କୋଲକାତା: ଲ୍ୟାଣ୍ଡଫଲ କରିଛି ବାତ୍ୟା ବୁଲବୁଲ । ପଶ୍ଚିମବଙ୍ଗର ସାଗରଦ୍ୱୀପ ନିକଟରେ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୀର୍ଘ 3 ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ।
ଏହାର ବାହାର ଭାଗ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ଓ ଏହାର କେନ୍ଦ୍ରସ୍ଥଳ ବା ଆଖି ସ୍ଥଳଭାଗ ଅତିକ୍ରମ କରିବାକୁ ଆଉ ପ୍ରାୟ ୧ ଘଣ୍ଟା ଲାଗିପାରେ ଓ ଏହା ସଂପୂର୍ଣ୍ଣଭାବେ ସ୍ଥଳଭାଗ ଅତିକ୍ରମ କରିବାକୁ ପ୍ରାୟ ୩ ଘଣ୍ଟା ସମୟ ନେବ ବୋଲି ଜଣା ପଡିଛି ।
ତେବେ ଏହାର ପ୍ରଭାବରେ ଘଣ୍ଟା ପ୍ରତି 120 କିମି ବେଗରେ ପବନ ବହୁଛି । ଏହା ସହିତ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି ।
ଏହାକୁ ଦୃଷ୍ଟିରେ ରଖି କୋଲକତା ବିମାନ ବନ୍ଦରକୁ ଶନିବାର ସଂଧ୍ୟା ପରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ପରିସ୍ଥିତିର ସମୀକ୍ଷା କରୁଛନ୍ତି ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ରାତି ତମାମ ପରିସ୍ଥିତି ଉପରେ ନଜର ରଖିବେ ବୋଲି ଜଣାପଡିଛି । ତେବେ ନବାନ୍ନାର ନିୟନ୍ତ୍ରଣ କକ୍ଷରୁ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ନଜର ରଖିଛନ୍ତି ସେ ।
ଏହା ସହିତ ପ୍ରଶାସନକୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମୁଖ୍ୟ ସଚିବ ରାଜୀବ ସିହ୍ନା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ପରିସ୍ଥିତି ଉପରେ ନଜର ରଖିବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।