ଇନ୍ଦୋର: ଦେଶରେ ଆଜି ବି ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ବାସ । ତେବେ ଭଲ ବର୍ଷା ପାଇଁ ଅନ୍ଧବିଶ୍ବାସର ପରମ୍ପରାକୁ ଆପଣେଇବା କିଛି ନୂଆ ନୁହେଁ । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଥିବା ରାଉ ଅଞ୍ଚଳରେ ଭଲ ବର୍ଷାର କାମନା କରି ଆଜି ବି ଲୋକମାନେ ଅନ୍ଧବିଶ୍ବାସ ନୀତି ଆପଣାନ୍ତି । ଯାହାକୁ ନେଇ ଗତକିଛିଦିନ ପୂର୍ବରୁ ଭାଜପା ନେତା ଶିବ ଡିଙ୍ଗୁ ଙ୍କ ସମେତ ବହୁ ସଂଖ୍ୟକ ଲୋକ ଗଧ ଉପରେ ବସି ଶୋଭାଯାତ୍ରା କରିଥିଲେ ।
ବର ବେଶରେ ସଜବାଜ ହୋଇ ବିଜେପି ନେତା ଜଣକ ଗଧ ଉପରେ ବସି ନଗର ପରିକ୍ରମା କରୁଥିବା ନଜର ଆସିଥିଲେ । ବାଜା ଢୋଲ ବଜାଇ ବାହାରିଥିବା ଏହି ଶୋଭାଯାତ୍ରାକୁ ଦେଖି ସହରବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଶୋଭାଯାତ୍ରା ମୁଖ୍ୟ ରାସ୍ତା ଦେଇ ରାଓର ଶ୍ମଶାନ ଘାଟରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପରେ ହାତରେ ସୋରିଷ ଓ ଲୁଣକୁ ନେଇ ଓଲଟା ପରିକ୍ରମା କରି ଭଲ ବର୍ଷାର କାମନା କରିଥିଲେ । ତେବେ ତାଙ୍କର ଏହି ଶୋଭାଯାତ୍ରାର ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।