ହାଇଦ୍ରାବାଦ: କଥାରେ ଅଛି 'ଚିର ଜୀବନ୍ତ ଆମ ପ୍ରକୃତି ରାଣୀ, ନଷ୍ଟ କରନି ତୁମେ ଏକଥା ଜାଣି' । ପ୍ରକୃତିରୁ ହିଁ ଆମର ସୃଷ୍ଟି । ପ୍ରକୃତି ବିନା ମାନବ ସମାଜ ଅସମ୍ଭବ । ହେଲେ ପ୍ରକୃତି ଆଜି ଅତ୍ୟାଚାରିତ ଓ ନିଷ୍ପେସିତ । ନିଜ ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟରେ ମଣିଷ ସମାଜ ଧ୍ବଂସ କରିବାରେ ଲାଗିଛି ଜଙ୍ଗଲ । ଏହାକୁ ରୋକିବା ଉଦେଶ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ଜାତି ସଂଘର ଆନୁକୁଲ୍ୟରେ 2013 ରୁ ପ୍ରତି ବର୍ଷ ମାର୍ଚ୍ଚ 21 ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ।
ପ୍ରକୃତି ପାଇଁ ଦିନ ଟିଏ । ଯିଏ ଆମର ସ୍ରଷ୍ଟା ତାକୁ କ୍ଷତି ପହଞ୍ଚାଇବା ପୂର୍ବରୁ ଥରୁଟିଏ ଭାବିବା । ପ୍ରକୃତି ସୁସ୍ଥ ରହିଲେ ମାନବ ସମାଜ ବି ସୁସ୍ଥ ରହିବ । ଏହି ଉଦେଶ୍ୟରେ ପ୍ରତିବର୍ଷ ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ପାଳନ ହୋଇଆସୁଛି । ପ୍ରତ୍ୟେକ ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ପାଇଁ ଥିମ୍ ଜଙ୍ଗଲରେ ସହଯୋଗୀ ଭାଗିଦାରୀ ଦ୍ବାରା ମନୋନୀତ ହୋଇଥାଏ | ତେବେ ଚଳିତ ବର୍ଷ ପାଇଁ ବିଷୟବସ୍ତୁ ହେଉଛି - ଜଙ୍ଗଲ ଏବଂ ଜୈବ ବିବିଧତା | 'ଜଙ୍ଗଲକୁ ଭଲ ପାଇବା ଶିଖ' କୁ ଚଳିତ ବର୍ଷ ପ୍ରୋତ୍ସାହିତ କରାଯାଉଛି ।
ଅନ୍ତର୍ଜାତୀୟ ଜଙ୍ଗଲ ଦିବସରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଟ୍ବିଟ କରି କହିଛନ୍ତି ଯେ, ଜଙ୍ଗଲ ହେଉଛି ଆମର ଫୁସଫୁସ । ଜଙ୍ଗଲ ବାୟୁକୁ ଶୁଦ୍ଧ କରିବା ସହ ଲୋକଙ୍କୁ ସତେଜ ଶକ୍ତି ପ୍ରଦାନ କରିଥାଏ । ମୃତ୍ତିକାକୁ ନଷ୍ଟ କରିବା ଅର୍ଥାତ ନିଜକୁ ନଷ୍ଟ କରିବା ।
ଜଙ୍ଗଲର ଉପକାରିତା:
- କାଠ, ଖାଦ୍ୟ, ଇନ୍ଧନ ଏବଂ ଜୈବ ଉତ୍ପାଦ ପରି ଦ୍ରବ୍ୟ |
- ଅଙ୍ଗାରକାମ୍ଳ ସଂରକ୍ଷଣ, ଜଳ, ଏବଂ ବାୟୁ ଶୁଦ୍ଧତା ଏବଂ ବନ୍ୟଜନ୍ତୁ ପରିବେଶର ରକ୍ଷଣାବେକ୍ଷଣ ପରି ପରିବେଶଗତ କାର୍ଯ୍ୟ |
- ମନୋରଞ୍ଜନ, ପାରମ୍ପାରିକ ଉତ୍ସ ବ୍ୟବହାର ଏବଂ ରହସ୍ୟ ଭଳି ସାମାଜିକ ଏବଂ ସାଂସ୍କୃତିକ ଲାଭ ।