ପାଟନା: ଜାପାନର ତିନି ଯୁବକ ଭାରତର ଚର୍ଚ୍ଚିତ ଶିକ୍ଷଣ ସଂସ୍ଥାନ ସୁପର-30ରେ ପିଲା ମାନଙ୍କୁ ଶିକ୍ଷାଦାନ କରିବେ । ଜାପାନର ଏହି ତିନି ଯୁବକ ଏଥିପାଇଁ ସୁପର-30ର ସଂସ୍ଥାପକ ଆନନ୍ଦ କୁମାରଙ୍କୁ ତାଙ୍କ ପାଟନା ସ୍ଥିତ ବାସଗୃହରେ ଭେଟିଛନ୍ତି । ତାଙ୍କ ସହ ମିଶି ସେ ଛାତ୍ରଙ୍କୁ ଶିକ୍ଷାଦାନ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।
କୋଟାରୁ ଫୁକୁଓକାଙ୍କ ନେତୃତ୍ବରେ ଏହି ତିନି ଜଣିଆ ସଦସ୍ୟ ରବିବାର ପାଟନାରେ ପହଞ୍ଚିବା ସହ ଆନନ୍ଦ କୁମାରଙ୍କୁ ସାକ୍ଷାତ କରିଛନ୍ତି । ଏହି ଯୁବକ ମାନେ ଟୋକିଓ ବିଶ୍ବ ବିଦ୍ୟାଳୟରେ ସ୍ନାତ୍ତକ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜାପାନୀ ଯୁବକଙ୍କ କହିବା ଅନୁଯାୟୀ ଆନନ୍ଦ ଭାରତ ଭଳି ଜାପାନରେ ମଧ୍ୟ ଲୋକପ୍ରିୟ ।
ଜାପାନୀ ଯୁବକଙ୍କ ଏହି ଆଗ୍ରହକୁ ନେଇ ଆନନ୍ଦ କୁମାର ଏହା ଏକ ସୁଖଦ ଓ ଆଶ୍ଚର୍ଯ୍ୟକର ଘଟଣା ଥିଲା ବୋଲି କହିଛନ୍ତି । ଏହାସହ ଛାତ୍ରମାନଙ୍କ ପାଇଁ ମଧ୍ୟ ଏକ ନୂତନ ଅନୁଭୂତି ଆଣିଦବେ ବୋଲି ସେ କହିଛନ୍ତି । ଅନ୍ତରାଷ୍ଟ୍ରୀୟ ଶିକ୍ଷାଦାନ ସେମାନଙ୍କୁ ମିଳିବ ବୋଲି କହିଛନ୍ତି ଆନନ୍ଦ କୁମାର ।