ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ । ଏହି ଭିଡିଓରେ ପ୍ରତିଶୋଧ ନେବା କଥା କୁହାଯାଇଛି । ପବିତ୍ର ଗ୍ରନ୍ଥ କୁରାନ ଶରୀଫର ନାଁ ନେଇ ଭିଡିଓରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ହତ୍ୟା କରିଛନ୍ତି ତାହେଲେ ତାଙ୍କୁ କ୍ଷମା ଦିଆଯିବନାହିଁ ।
ଭିଡିଓରେ କୁହାଯାଇଛି ଯେ, ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନିଆଯିବ । ଯେଉଁ ଭଳି ତୁମେ ମୁସଲମାନଙ୍କୁ ହଇରାଣ କରୁଛ ଏବଂ ତାଙ୍କ ଘର ଜଳାଉଛ ତାହାର ପ୍ରତିଶୋଧ ନିଆଯିବ । ତେବେ ଏହି ଧମକ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ଜଣା ପଡୁଛି ।
ସେପଟେ ସୁରକ୍ଷା ଏଜେନ୍ସି ଏନେଇ ତଦନ୍ତ କରିବା ପରେ ଜଣା ପଡିଛି ଯେ, ଚଳିତ ମାସ ପ୍ରାରମ୍ଭରେ ପିଓକେରେ ଆତଙ୍କବାଦୀ ସଂଗଠନଙ୍କର ଏକ ବୈଠକ ହୋଇଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ପାକିସ୍ତାନୀ ସେନା ଅଧିକାରୀ ମଧ୍ୟ ଏହି ବୈଠକରେ ସାମିଲ ଥିଲେ । ଆତଙ୍କବାଦୀ ସଂଗଠନ ହଜିବୁଲ ମୁଜାହିଦ୍ଦୀନକୁ ସକ୍ରିୟ କରାଯିବା ନେଇ ମଧ୍ୟ ଏଥିରେ ନିଷ୍ପତ୍ତି ନିଆଯାଇଛି । ତେବେ ମୁଜାହିଦ୍ଦୀନରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବଦଳରେ କାଶ୍ମୀରର ଆତଙ୍କବାଦୀଙ୍କୁ ସାମିଲ କରାଯିବ । ଲସ୍କର ଏବଂ ଜୈଶର ଆତଙ୍କବାଦୀ କାର୍ଯ୍ୟକଳାପର ଦାୟିତ୍ବ ହଦିବୁଲକୁ ଦିଆଯିବ ବୋଲି ଏଥିରେ କୁହାଯାଇଛି ।