ଚେନ୍ନାଇ: ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆସନ୍ତା 27 ତାରିଖରେ 27 ମିନିଟରେ 14ଟି ଉପଗ୍ରହଙ୍କୁ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍ରୋ । 27 ତାରିଖରେ ସକାଳ ପ୍ରାୟ 9.28 ମିନିଟରେ ପୋଲାର ସାଟେଲାଇଟ ଭେହିକିଲ ରକେଟ ମାଧ୍ୟମରେ ଏହି ଉପଗ୍ରହକୁ ମହାକାଶକୁ ପଠାଇବ ଇସ୍ରୋ ।
ଏଥିରେ ମୁଖ୍ୟତଃ 1625 କିଲୋ ଓଜନର କାଟ୍ରୋସେଟ-3 ଉପଗ୍ରହ ରହିବ । ଏହା ସହିତ ଆମେରିକାର 13ଟି ନାନୋ ଉପଗ୍ରହକୁ ମଧ୍ୟ ପଠାଇବ ବୋଲି ଯୋଜନା କରିଛି ଇସ୍ରୋ । ଏଥିପାଇଁ ଆମେରିକାର ଇସ୍ରୋର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ଼କୁ ଅର୍ଥ ଦାଖଲ କରିବ ବୋଲି ଜଣାପଡ଼ିଛି ।
ତେବେ କାଟ୍ରୋସେଟ-3 ଆସନ୍ତା 5 ବର୍ଷ ପାଇଁ କାର୍ଯ୍ୟ କରିବ । ଏହାକୁ ପିଏସଏଲଭି ମାତ୍ର 17 ମିନିଟରେ ମହାକାଶରେ ଅବସ୍ଥାପିତ କରିବ । ଏନେଇ ଇସ୍ରୋ କହିଛି, କାଟ୍ରୋସେଟ-3 ତୃତୀୟ ପିଢିର ଉନ୍ନତ ମାନର ଉପଗ୍ରହ । ଏଥିରେ ମହାକାଶରେ ହାଇ ରିଜୋଲ୍ୟୁସନର ଫଟୋ ଉଠାଇବାର କ୍ଷମତା ରହିଛି ।
ତେବେ ଇସ୍ରୋ ଆହୁରି ମଧ୍ୟ କହିଛି, ଭାରତୀୟ ଉପଗ୍ରହକୁ ମହାକାଶରେ ଅବସ୍ଥାପିତ କରିବାର ଗୋଟିଏ ମିନିଟ ପରେ ଆମେରିକାର 13ଟି ନାନୋ ଉପଗ୍ରହଙ୍କୁ ନେଇ ଅବସ୍ଥାପିତ କରିବ ପିଏସଏଲଭି । ତେବେ ପିଏସଏଲଭି ପ୍ରକ୍ଷେପଣ ହେବାର 26 ମିନିଟ 50 ସେକେଣ୍ଡ ମଧ୍ୟରେ ଆମେରିକାର ସମସ୍ତ ଉପଗ୍ରହଙ୍କୁ ମହାକାଶରେ ଅବସ୍ଥାପିତ କରିବ ବୋଲି ସୂଚନା ଦେଇଛି ।
ଆମେରିକାର ନାନୋ ଉପଗ୍ରହ ମଧ୍ୟରୁ 12ଟିର ନାମ ଫ୍ଲାକ-4ପି ଭାବେ ନାମିତ କରାଯାଇଛି । ଏହାର ଅର୍ଥ ଅବଜରଭେସନ ସାଟେଲାଇଟ । ତେବେ ଅନ୍ୟ ଉପଗ୍ରହଟିର ନାମ ମେସବେଡ଼ ରଖାଯାଇଛି ଯାହା ଏକ କମ୍ୟୁନିକେସନ ଟେଷ୍ଟିଂ ବେସଡ ସାଟେଲାଇଟ ଅଟେ । ଏହା ଅନ୍ତିମ ତଥା 13ତମ ଉପଗ୍ରହ ବୋଲି ଇସ୍ରୋ କହିଛି ।