ନୂଆଦିଲ୍ଲୀ: ଆଗକୁ ଆସୁଛି ପାର୍ବଣର ଋତୁ । ଆଉ କିଛି ଦିନ ପରେ ବିଭିନ୍ନ ସର୍ବ ସାଧାରଣ ସ୍ଥାନ ହୋଇ ଉଠିବ ଲୋକାରଣ୍ୟ । ଏହାକୁ ନଜରରେ ରଖି ଜନଗହଳି ପୂର୍ଣ୍ଣ ସ୍ଥାନରେ ବୋମା ବିସ୍ଫୋରଣ କରି ଆତଙ୍କ ସୃଷ୍ଟି କରିବାକୁ ଧମକ ଦେଇଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ।
ଏହି କ୍ରମରେ ଗୁଜୁରାଟ ସମତେ ଦେଶର ପ୍ରାୟ 6ଟି ରାଜ୍ୟରେ ଥିବା ପ୍ରମୁଖ ମନ୍ଦିର ଏବଂ ପ୍ରାୟ 11ଟି ରେଳ ଷ୍ଟେସନକୁ ଉଡାଇବାକୁ ଧମକ ଦେଇଛି ଏହି ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ । ହରିୟାଣାର ରୋହତକ ରେଳ ଷ୍ଟେସନର ସୁପରିଟେଣ୍ଡେଣ୍ଟ ୟଶପାଳ ମୀଣାଙ୍କ ନିକଟକୁ ସାଧାରଣ ଡାକ ଜରିଆରେ ଏଭଳି ଧମକପୂର୍ଣ୍ଣ ଚିଠି ପଠାଯାଇଛି । ଏହାକୁ ମସୁଦ ଅହମ୍ମଦ ନାମକ ବ୍ୟକ୍ତି ଲେଖିଥିବା ଜଣାପଡିଛି। ଯେଉଁଥିରେ ସେ ନିଜକୁ ଜୈସ-ଇ-ମହମ୍ମଦର ଜମ୍ମୁ-କାଶ୍ମୀର ଏରିଆ କମାଣ୍ଡର ଦର୍ଶାଇଛି।