ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଗୁରୁବାର ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛି କଂଗ୍ରେସ । ଗଲୱାନ ଉପତ୍ୟକାରେ ଭାରତର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ମୁଖ୍ୟ ବିରୋଧୀ ଦଳ । ଭାରତ କଣ ନିଜ ଅଞ୍ଚଳରେ ହିଁ ଏକ ବଫର୍ ଜୋନ୍ ନିର୍ମାଣ କରୁଛି । ଗଲୱାନ୍ ଉପତ୍ୟକା ଉପରେ ଭାରତର ଦାବିକୁ ଦୁର୍ବଳ କରାଯାଉଛି କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।
କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଗଲୱାନ ଘାଟିରୁ ଭାରତୀୟ ସେନା ପଛକୁ ହଟିବା ଖବରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 4ଟି ପ୍ରଶ୍ନ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ପ୍ରିୟର ପ୍ରଧାନମନ୍ତ୍ରୀ ଆପଣ କଣ ଆମ ଅଞ୍ଚଳରେ ବଫର୍ ଜୋନ୍ ନିର୍ମାଣ କରୁଛନ୍ତି ? ଆପଣ କଣ ଆମ ସେନାକୁ ପଛକୁ ହଟିବାକୁ କହୁଛନ୍ତି ? ଆପଣ କଣ ପିପି-14କୁ ନେଇ ବୁଝାମଣା କରୁଛନ୍ତି ? ଆପଣ କଣ ଗଲୱାନ ଘାଟି ଉପରେ ଭାରତର ଦାବିକୁ ଦୁର୍ବଳ କରୁଛନ୍ତି ? ଭାରତ ଏହାର ଉତ୍ତର ଚାହୁଁଛି ବୋଲି ସେ କହିଛନ୍ତି ।