ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ଦ୍ବାରା ଅଯୋଧ୍ୟାରେ ଦିଆଯାଇଥିବା ବିକଳ୍ପ ସ୍ଥାନରେ ୟୁପି ସୁନ୍ନି ୱାକଫ ବୋର୍ଡ ମସଜିଦ ନିର୍ମାଣ କରିବ । ଏହି ମସଜିଦର ଡିଜାଇନ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳର ଆର୍କିଟେକ୍ଟର ପ୍ରଫେସର ଏସଏମ ଅଖତକ କରିବେ । ଏହି ସୂଚନା ଜାମିଆ ମିଲିଆ ପକ୍ଷରୁ ଦିଆଯାଇଛି ।
ପ୍ରଫେସର ଅଖତର କହିଛନ୍ତି, ବିଶ୍ବର ବିଭିନ୍ନ ଦେଶରେ ମୋର 1000ରୁ ଅଧିକ ଆର୍କିଟେକ୍ଟର ଛାତ୍ରଛାତ୍ରୀ ରହିଛନ୍ତି । ଯେଉଁମାନେ ଏହି ପ୍ରୋଜେକ୍ଟରେ ତାଙ୍କୁ ସହଯୋଗ କରିବେ । କିଛି ନୂତନ ପିଲା ମଧ୍ୟ ଏଥିରେ କାମ କରିବେ । ଏହା ସେମାନଙ୍କ ପାଇଁ ଏକ ଶିକ୍ଷଣ ଅଭିଜ୍ଞତା ହେବ ବୋଲି ସେ କହିଛନ୍ତି ।
ଅଖତର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସେଣ୍ଟର, ଏହାର ଡାକ୍ତରଖାନାର ଡିଜାଇନ କରୁଛନ୍ତି । ସ୍ଥାନୀୟ କ୍ଷେତ୍ର ଯୋଜନା ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀ ସରକାରଙ୍କ ସହ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୟୁଏନଡିପି ପ୍ରାୟୋଜିତ କାର୍ଯ୍ୟକ୍ରମ "ସହରୀ ସ୍ଥାନୀୟ ସଂସ୍ଥାଗୁଡ଼ିକର ଦକ୍ଷତା ବିକାଶ" ପାଇଁ ପରାମର୍ଶଦାତା ରହିଆସିଛନ୍ତି ।
କୋଭିଡ ମହାମାରୀ କାରଣରୁ ସେ ବର୍ତ୍ତମାନ ଅଯୋଧ୍ୟାଙ୍କୁ ପରିଦର୍ଶନ କରି ପାରିବେ ନାହିଁ ବୋଲି ଅଖତର କହିଛନ୍ତି । ସେ ପୂର୍ବରୁ ଏହି ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଏହି ସ୍ଥାନ ବିଷୟରେ ଅବଗତ ଅଛନ୍ତି ।