍ଜିନ ସଂଳାପ’ ଲୋକେ ଗ୍ରହଣ କରୁନାହାଁନ୍ତି। ଏକଜିଟ ପୋଲର ଆକଳନକୁ ମାନିବାକୁ ପ୍ରସ୍ତୁତ ନାହାଁନ୍ତି ବିଜେପି ନେତୃବୃନ୍ଦ। କାରଣ ପୂର୍ବରୁ ମଧ୍ୟ ପ୍ରଦେଶ, ଛତିଶଗଡରେ ଏକଜିଟ ପୋଲ ଫେଲ ମାରିଛି। ଏହାସହ ବିଜେପି ଝାଡଖଣ୍ଡ ବଞ୍ଚାଇବା ପାଇଁ ଭିନ୍ନ ରଣନୀତି ଆପଣାଇଥିଲା।

ଦଳର ସମସ୍ତ 11ଜଣ ସାଂସଦ ଏହି ରଣନୀତିର ଗୋଟିଏ ଗୋଟିଏ ଅଙ୍ଗ ଥିଲେ। ଦଳୀୟ ସଭାପତି ଅମିତ ଶାହା ସାଂସଦଙ୍କୁ ଏଥିପାଇଁ ସ୍ବତନ୍ତ୍ର ମନ୍ତ୍ରଣା ଦେବାସହ ଏକ ପ୍ରକାର ଟାର୍ଗେଟ ଦେଇଥିଲା। ନିର୍ବାଚନ ପରିଚାଳନାରେ ଦଳର ସ୍ଥାନୀୟ ସାଂସଦଙ୍କ ପରାମର୍ଶ ଅନୁଯାୟୀ ରଣନୀତି ହୋଇଛି। ଗତ 2014ରେ ଦଳ 37ଟି ଆସନରେ ବିଜୟୀ ହୋଇ ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ (ଆଜୁସ) ସହ ମେଣ୍ଟ କରି ସରକାର କରିଥିଲା। ଏହି ନିର୍ବାଚନରେ ଉଭୟ ଦଳ ଅଲଗା ନିର୍ବାଚନ ଲଢିଛନ୍ତି। ନିର୍ବାଚନ ଫଳକୁ ଦେଖି ପୁଣିଥରେ ଏକାଠି ହୋଇପାରନ୍ତି। ମୋଟ 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ଚଳିତ ନିର୍ବାଚନରେ ବିଜେପି 80ଟି ଆସନରେ ନିର୍ବାଚନ ଲଢିଥିବା ବେଳେ ଗୋଟିଏ ଆସନ ସ୍ବାଧିନ ପ୍ରାର୍ଥୀଙ୍କୁ ଛାଡିଛି।

Last Updated : Dec 22, 2019, 8:37 PM IST

ABOUT THE AUTHOR

...view details