ନୂଆଦିଲ୍ଲୀ: ଜାମିଆ ସମନ୍ବୟ କମିଟିର ସଦସ୍ୟା ସଫୁରା ଜରଗରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ହିଂସା ଅଭିଯୋଗରେ ସଫୁରାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ତାଙ୍କ ଉପରେ UAPA ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
ତେବେ ମାନବିକତା ଆଧାରରେ ସଫୁରା ଜରଗରଙ୍କ ଜାମିନ ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିନାହାଁନ୍ତି। ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ସଫୁରାଙ୍କୁ ଜାମିନରେ ମୁକ୍ତ କରିବାରେ କୌଣସି ଅସୁବିଧା ନାହିଁ। କେନ୍ଦ୍ରର ଆବେଦନ ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ସଫୁରାଙ୍କୁ 10,000 ଟଙ୍କା ବ୍ୟକ୍ତିଗତ ବଣ୍ଡ ଓ ଅନ୍ୟାନ୍ୟ ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ପୋଲିସ ସଫୁରାର ଜାମିନ ଆବେଦନକୁ ବିରୋଧ କରିଥିଲା । ସୋମବାର ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖୀ ପୋଲିସ ପକ୍ଷରୁ ହାଇକୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ।