ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆଗ୍ରହ ପ୍ରକାଶ କଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତାକୁ କମ କରିବା ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ସପ୍ତାହ ହେବ ପୂର୍ବ ଅପେକ୍ଷା ଉତ୍ତେଜନା ହ୍ରାସ ପାଇଛି । ଯଦି ଦକ୍ଷିଣ ଏସିଆର ୨ ପଡୋଶୀ ଦେଶ ଚାହିଁବେ, ତା’ ହେଲେ ମୁଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛି ବୋଲି ଟ୍ରମ୍ପ କହିଛନ୍ତି ।
ସୋମବାର ଏକ ଗଣମାଧ୍ୟମ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, କାଶ୍ମୀରକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ହେବ ଉତ୍ତେଜନା ଜାରି ରହିଛି । କିନ୍ତୁ ମୋ ମତରେ ୨ ସପ୍ତାହ ମଧ୍ୟରେ ଯେତିକି ଉତ୍ତେଜନା ଥିଲା, ତାହା ଏବେ ହ୍ରାସ ପାଇଛି । ଏହା ସହିତ ପୁଣିଥରେ ମଧ୍ୟସ୍ଥତା କରିବା କଥା ଦୋହରାଇ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ସହ ମୋର ସମ୍ପର୍କ ଭଲ ରହିଛି । ଯଦି ସେମାନେ ଚାହିଁବେ, ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି । ତାଙ୍କ ପାଖରେ ଏବେ ବି ଏହି ପ୍ରସ୍ତାବ ରହିଥିବା ସେମାନେ ଜାଣିଛନ୍ତି ବୋଲି କହିଛନ୍ତି ଟ୍ରମ୍ପ ।