ପ୍ରଶ୍ନ: ଆପଣଙ୍କ ମା’ ତଥା ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କ ସମୟରେ ଦିଲ୍ଲୀରେ ହୋଇଥିବା ବିକାଶକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯାଉଛି ଓ ଏହାର ନେତାମାନେ ଭୋଟ୍ ମାଗୁଛନ୍ତି। ଆପଣ ଏହି ନିର୍ବାଚନ ସମୟରେ ଆବଶ୍ୟକ ଅନୁସାରେ କ୍ରିୟାଶୀଳ ହୋଇଥିବା ପରି ଲାଗୁ ନାହାନ୍ତି, କାହିଁକି?
ଉତ୍ତର: ଦିଲ୍ଲୀ କଂଗ୍ରେସର ଅନେକ ଛାମୁଆ ନେତା ତଥା ସଭାପତିଙ୍କ ସଙ୍ଗେ ମୋର ଭଲ ସମ୍ପର୍କ ନାହିଁ। ଯେତେବେଳେ ମୋ ମା’ ଶୀଲା ଦୀକ୍ଷିତ ରାଜ୍ୟ ସଭାପତି ଥିଲେ ମୁଁ ସେତେବଳେ ତାଙ୍କୁ କଂଗ୍ରେସ ସଙ୍ଗଠନ ପାଇଁ କିଛି ଦିନ ସାହାଯ୍ୟ କରୁଥିଲି। ହେଲେ ଗଲା ୫/୬ ବର୍ଷ ହେଲା ମୁଁ କଂଗ୍ରେସରେ ଆଉ ସେତେଟା କ୍ରିୟାଶୀଳ ନାହିଁ। କିନ୍ତୁ ପ୍ରଚ୍ଛଦପଟରେ କଂଗ୍ରେସ ପାଇଁ ଆବଶ୍ୟକ ରାଜନୀତିକ କାର୍ଯ୍ୟ କରୁଛି।
ପ୍ରଶ୍ନ: ୨୦୧୫ ନିର୍ବାଚନରେ କଂଗ୍ରେସ ଦିଲ୍ଲୀରେ ଗୋଟିଏ ବି ସିଟ୍ ହାସଲ କରିବାରେ ସମର୍ଥ ହୋଇ ନଥିଲା। ଆଶ୍ଚର୍ଯ୍ୟର କଥା ଯେ, ଏଥର କଂଗ୍ରେସ ନିର୍ବାଚନ ଲଢ଼ିବା ଭଳି ବି ଦେଖାଯାଇ ନାହିଁ। ଏହିଭଳି ଏକ ସ୍ଥିତିରେ ଆପଣ ଏ ନିର୍ବାଚନ ଫଳାଫଳରେ କଂଗ୍ରେସର ସଫଳତା କିପରି ରହିବ ବୋଲି ଭାବୁଛନ୍ତି?
ବାସ୍ତବରେ ବିଧାନସଭାରେ ଜଣେ ବିଧାୟକ କଂଗ୍ରେସ ପକ୍ଷରୁ ନରହିବା ଏବଂ ମ୍ୟୁନିସିପାଲିଟି ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିନପାରିବା କଂଗ୍ରେସ ପାଇଁ ଏକ ଉଦ୍ବେଗର ବିଷୟ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଦିଲ୍ଲୀରେ ଭଲ ପ୍ରଦର୍ଶନ କରିଥିଲା। ୭ଟିରୁ ୫ଟି ଆସନରେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ଆଉ ଦୁଇଟି ସ୍ଥାନରେ ଯଦି ପ୍ରାର୍ଥୀଙ୍କ ନାଁ ଆଗୁଆ ଘୋଷଣା କରାଯାଇ ଥାଆନ୍ତା, ଆମେ ଅଧିକ ସଫଳତା ପାଇପାରି ଥାଆନ୍ତୁ। ଏଇ କିଛିଦିନ ପୂର୍ବେ ଶୀଲା ଦୀକ୍ଷିତଙ୍କ ଦେହାନ୍ତ ଦିଲ୍ଲୀ କଂଗ୍ରେସ ପାଇଁ ଅନେକ ଆହ୍ବାନରେ ସାମ୍ନା କରାଇଛି। ଏହା ଆମ ପାଇଁ ଏକ ଅପୂରଣୀୟ କ୍ଷତି। ଆମ ଆଗରେ ମୁଖ୍ୟତଃ ଦୁଇଟି ଚ୍ୟାଲେଞ୍ଜ ରହିଛି।
ପ୍ରଥମଟି ହେଉଛି ବିଜେପି ଓ ଆପ୍ ଭଳି ଆମ ପାଖରେ ଖର୍ଚ୍ଚ କରିବା ଲାଗି ପର୍ଯ୍ୟାପ୍ତ ଅର୍ଥ ନାହିଁ। ଦ୍ଵିତୀୟ କଥାଟି ହେଉଛି ରାଜ୍ୟର ମିଡିଆ ସାଲିସ କରିସାରିଛି। ଆପ୍ ବିକାଶ ମୂଳକ ପ୍ରସଙ୍ଗକୁ ନେଇ ଯେଉଁପରି ଭାବେ ପ୍ରଚାର କରୁଛି ସେସବୁ କେବଳ ପ୍ରହେଳିକା ଆଧାରିତ। ସେମାନେ ଏହି ନିର୍ବାଚନ ବିକାଶ ପୃଷ୍ଠଭୂମିରେ ଲଢ଼ାଯାଉଛି ବୋଲି ଦାବି କରୁଛନ୍ତି, କିନ୍ତୁ ତାହା ସତ ନୁହେଁ । ଆପ୍ ଏକ ମଧ୍ୟମ ଧରଣର ସରକାର ଗଠନ କରିଥିଲା। ଏହି ସରକାର ଯେଉଁ ସ୍କୁଲ୍ରେ ସଂସ୍କାର ଆଣି ଭଲ ଫଳାଫଳ କରାଯାଇପାରିଛି ବୋଲି ପ୍ରଚାର କରୁଛି, ଶୀଲାଙ୍କ ସମୟରେ ମଧ୍ୟ ସେହି ସ୍କୁଲ୍ସବୁ ଭଲ ଫଳାଫଳ ଦେଉଥିଲେ। ଏଣୁ ଆପ୍ ଯେଉଁ କଥା କହି ବୁଲୁଛି ତାହାକୁ ମିଥ୍ୟା ପ୍ରଚାର ବୋଲି କହିବା ଉଚିତ ହେବ। ଏବେ ରାଜ୍ୟରେ ଡିଟିସି ବସ୍ ସଂଖ୍ୟା କମିଛି। ରାଜ୍ୟରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ଯାହା କୁହାଯାଉଛି ତାହା ସମ୍ପୂଣ୍ଣ ଭାବେ ମିଥ୍ୟା। ଦିଲ୍ଲୀରେ ୨୫ ପ୍ରତିଶତ ପ୍ରଦୂଷଣ କମିଛି ବୋଲି କେଜ୍ରିୱାଲ୍ ଯାହା କହୁଛନ୍ତି ତାହା ସମ୍ପୂଣ୍ଣ ବକ୍ବାସ।
ପ୍ରଶ୍ନ: କିନ୍ତୁ କଂଗ୍ରେସ ପ୍ରଚାରରେ କାହିଁକି ଚମକ ଜଣାପଡ଼ୁନି?
ଆମେ ପୋଷ୍ଟର ଓ ମିଡିଆରରେ ନାହୁଁ। ଶୀଲାଙ୍କ ସରକାର ଦିଲ୍ଲୀରେ ଏହିଭଳି ପ୍ରଚାର କରୁ ନଥିଲେ। ଆମେ ଏମିତି ପ୍ରଚାର ପାଇଁ ବଜେଟ୍ ବ୍ୟବସ୍ଥା ବି କରୁ ନଥିଲୁ ଯେମିତି ଏବେ କେଜ୍ରିୱାଲ୍ କରୁଛନ୍ତି। ଦିନେଛଡ଼ା ଦିନେ ପୂରା ପୃଷ୍ଠା ବିଜ୍ଞାପନ ଖବରକାଗଜରେ ପ୍ରସାର କରୁଛନ୍ତି କେଜ୍ରିୱାଲ୍। ଏହା ସରକାରୀ ଅର୍ଥର ଅପବ୍ୟବହାର। ଏ ଭିତରେ ଯାହା ଆମକୁ ଏହି ପ୍ରକାର ଅପପ୍ରଚାରକୁ ରୋକ୍ ଦେବାରେ ସାହାଯ୍ୟ କରିବ, ତାହା ହେଲା ବିଗତ ଦିନରେ କଂଗ୍ରେସ ଶାସନ ସମୟର ସୁବଣ୍ଣ ମୁହୂର୍ତ୍ତ। ଆମେ ଆମର କର୍ମୀଙ୍କ ଦ୍ଵାରା ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛୁ। ମୁଁ ଭାବୁଛି ଭୋଟର ଏହାକୁ ଅନୁଭବ କରିଥିବେ। ହେଲେ ଯେଉଁମାନେ କଂଗ୍ରେସର ଶାସନକୁ ଦେଖି ନାହାଁନ୍ତି, କେବଳ ଆପ୍ର
ଅପପ୍ରଚାର ହିଁ ଶୁଣୁଛନ୍ତି ସେମାନଙ୍କ ଭୋଟ୍ ଆମ ପାଇଁ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଅର୍ଥାତ୍ ୧୮-୩୫ ବର୍ଷ ବୟସର ଭୋଟର ୧୯୯୮ ବେଳରେ ଦିଲ୍ଲୀର ସୁବଣ୍ଣ ଶାସନକୁ ଅନୁଭବ କରି ନାହାନ୍ତି। ଏଣୁ ସେମାନେ ବର୍ତ୍ତମାନର ପରିସ୍ଥିତିକୁ ଠିକଣା ଭାବେ ବୁଝିବା ସମ୍ଭବ ନୁହେଁ।