ନୂଆଦିଲ୍ଲୀ: ସାରା ଦେଶରେ ସିଏଏ ଏବଂ ଏନଆରସିକୁ ନେଇ ବିରୋଧ ଜାରି ରହିଥିବାବେଳେ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ଭିନ୍ନ ଆକାରରେ ବିରୋଧ କରୁଥିବା ପରିଲକ୍ଷିତ ହୋଇଛି । ସେ ନିଜ ବିବାହରେ ସ୍ବାମୀଙ୍କ ସହ ପ୍ଲା-କାର୍ଡ ଧରି ଫଟୋ ସୁଟ କରିଛନ୍ତି । ଏହି ପ୍ଲା-କାର୍ଡରେ ‘ନୋ ସିଏଏ ଏବଂ ନୋ ଏନଆରସି’ ଲେଖାହୋଇଛି । ବର୍ତ୍ତମାନ ଏଭଳି ବିରୋଧ ପ୍ରଦର୍ଶନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ଚାଲିଛି ।
ଜାମିଆ ଛାତ୍ରୀଙ୍କ ଅଭିନବ ପ୍ରତିବାଦ: ସ୍ବାମୀଙ୍କ ସହ ‘ନୋ ସିଏଏ’ ଫଟୋ ସୁଟ - ସ୍ବାମୀଙ୍କ ସହ ‘ନୋ ସିଏଏ’ ଫଟୋ ସୁଟ
ଜାମିଆ ମିଲିଆ ଇସଲାମିକ ବିଶ୍ବବିଦ୍ୟାଳୟର ଛାତ୍ରୀ ଆମିନା ଜାକିଆ ନିଜର ବିବାହରେ ‘ନୋ ସିଏଏ’ ପ୍ଲା-କାର୍ଡ ଧରି ଫଟୋ ସୁଟ କରିଛନ୍ତି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ନବ ବିବାହିତ ଦମ୍ପତ୍ତି ନିଜ ପରିବାର ଲୋକଙ୍କ ସହ ପ୍ଲା-କାର୍ଡ ଧରି ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିଛନ୍ତି । ଜାମିଆ ମିଲିଆ ଇସଲାମିକ ବିଶ୍ବବିଦ୍ୟାଳୟର ଛାତ୍ରୀ ଆମିନା ଜାକିଆ ପୋଷ୍ଟ ଗ୍ରାଜୁଏସନ୍ସରେ ଭର୍ତ୍ତି ହୋଇଛନ୍ତି । ସେ ସିଏଏକୁ ଭିନ୍ନ ଆକାରରେ ବିରୋଧ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ଏବଂ ନିଜ ସ୍ବାମୀଙ୍କ ସହ ମିଶି ଷ୍ଟେଜରେ ଏପରି ପ୍ଲା-କାର୍ଡ ଧରି ବିରୋଧ କରିଛନ୍ତି ।
ଆମିନାଙ୍କ ପରିବାର ଲୋକେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିଛନ୍ତି । ଆମିନାଙ୍କ ଦିଅର ଫାରୁକଙ୍କ କହିବା କଥା ହେଲା ସାରା ଦେଶରେ ଗଣ୍ଡଗୋଳ କରି ଅଶାନ୍ତିରେ ବିରୋଧ କରୁଛନ୍ତି । ଏଭଳି ବିରୋଧ କରିବା ଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଏବଂ କ୍ଷତି ହୋଇଛି । ଅନେକ ଗାଡି ଜାଳିପୋଡି ପାଉଁଶ କରିଛନ୍ତି । ତେଣୁ ଶାନ୍ତିପୂର୍ଣ୍ଣ ଭାବେ ସମାଜକୁ ବାର୍ତ୍ତା ପହଞ୍ଚାଇବା ପାଇଁ ଏପରି ମାଧ୍ୟମ ଗ୍ରହଣ କରିଛୁ ବୋଲି ଫାରୁକ କହିଛନ୍ତି ।