ବେଙ୍ଗାଲୁରୁ: କୋରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସାମ୍ବାଦିକ ମାନଙ୍କ କୋରୋନା ପରୀକ୍ଷାର ଆୟୋଜନ କରାଯାଉଛି । ଏଥିରେ କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ସାମିଲ ହୋଇଛନ୍ତି । ଉକ୍ତ ରାଜ୍ୟର ସରକାରଙ୍କ ଅନୁଯାୟୀ, ସାମ୍ବାଦିକ ମଧ୍ୟ କୋରୋନା ଲଢେଇରେ ଆଗ ଧାଡିର ଯୋଦ୍ଧା । ଯିଏ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ପ୍ରତି ମୂହୂର୍ତ୍ତର ଖବର ଦେଉଛନ୍ତି ।
ହେଲେ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯିଏ କି ନିଜକୁ ପ୍ରଥମେ ପ୍ରାଧାନ୍ୟ ଦେଇଥାନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ ମାଣ୍ଡ୍ୟା ସହରରେ । ଏଠାର ସ୍ଥାନୀୟ ଲୋକେ ସାମ୍ବାଦିକଙ୍କ କୋରୋନା ପରୀକ୍ଷାକୁ ବିରୋଧ କରିଛନ୍ତି ।
ମାଣ୍ଡ୍ୟାର ଡେପ୍ୟୁଟି କମିଶନର ଏମଭି ଭେଙ୍କଟେଶ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ମାଣ୍ଡ୍ୟା ସ୍ଥିତ ଆମ୍ବେଦକର ଭବନରେ ସାମ୍ବାଦିକଙ୍କ କୋରୋନା ପରୀକ୍ଷା କରାଯାଉଥିଲା । ହେଲେ ଜନତା ଦଳ ସେକୁଲାର(ଜେଡିଏସ) ର ଏମଏଲସି ଏବଂ ତାଙ୍କ ପୁଅ ସମେତ କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ।