ଓଡିଶା

odisha

ETV Bharat / bharat

କୋରୋନା ଭାଇରସ: ନିଜ ନିଜ ଦେଶର ନାଗରିକଙ୍କ ଅପସାରଣ ପାଇଁ ଭାରତ ଓ ଇରାନର ପଦକ୍ଷେପ

କୋରୋନାକୁ ବିଶ୍ବରେ କୋକୁଆ ଭୟ । ଚୀନରୁ ସୃଷ୍ଟି ହୋଇଥିବା ଏହି ପ୍ରାଣଘାତୀ ଭୂତାଣୁ ଏବେ ବିଶ୍ବ ଆଡକୁ ମୁହାଁଇଛି । ଏପରି ସ୍ଥିତିରେ ନିଜ ନିଜ ଦେଶର ନାଗରିକ ଅପସାରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଭାରତ ଓ ଇରାନର ଉଦ୍ୟମ ଆରମ୍ଭ କରିଛନ୍ତି ।

By

Published : Mar 7, 2020, 10:44 PM IST

Iran-India Take Steps For Evacuation of Citizens From Respective Countries
କୋରୋନା ଭାଇରସ୍‌: ନିଜ ନିଜ ଦେଶର ନାଗରିକଙ୍କ ସ୍ଥାନାନ୍ତରୀକରଣ ପାଇଁ ଭାରତ ଓ ଇରାନର ପଦକ୍ଷେପ

କୋରୋନା ଭାଇରସ ପ୍ରାଦୁର୍ଭାବ ସମୟରେ ନିଜ ନିଜ ଦେଶର ନାଗରିକଙ୍କ ଅପସାରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଭାରତ ଓ ଇରାନର ଉଦ୍ୟମ ଯୋଗୁଁ 240 ଜଣ କାଶ୍ମୀର ଛାତ୍ରଛାତ୍ରୀଙ୍କ ସମେତ ତେହରାନରେ ଅଟକି ରହିଥିବା ବହୁ ଭାରତୀୟଙ୍କ ମନରେ କିଛିଟା ଆଶା ସଞ୍ଚାର ହୋଇଛି । ପ୍ରଥମ ଦଫାରେ, ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରୁ କେତେଜଣଙ୍କ ସ୍ବାବ ନମୁନା ନେଇ ଆସୁଥିବା ଇରାନର ବିମାନ, ଶନିବାର ସକାଳେ ତେହରାନ୍‌ର ଆଇକେଆଇଏ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଛାଡିଛି । ଏହି ଅପସାରଣ ପ୍ରକ୍ରିୟା ପୂର୍ବରୁ ସେହିଠାରେ ହିଁ ଅଟକି ରହିଥିବା ଭାରତୀୟମାନଙ୍କୁ ପରୀକ୍ଷା କରିବା ପାଇଁ ଇରାନ୍‌ ରାଜି ହୋଇଥିଲା । ପରବର୍ତ୍ତୀ ସମୟରେ, ସେହିଠାରେ ହିଁ ଆବଶ୍ୟକ ଡାକ୍ତରୀ ପରୀକ୍ଷଣ କରିବା ସକାଶେ ତେହରାନ ଯିବା ଲାଗି ଛଅ ଜଣ ବିଶେଷଜ୍ଞଙ୍କୁ ଭାରତୀୟ ଭେଷଜ ଗବେଷଣା ପରିଷଦ ଏବଂ ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହାୟତାରେ ଭିସା ପ୍ରଦାନ କରାଯାଇଥିଲା ।

ଡାକ୍ତରୀ ପରୀକ୍ଷା କରାଯାଇଥିବା ସ୍ବାବର ନମୁନା ଦିଲ୍ଲୀରେ ପହଞ୍ଚିବା ପରେ ଯେଉଁ ଭାରତୀୟମାନଙ୍କ ଶରୀରରେ ଏନ୍‌କୋଭିଡ୍‌-19 ଭୂତାଣୁ ନ ଥିବା ଜଣାପଡ଼ିବ, ସେମାନଙ୍କୁ ବିମାନ ଯୋଗେ ଭାରତକୁ ଫେରାଇ ଅଣାଯିବ । ପରୀକ୍ଷଣରୁ ଯେଉଁମାନଙ୍କ ଶରୀରରେ ଭୂତାଣୁ ଥିବା ଜଣାପଡ଼ିବ କିମ୍ବା ଯେଉଁମାନେ ସନ୍ଦିଗ୍ଧ ହେବେ, ସେମାନଙ୍କୁ ଇରାନ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ନିର୍ଦ୍ଧାରିତ ଅତ୍ୟାଧୁନିକ ସ୍ବତନ୍ତ୍ର ଡାକ୍ତରୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯିବ ।

ଦୂତାବାସ ପକ୍ଷରୁ ଜାରି ଏକ ଔପଚାରିକ ବିବୃତିରେ କୁହାଯାଇଛି, ‘ଭାରତକୁ ଇରାନର ସମସ୍ତ ବିମାନ ଚଳାଚଳ ସ୍ଥଗିତ କରିବା ସଂପର୍କରେ ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ 26 ଫେବୃଆରୀ 2020ରେ ଘୋଷଣା କରାଯିବା ପରେ, ଏହି ପ୍ରସଙ୍ଗର ମାନବିକ ଏବଂ ଜରୁରୀକାଳୀନ ଦିଗକୁ ବିଚାରକୁ ନେଇ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧିତ ସବୁ ପ୍ରକାର ସ୍ଥାପିତ ଔପଚାରିକ ବିଧି ପାଳନ ପୂର୍ବକ, ଉଭୟ ପକ୍ଷରେ ଅଟକି ରହିଥିବା ନାଗରିକମାନଙ୍କର ତୁରନ୍ତ ଅପସାରଣ ନିମନ୍ତେ ଇସ୍‌ଲାମିକ ଇରାନ୍‌ ଗଣତନ୍ତ୍ର କେତେକ ଉଦ୍ଧାରକାରୀ ବିମାନ ନିୟୋଜନ କରିବା ସକାଶେ ଏହା ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ପ୍ରକାଶ କରିଥିଲା ।’

ତେହରାନରୁ ଆସୁଥିବା ଯେଉଁ ବିମାନ ଦିଲ୍ଲୀରେ ପହଞ୍ଚିବ ତାହା ପୁଣି ଇରାନ ନାଗରିକମାନଙ୍କୁ ସେମାନଙ୍କ ମାତୃଭୂମିକୁ ନେଇ ଫେରିଯିବ । ଇତ୍ୟବସରରେ, ଉଭୟ ଦେଶରୁ ନିଜ ନିଜ ଦେଶର ନାଗରିକମାନଙ୍କ ପ୍ରତ୍ୟାବର୍ତ୍ତନକୁ ସୁଗମ କରିବା ଲାଗି ନୂଆଦିଲ୍ଲୀ ଓ ମୁମ୍ବାଇକୁ ‘ଅଧିକ ଓ ପର୍ଯ୍ୟାପ୍ତ’ ବିମାନ ଚଳାଚଳ ସଂପର୍କରେ ଆଲୋଚନା ଜାରି ରହିଛି । ଉଭୟ ଦେଶ ମଧ୍ୟରେ ସୀମିତ ସଂଖ୍ୟକ ବାଣିଜ୍ୟକ ବିମାନ ଚଳାଚଳ କରିବା ଲାଗି ପ୍ରକ୍ରିୟା ନିର୍ଣ୍ଣୟ କରାଯାଉଛି ।

ଦୂତାବାସର ବିବୃତିରେ ଆହୁରି ଉଲ୍ଲେଖ ରହିଛି ଯେ, ‘ଅନ୍ତର୍ଜାତୀୟ ସମନ୍ବୟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଥିବା ସାଂପ୍ରତିକ ସଂକଟଜନକ ପରିସ୍ଥିତିରେ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀଙ୍କ ସମେତ ଅଟକି ରହିଥିବା ସବୁ ନାଗରିକମାନଙ୍କର ଦୁର୍ଦ୍ଦଶା ପ୍ରଶମନ ପାଇଁ ଆବଶ୍ୟକ ପ୍ରତିକାର ସନ୍ଧାନ ଦିଗରେ ଉଭୟ ଦେଶ ସେମାନଙ୍କର ଘନିଷ୍ଠ ସଂପର୍କ ସ୍ଥାପନକୁ ଅବ୍ୟାହତ ରଖିବେ ।’ କରୋନା ଭାଇରସ ସଂକ୍ରମିତ କେତେକ ଭାରତୀୟ ନାଗରିକଙ୍କୁ ଇରାନ୍‌ରୁ ଦେଶାନ୍ତରଣ ସଂପର୍କିତ ଖବର ମିଥ୍ୟା ଓ ଭିତ୍ତିହୀନ ବୋଲି ଇରାନୀ ଦୂତାବାସ ପ୍ରତ୍ୟାଖ୍ୟାନ କରିଛି ।

ଦିଲ୍ଲୀ ଦଙ୍ଗା ସଂପର୍କରେ ଟ୍ବିଟ୍‌ କରି ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାରିଫ ଏବଂ ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନେତା ଖାମେନି ‘ମୁସଲମାନଙ୍କ ହତ୍ୟା’ ସଂପର୍କରେ ଦେଇଥିବା କେତେକ କଟୁ ମନ୍ତବ୍ୟ କାରଣରୁ ନୂଆଦିଲ୍ଲୀ ଓ ତେହରାନ ମଧ୍ୟରେ ଥିବା ଐତିହାସିକ ସମ୍ବନ୍ଧରେ ଏ ସପ୍ତାହରେ ରାଜନୈତିକ ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିରେ କ୍ଷୁବ୍ଧ ନୂଆଦିଲ୍ଲୀ ଏ ସଂପର୍କରେ ପ୍ରତିବାଦ ଦାୟର କରିବା ପାଇଁ ଇରାନ୍‌ର ରାଷ୍ଟ୍ରଦୂତଙ୍କୁ ତଲବ କରିଥିଲା ।

ସ୍ମିତା ଶର୍ମା

ABOUT THE AUTHOR

...view details