ରାୟପୁର: ବର୍ତ୍ତମାନ ସମୟରେ ଅନେକ ବିବାଦ ଘେରରେ ଛନ୍ଦି ହୋଇ ପଡ଼ୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) । ଛତିଶଗଡ଼ ଜଶପୁର ଶିକ୍ଷା ଉପଖଣ୍ଡର ବିଇଓ ପ୍ରତ୍ୟେକ ମାସର ଦିନକର ଦରମା ଉପଖଣ୍ଡରେ ଥିବା ବିଭିନ୍ନ ସ୍କୁଲକୁ ଦାନ କରିଥାନ୍ତି । ଫଳରେ ସେହି ଅର୍ଥ ପିଲାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ଲାଗିଥାଏ ।
ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ସ୍କୁଲ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହେବ । ତେବେ ଏହାକୁ ଅପେକ୍ଷା ନ କରି ରାଜ୍ୟର ଜଣେ ବ୍ଲକ ଶିକ୍ଷାଧିକାରୀ ନିଜ ପାରିଶ୍ରମିକରୁ ଖର୍ଚ୍ଚ କରି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି । ତେବେ ଏହି କାର୍ଯ୍ୟ କରୁଥିବା ଶିକ୍ଷାଧିକାରୀ ଜଣକ ହେଉଛନ୍ତି ବଗିଚା ଜନପଦ ଶିକ୍ଷାଖଣ୍ଡର ମନିରାମ ଯାଦବ ।