ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ (ଡିଡିସି)ର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି । ସକାଳ 7ଟାରୁ ଭୋଟ ଦେଉଛନ୍ତି ମତଦାତା । ଯାହା ଦିନ 2 ଟା ଯାଏ ଚାଲିବ ବୋଲି ସୂଚନା ମିଳିଛି । 321 ଜଣ ପ୍ରାର୍ଥୀ ଏହି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୈଦାନରେ ଅଛନ୍ତି । ସେମାନଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ଜନତା । ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏହା ପ୍ରଥମ ଡିଡିସି ନିର୍ବାଚନ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ଯେଉଁଥିରେ 52 ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ । ତେବେ ଏହି ଡିଡିସି ନିର୍ବାଚନ ନଭେମ୍ବର 28 ରେ ଆରମ୍ଭ ହୋଇଥିବାବେଳେ 8 ଟି ପର୍ଯ୍ୟାୟରେ ହେବ । ଶେଷ ପର୍ଯ୍ୟାୟ ଡିସେମ୍ବର 19 ତାରିଖରେ ହେବାକୁ ଥିବାବେଳେ ଡିସେମ୍ବର 22 ତାରିଖରେ ଭୋଟ ଗଣତି କରାଯିବ ।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଯେଭଳି ଶାନ୍ତିଶୃଙ୍ଖଳା ସହିତ ଭୋଟ ଗ୍ରହଣ ହେବ ସେନେଇ ଧ୍ୟାନ ଦିଆଯାଇଛି । ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 280 କ୍ଷେତ୍ରରୁ 43 ଟି କ୍ଷେତ୍ରରେ ମତଦାନ ହେଉଛି । ଯେଉଁଥିରେ କାଶ୍ମୀରର 25 ଓ ଜାମ୍ମୁର 18ଟି କ୍ଷେତ୍ରରେ ମତଦାନ କରୁଛନ୍ତି ମତଦାତା ।