ନୂଆଦିଲ୍ଲୀ: ଆଇଏସଆଇ ଏବଂ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ରଚାଯାଉଥିବା ନୂଆ ଷଡ଼ଯନ୍ତ୍ର ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସୁରକ୍ଷାକର୍ମୀ ଏବଂ ସୁରକ୍ଷା ଏଜେନ୍ସିର ସତର୍କତା ଯୋଗୁଁ ଆଇଏସଆଇ ଏବଂ ଆତଙ୍କବାଦୀ ଗୋଷ୍ଠୀ ଭାରତରେ ଆକ୍ରମଣ କରିବାରେ ବିଫଳ ହେଉଛନ୍ତି । ଭାରତୀୟ ସୁରକ୍ଷା ଏଜେନ୍ସିର ସତର୍କତା ହେତୁ ସେମାନଙ୍କର ସମସ୍ତ ଷଡଯନ୍ତ୍ର ପଣ୍ଡ ହେଉଛି । ଯେଉଁଥିପାଇଁ ସେମାନେ ଭାରତରେ ଅଶାନ୍ତି ସୃଷ୍ଟି କରିବା ତଥା ରକ୍ତାକ୍ତ ଖେଳ ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ଗ୍ୟାଙ୍ଗଷ୍ଟରଙ୍କ ସହାୟତାରେ ସେମାନେ ସେମାନଙ୍କର ଘୃଣ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛନ୍ତି।
ନିକଟରେ ଚଣ୍ଡିଗଡ଼ ଗୁଇନ୍ଦା ୟୁନିଟ୍ ସମସ୍ତ ଗୁଇନ୍ଦା ବିଭାଗର ୟୁନିଟ୍କୁ 'ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର' ବିଷୟରେ ଚେତାବନୀ ଦେଇଛି। କିଛି ଗ୍ୟାଙ୍ଗଷ୍ଟରଙ୍କ ନାମ ନେଇ ଇଣ୍ଟେଲିଜେନ୍ସ ୱିଙ୍ଗ କହିଛି ଯେ, ଆଇଏସଆଇ ଏବଂ ଆତଙ୍କବାଦୀ ଗୋଷ୍ଠୀ ଏହି ଗ୍ୟାଙ୍ଗଷ୍ଟରଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନଙ୍କୁ ଭାରତରେ ଆକ୍ରମଣ କରିବା ପାଇଁ ଏହି ଗ୍ୟାଙ୍ଗଷ୍ଟରଙ୍କୁ କାମରେ ଲଗାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ପଳାତକ ଅପରାଧୀ ଏବଂ କେତେକ ଜେଲରେ ରହିଥିବା ଗୁଇନ୍ଦା ୟୁନିଟ୍ ପକ୍ଷରୁ କୁହାଯାଇଛି ।
ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏନେଇ କହିଛନ୍ତି, ଆଇଏସଆଇଏସ ଏହି ସ୍ଥାନୀୟ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ୟାଙ୍ଗଷ୍ଟରଙ୍କ ସହିତ ଯୋଗାଯୋଗ କରିସାରିଥିବା ଅନୁମାନ କରାଯାଉଛି । ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସିର ପଞ୍ଜାବ ୟୁନିଟ୍ କିଛି ଦିନ ପୂର୍ବରୁ ପଠାଇଥିବା ଆଲର୍ଟରେ କହିଛି, ଆଇଏସଆଇ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ 5 ଜଣ ଗ୍ୟାଙ୍ଗଷ୍ଟରଙ୍କୁ କିଛି ନେତାଙ୍କୁ ଟାର୍ଗେଟ କରିବାର କାର୍ଯ୍ୟ ଦେଇଛନ୍ତି। ଏହି 5 ଜଣ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରୁ 2 ଜଣ ପଳାତକ ଏବଂ ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ତିନିଜଣ ପଞ୍ଜାବର ବିଭିନ୍ନ ଜେଲରେ ଅଛନ୍ତି। ଏହି ଗ୍ୟାଙ୍ଗଷ୍ଟରମାନେ ହତ୍ୟା, ଡକାୟତି, ଡ୍ରଗ୍ କାରବାରରେ ଜଡିତ ଅଛନ୍ତି ଏବଂ ଜେଲରୁ ର୍ୟାକେଟ୍ ଚଳାଉଛନ୍ତି। ଏହି ଗ୍ୟାଙ୍ଗଷ୍ଟର ଉପରେ ନଜର ରଖିବାକୁ ସ୍ଥାନୀୟ ପୋଲିସକୁ କୁହାଯାଇଥିବା ସେ କହିଛନ୍ତି ।
ଜଣେ ଅଧିକାରୀଙ୍କ ଅନୁଯାୟୀ, ଆଇଏସଆଇକୁ ଏହି ରଣନୀତି ଏଥିପାଇଁ ପ୍ରସ୍ତୁତ କରିବାକୁ ପଡ଼ିଛି, କାରଣ ଆତଙ୍କବାଦୀ ସଂଗଠନଗୁଡ଼ିକ ନିର୍ଭର କରୁଥିବା ସ୍ଥାନୀୟ ସ୍ଲିପର ସେଲଗୁଡ଼ିକର ପର୍ଦ୍ଦାଫାସ କରିଦିଆଯାଇଛି କିମ୍ବା ସୁରକ୍ଷା ବାହିନୀ ଦ୍ବାରା ନିହତ ହେବାର ଭୟ ଯୋଗୁଁ ସେମାନେ ଆଉ କାମ କରୁନାହାଁନ୍ତି । ସ୍ଥାନୀୟ ସ୍ଲିପର ସେଲ ଗୁଡିକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଶୀର୍ଷ ସ୍ତରର କମାଣ୍ଡର ମଧ୍ୟ ନଥିବା ସେ କହିଛନ୍ତି ।