ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଗତ ଡିସେମ୍ବର 15ରେ ହୋଇଥିବା ବର୍ବରକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପାଠାଗାରରେ ବସି ପାଠପଢୁଥିବା ଛାତ୍ରଙ୍କ ଉପରେ ସୁରକ୍ଷାକର୍ମୀ କିପରି ଆଖିବୁଜା ଲାଠିଚାର୍ଜ କରୁଛନ୍ତି ତାହା ଏହି ଭିଡିଓରେ ନଜର ଆସିଛି । ଭିଡିଓଟି ପ୍ରଥମେ ଜାମିଆ କୋଡିନେଶନ କମିଟି ପକ୍ଷରୁ ଜାରି କରାଯାଇଥିଲା । ଏହାପରେ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଜାରି ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, କିଛି ଛାତ୍ର ବିଶ୍ବବିଦ୍ୟାଳୟ ପାଠାଗାରରେ ବସି ପାଠପଢୁଛନ୍ତି । ଏହି ସମୟରେ ସୁରକ୍ଷାକର୍ମୀ ଲାଠି ସହ ପାଠଗାରରେ ପ୍ରବେଶ କରୁଛନ୍ତି ଏବଂ ଛାତ୍ରଙ୍କୁ ମାଡ ମାରିବା ଆରମ୍ଭ କରୁଛନ୍ତି । ତେବେ ଏହି ଭିଡିଓଟି ନାଗରିକତା ସଂଶୋଧନ ଆଇନ୍ ବିରୋଧୀ ପ୍ରଦର୍ଶନ ସମୟରେ ପୋଲିସ ଜାମିଆ ଭିତରେ ପ୍ରବେଶ କରି ପାଠାଗାରରେ ପଢୁଥିବା ଛାତ୍ରଙ୍କ ଉପରେ ଲାଠିଚାର୍ଜ କରୁଥିବା ସମୟର ବୋଲି ଦାବି କରିଛି କମିଟି ।