ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) । ବିଶ୍ବ ଆଗରେ ଭାରତକୁ ଭିନ୍ନ ଏକ ପରିଚୟ ଦେଇଛି ଏହି ସଂସ୍ଥା । 50 ବର୍ଷର ଲମ୍ବା ଇନିଂସ ପରେ ବି ଆଜି ସମସ୍ତଙ୍କ ପାଇଁ ଆହ୍ବାନ ହୋଇପାରିଛି । ଅସମ୍ଭବକୁ ସମ୍ଭବ କରି ପାଲଟିଛି ଅପ୍ରତିଦ୍ବନ୍ଦ୍ବୀ । ପରାଜୟକୁ ହାର ନ ମାନି ଏକ ଶିକ୍ଷା ଭାବେ ଗ୍ରହଣ କରି ବହୁ ପ୍ରତିକୂଳ ପରିବେଶର ମୁକାବିଲା କରିବାରେ ସମର୍ଥ ହୋଇପାରିଛି ଇସ୍ରୋ ।
ଅର୍ଦ୍ଧ ଶତକ ପୁରା କରିଥିବା ଏହି ସଂସ୍ଥା ସହ ଯୋଡି ହୋଇଛି ଅନେକ ରେକର୍ଡ । ରକେଟ ପ୍ରେରଣ ଏବଂ ମହାକାଶ କାର୍ଯ୍ୟକ୍ରମର ଅନନ୍ୟ ଠିକଣା ପିଲଟିଛି ଇସ୍ରୋ । ଏପରିକି ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ଚନ୍ଦ୍ରଯାନ-1 ଓ 2 ଲଞ୍ଚ କରି ଇତିହାସ ରଚିଛି ଏହି ସଂସ୍ଥା । ଏସବୁ ମଧ୍ୟରେ ଇସ୍ରୋର ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ (PSLV) ବିଶ୍ବର ସବୁଠାରୁ ଭରସାଯୋଗ୍ୟ ସାଟେଲାଇଟ ଲଞ୍ଚ ଭେଇକିଲ ହୋଇପାରିଛି ।
27 ବର୍ଷ ଧରି ନିରବଚ୍ଛିନ୍ନ ଭାବେ, ବିନା ଦ୍ବିଧାରେ ଅନେକ ସାଟେଲାଇଟକୁ ପ୍ରେରଣ କରାଯାଇଛି । ଅନେକ ଅବିସ୍ମରଣୀୟ ସଫଳତା ହାସଲ ମଧ୍ୟ ହୋଇଛି । ତେବେ ଗତ ଗୁରୁବାର ଏହି ପିଏଲଏଲଭି ମାଧ୍ୟମରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତାର PSLV-C50 ଉପଗ୍ରହ ପଠାଇ ଏକ ବିରଳ ରେକର୍ଡ ନିଜ ନାଁରେ ସୃଷ୍ଟି କରିଛି ।
ପିଏସଏଲଭି ହେଉଛି, ଏକ ଉପଗ୍ରହ ବାହକ (ରକେଟ) । ଭାରତୀୟ ସ୍ପେଶ ରିସର୍ଚ୍ଚ ସଂସ୍ଥାର ବୈଜ୍ଞାନିକଙ୍କ ଜ୍ଞାନକୌଶଳ ଦ୍ବାରା ନିର୍ମିତ ସ୍ବଦେଶୀ ଯାନ । 1993 ମସିହାରେ ପ୍ରଥମ ଥର ଏହି ରକେଟକୁ ଭୁପୃଷ୍ଠରୁ ଆକାଶମାର୍ଗକୁ ପ୍ରେରଣ କରାଯାଇଥିଲା । ଏପର୍ଯ୍ୟନ୍ତ ସଫଳତାର ସହ 374ଟି (46ଟି ଘରୋଇ ଏବଂ 328ଟି ବିଦେଶୀ) ଉପଗ୍ରହକୁ କକ୍ଷପଥରେ ସ୍ଥାପିତ କରିଛି । ଚନ୍ଦ୍ରଯାନ -1, ମଙ୍ଗଳ ଅର୍ବିଟର୍ ମିଶନ୍, ସ୍ପେସ୍ କ୍ୟାପସୁଲ୍ ପୁନରୁଦ୍ଧାର ଲଞ୍ଚ, ଇଣ୍ଡିଆନ୍ ରିଜୋନାଲ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଇତ୍ୟାଦି ଏହି ବାହକ ଦ୍ବାରା ଉତକ୍ଷେପଣ କରାଯାଇଥିଲା |
ଇସ୍ରୋ 1970-80 ମଧ୍ୟରେ ସାଟେଲାଇଟ ଲଞ୍ଚ ଯାନ(SLV) ଦ୍ବାରା ମହାକାଶ ଯାନ ଆରମ୍ଭ କରିଥିଲା । ଏହା ପରେ ଅଗମେଣ୍ଟେଡ ସାଟେଲାଇଟ ଲଞ୍ଚ ଯାନ (ASLV) ନିର୍ମାଣ ଏବଂ ବ୍ୟବହାର କରିଥିଲେ । ହେଲେ ବିଶ୍ବ ଗବେଷଣା କ୍ଷେତ୍ରରେ ଭାରତ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । 1990-2000 ମଧ୍ୟରେ ତୃତୀୟ ପୀଢିଙ୍କ ଅଧିନରେ ନିର୍ମାଣ ହୋଇଥିଲା ପିଏସଏଲଭି ରକେଟ୍ ।ପିଏସଏଲଭିର 3ଟି ସଂସ୍କରଣ ବିକାଶ କରିଛି ଇସ୍ରୋ । ପିଏସଏଲଭି-ଜି, ପିଏସଏଲଭି-ସିଏ ଓ ପିଏସଏଲଭି-ଏକ୍ସଏଲ ଭଳି 3 ଭର୍ସନ ରହିଛି । ସବୁଠୁ ଲାଟେଷ୍ଟ ଭର୍ସନ ପିଏସଏଲଭି-ଏକ୍ସଏଲ, 320 ଟନ ଓଜନର ବସ୍ତୁ ବୋହି ନେବାକୁ ସକ୍ଷମ ।