ଶ୍ରୀନଗର: ହିଜବୁଲ ମୁଜ୍ଜାହିଦ୍ଦିନ କମାଣ୍ଡର ମହମ୍ମଦ ଆମିନ ଓରଫ ଜାହାଙ୍ଗୀର ସରୁରୀ ଓ ତାର 2 ସହଯୋଗୀଙ୍କୁ ଗିରଫ ପାଇଁ ଜମ୍ମୁ ଓ କଶ୍ମୀର ପୋଲିସ କରିଛି ଜରୁରୀ ଘୋଷଣା । ଯେକେହି ଏମାନଙ୍କୁ ଗିରଫ କରିବାରେ ପୋଲିସକୁ ସାହାଯ୍ୟ କରିବ ତାଙ୍କୁ 30 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି ଜମ୍ମୁ ଓ କଶ୍ମୀର ପୋଲିସ । ଏଥିସହ ସହରରେ ଏହି ତିନି ଆତଙ୍କୀଙ୍କ ନାମରେ ‘ୱାଣ୍ଟେଡ- ଡେଡ ଅର ଆଲାଇଭ’ର ପୋଷ୍ଟର ମଧ୍ୟ ମାରିଛି ପୋଲିସ ।
ସୂଚନା ଅନୁଯାୟୀ କିସ୍ତୱାର ଓ ଆଖପାଖ ଅଞ୍ଚଳରେ ଏହି ତିନି ଆତଙ୍କୀଙ୍କୁ ନେଇ ପୋଲିସ ପୋଷ୍ଟର ମାରିବା ସହ ସନ୍ଧାନ କାର୍ଯ୍ୟକ୍ରମ ଜାରି ରଖିଛି । ସରୁରୀ ଓ ଦୁଇ ସହଯୋଗୀ ରିୟାଜ ଅହମ୍ମଦ ଓରଫ ହଜାରି ଓ ମୁଦସିର ହୁସେନର ଗିରଫ ପାଇଁ ସେମାନଙ୍କ ଫଟୋ ସହ ସୂଚନାଦାତାଙ୍କ ପାଇଁ 30 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ପୋଲିସ । ଏହା ପୂର୍ବରୁ ସମ୍ପୃକ୍ତ ଆତଙ୍କୀଙ୍କ ସୂଚନାଦାତାଙ୍କ ପାଇଁ ଦୋଡା ଜିଲ୍ଲାରେ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।