କୋଲକାତା: କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ସମ୍ପର୍କୀୟଙ୍କୁ ଦେବାକୁ ପଡିବ 1150 ଟଙ୍କା । ଏଭଳି ଏକ ବିଜ୍ଞପ୍ତି ଜାରି କରିଛି ପଶ୍ଚିମବଙ୍ଗର ଡାବଗ୍ରାମ-ଫୁଲବାରି କର୍ତ୍ତୃପକ୍ଷ । ଯାହାକୁ ନେଇ ଲୋକଙ୍କ ମଧ୍ୟ ଆକ୍ରୋଶ ପ୍ରକାଶ ପାଇଛି ।
ପଶ୍ଚିମବଙ୍ଗରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ଦାର୍ଜିଲିଂ ଏବଂ ଜଲପାଇଗୁଡା ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲର କୋରୋନା ରୋଗୀଙ୍କ ମୃତଦେହକୁ ଡାବଗ୍ରାମ-ଫୁଲବାରିରେ ଅନ୍ତିମ ସଂସ୍କାର କରାଯାଉଛି ।
ଡାବଗ୍ରାମ-ଫୁଲବାରି କର୍ତ୍ତୃପକ୍ଷ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, କୋରୋନା ରୋଗୀଙ୍କ ମୃତଦେହ ଅନ୍ତିମ ସଂସ୍କାର ପାଇଁ ସମ୍ପର୍କୀୟଙ୍କୁ 1150 ଟଙ୍କା ଦେବାକୁ ପଡିବ । ଏହି ଟଙ୍କା ଅନ୍ତିମ ସଂସ୍କାର ପୂର୍ବରୁ ତିଆରୀ ବାଉଁଶ କୋକେଇ ପାଇଁ ନିଆଯିବ । ଯେହେତୁ କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ସମ୍ପର୍କୀୟମାନେ କରିପାରିବେ ନାହିଁ । ତେଣୁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ଏହି ଟଙ୍କା ସଂଗ୍ରହ କରିବେ ।