ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିପାରେ । ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଆଇଟି ବିଭାଗ ଚଢ଼ାଉ କରିବା ନେଇ ସେ ଆଶଙ୍କା କରିଛନ୍ତି । ତେବେ ଏହି ଚଢାଉକୁ ନେଇ ସେ ଭୟଭୀତ ନଥିବା କହିଛନ୍ତି ।
ଚିଦାମ୍ବରମଙ୍କ ବାସଭବନରେ ଚଢ଼ାଉ କରିବ ଆୟକର ବିଭାଗ ! - ଆୟକର ବିଭଗ
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଘରେ ଆୟକର ବିଭାଗର ଚଢ଼ାଉ ଆଶଙ୍କା । ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଆଇଟି ବିଭାଗ ଚଢ଼ାଉ କରିବା ନେଇ ଯୋଜନା କରୁଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ସେ ସରକାରଙ୍କୁ ଏଥିପାଇଁ ସମାଲୋଚନା କରିଛନ୍ତି । ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାର ଅଭିଯାନକୁ ପ୍ରଭାବିତ କରିବା ପାଇଁ ସରକାର ଏଭଳି ଯୋଜନା କରୁଥିବା ସେ କହିଛନ୍ତି ।ସେ ଟ୍ବିଟ କରି କହିଛନ୍ତି, ଆଇଟି ବିଭାଗ ତାଙ୍କ ଶିବଗଙ୍ଗା ଓ ଚେନ୍ନାଇ ସ୍ଥିତ ବାସଭବନରେ ଚଢ଼ାଉ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି । ଆମେ ଚଢ଼ାଉ ଟିମ୍କୁ ସ୍ବାଗତ କରିବୁ। ପୂର୍ବରୁ ମଧ୍ୟ ଆଇଟି ବିଭାଗ ଓ ଅନ୍ୟ ଏଜେନ୍ସି ମୋ ବାସଭବନରେ ଚଢ଼ାଉ କରିସାରିଛନ୍ତି । ହେଲେ ତାଙ୍କୁ କିଛି ମିଳିନଥିଲା ଏବଂ ଏବେ ମଧ୍ୟ ତାଙ୍କୁ କିଛି ମିଳିବ ନାହିଁ ବୋଲି କହିଛନ୍ତି ଚିଦାମ୍ବରମ୍ ।
ସୂଚନା ଯୋଗ୍ୟ ଯେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଓଏସ୍ଡି ଓ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢ଼ାଉ ଜାରି ରହିଛି । ରବିବାର ଠାରୁ ଆୟକର ବିଭାଗ ଓଏସ୍ଡି ପ୍ରବୀଣ କକ୍କଡ ଓ ଅନ୍ୟ ସମ୍ପର୍କୀୟଙ୍କ ଭୋପାଲ, ଇନ୍ଦୋର ଓ ଦିଲ୍ଲୀରେ ଥିବା ବାସଭବନ ସମେତ ଅନ୍ୟ ୫୦ଟି ସ୍ଥାନରେ ଚଢ଼ାଉ କରିସାରିଛି। ଏହି ଚଢ଼ାଉରେ ବର୍ତ୍ତମାନ ସୁଦ୍ଧା ନଗଦ କୋଟି କୋଟି ଟଙ୍କା ଓ ବହୁ ମୂଲ୍ୟବାନ କାଗଜପତ୍ର ଜବତ କରାଯାଇଛି ।