ନୂଆଦିଲ୍ଲୀ: କୋରୋନା ପାଇଁ ସାରା ବିଶ୍ବ ଭୟଭୀତ । ଏବେ ସୁଦ୍ଧା ସାରାବିଶ୍ବରେ 5 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଲାଣି । ତେବେ ହୁ ହୁ ହୋଇ ବ୍ୟାପୁଥିବା ଏହି ରୋଗରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଗତ 24 ଘଣ୍ଟା ମଧ୍ୟରେ ଇଟାଲୀରେ 368 ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।
ବର୍ତ୍ତମାନ ପରିସ୍ଥିତିରେ ୟୁରୋପିଆନ ଦେଶରେ ଏହି ଜୀବାଣୁରେ ମୃତ୍ୟୁ ସଂଖ୍ୟା 1,809କୁ ବୃ୍ଦ୍ଧି ପାଇଛି । ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 24,747 ପହଞ୍ଚିଥିବା ସିର୍ଭିଲ ପ୍ରୋଟେକ୍ସନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଗତ 24 ଘଣ୍ଟାରେ ଇଟାଲୀରେ 3 ହଜାର 590 ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।
ତେବେ ଏହି ମାରାତ୍ମକ ରୋଗ କବଳରୁ ଦେଶକୁ ମୁକ୍ତି କରିବାକୁ ପୋପ୍ ଫ୍ରାନ୍ସସିସ ରୋମ ଖାଲି ରାସ୍ତାରେ ଯିବା ବେଳେ ପ୍ରାର୍ଥନା କରିଛନ୍ତି । ପୋପ୍ ରୋମର ଦୁଇଟି ପର୍ଯ୍ୟଟନୀସ୍ଥଳୀ ବୁଲିବାକୁ ଯାଇ ସହର ଓ ବିଶ୍ବ ପାଇଁ ପ୍ରାର୍ଥନା କରିଛନ୍ତି ।
ଏପଟେ ଫ୍ରାନ୍ସର ପବ୍ଲିକ ହେଲଥ୍ ମିନିଷ୍ଟର 36 ନୂଆ କୋରୋନା ମୃତକଙ୍କ ସଂଖ୍ୟା ଚିହ୍ନଟ କରିଛନ୍ତି । 5,423 ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା 127କୁ ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି ।
କୋରୋନା ଜୀବାଣୁର କେନ୍ଦ୍ରସ୍ଥଳ ଚୀନରୁ ଧୀରେ ଧୀରେ ଲୋପ ପାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଶୁକ୍ରବାର ଘୋଷଣା କରି କହିଛି । ଏପଟେ ଯେଉଁ ସବୁ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ସେମାନଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏପଟେ ସଂକ୍ରମଣରୁ ରକ୍ଷା ପାଇଁ ସମସ୍ତ ଦେଶ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ।