ଓଡିଶା

odisha

ETV Bharat / bharat

ବିଶ୍ବ ମହାମାରୀ ସଂପର୍କିତ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଭାରତ-ନେଦରଲାଣ୍ଡସ ସହଯୋଗିତା: ଭାରତୀୟ ରାଷ୍ଟ୍ରଦୂତ

କରୋନା ଭାଇରସ ସଂପର୍କିତ ପୂର୍ବ ସଙ୍କେତ ପ୍ରଣାଳୀ ଏବଂ ଏହାର ଅନ୍ୟାନ୍ୟ ଦିଗ ଉପରେ ଗବେଷଣା କ୍ଷେତ୍ରରେ ଭାରତ ଓ ନେଦରଲାଣ୍ଡସ ଘନିଷ୍ଠ ସହଯୋଗ ସମ୍ଭବ ହୋଇପାରିବ ବୋଲି ଭାରତୀୟ ରାଷ୍ଟ୍ରଦୂତ ବେଣୁ ରାଜାମୋନି କହିଛନ୍ତି ।

By

Published : Apr 24, 2020, 1:52 PM IST

indo-dutch-collaborations-on-pandemic-r-and-d-indian-ambassador
ବିଶ୍ବ ମହାମାରୀ ସଂପର୍କିତ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଭାରତ-ନେଦରଲାଣ୍ଡସ ସହଯୋଗିତା : ଭାରତୀୟ ରାଷ୍ଟ୍ରଦୂତ

କରୋନା ଭାଇରସ ସଂପର୍କିତ ପୂର୍ବ ସଙ୍କେତ ପ୍ରଣାଳୀ ଏବଂ ଏହାର ଅନ୍ୟାନ୍ୟ ଦିଗ ଉପରେ ଗବେଷଣା କ୍ଷେତ୍ରରେ ଭାରତ ଓ ନେଦରଲାଣ୍ଡସ ଘନିଷ୍ଠ ସହଯୋଗ ସମ୍ଭବ ହୋଇପାରିବ ବୋଲି ଭାରତୀୟ ରାଷ୍ଟ୍ରଦୂତ ବେଣୁ ରାଜାମୋନି କହିଛନ୍ତି । ହେଗ୍‌ରୁ ଟେଲିଫୋନ୍‌ ଯୋଗେ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ କଥାବାର୍ତ୍ତା କରି ରାଷ୍ଟ୍ରଦୂତ ରାଜାମୋନି କହିଛନ୍ତି ଯେ, ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଭଳି କେତେକ କମ୍ପାନୀର ପ୍ରମୁଖ ଗବେଷଣା କେନ୍ଦ୍ର ନେଦରଲାଣ୍ଡସରେ ରହିଛି ଏବଂ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଏକତ୍ର କାମ କରିବା ଲାଗି ଭାରତ ଓ ନେଦରଲାଣ୍ଡସ ସରକାରଙ୍କ ପାଖରେ ସୁଯୋଗ ରହିଛି । ରାଷ୍ଟ୍ରଦୂତ କହିଛନ୍ତି ଯେ, ନେଦରଲାଣ୍ଡସ ଏକ ‘ସୀମିତ ଲକଡାଉନ’ ପଦ୍ଧତି ଲାଗୁ କରିଛି ଏବଂ ଏହା କିପରି କାମ କରୁଛି ଜାଣିବାକୁ ଆଗ୍ରହ ଜାତ ହୋଇଛି । ଭାରତରେ ପର୍ଯ୍ୟାୟକ୍ରମେ ଲକଡାଉନ ପ୍ରତ୍ୟାହାର ଲାଗି ପ୍ରସ୍ତୁତ ଯୋଜନାରେ ଏହି ପଦ୍ଧତି ଲାଗୁ କରାଯିବାର ସମ୍ଭାବନାକୁ ଆଖିରେ ରଖି ତଥ୍ୟ ବିନିମୟ କରାଯାଉଛି ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫରେନ୍‌ସ ଜରିଆରେ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଏବଂ ଅଟକି ଯାଇଥିବା ନାଗରିକମାନଙ୍କୁ ବିଭିନ୍ନ ଦୂତାବାସ ପକ୍ଷରୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ଏବଂ ବିଶ୍ବ ମହାମାରୀ ମୁକାବିଲା କ୍ଷେତ୍ରରେ ବିଭିନ୍ନ ଦେଶ ଅବଲମ୍ବନ କରୁଥିବା ସର୍ବୋତ୍ତମ ନୀତି ଓ କୌଶଳ ସଂପର୍କରେ ଜ୍ଞାନ ଆହରଣ କରାଯାଉଛି । ଏହା ସହିତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ରାପିଡ୍‌ ଟେଷ୍ଟିଂ କିଟ୍‌ ସଂପର୍କରେ ସନ୍ଧାନ ନେବା ସମେତ ଭାରତକୁ ଡାକ୍ତରୀ ସହାୟତା ଯୋଗାଇ ଦେବା ଲାଗି ବିଭିନ୍ନ ବିଦେଶୀ ସରକାରଙ୍କ ସହିତ ସମନ୍ବୟ ସ୍ଥାପନ ଲାଗି ମଧ୍ୟ ସେମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

କିଛି ସପ୍ତାହ ତଳେ ଯାତାୟାତ ସମୟରେ ଅଟକି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଇଛି ଏବଂ ଖାଦ୍ୟ ଓ ବାସଗୃହ ପାଇଁ ଅନ୍ୟମାନଙ୍କ ପାଖରୁ ଆସିଥିବା ଅନୁରୋଧକୁ ଆଖିରେ ରଖି ପଦକ୍ଷେପ ନିଆଯାଉଛିବୋଲି ରାଷ୍ଟ୍ରଦୂତ ରାଜାମୋନି ଆଶ୍ବାସନା ଦେଇ କହିଛନ୍ତି । ରାଷ୍ଟ୍ରଦୂତ ରାଜାମୋନି ଏହା ମଧ୍ୟ କହିଛନ୍ତି ଯେ, ଭାରତରେ ଯୋଗାଣ ଶୃଙ୍ଖଳ ପ୍ରସଙ୍ଗରେ ନେଦରଲାଣ୍ଡସର କେତେକ ବ୍ୟାବସାୟିକ କମ୍ପାନୀ କିଛିଟା ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଏ ସଂପର୍କରେ ଆଲୋଚନା କରାଯାଉଛି ।

ଆଗାମୀ ଦିନରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତୀୟମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି । ଚୀନକୁ ସୁହାଇଲା ଭଳି ପକ୍ଷପାତ ନୀତି ପ୍ରଦର୍ଶନ କରୁଥିବା ଅଭିଯୋଗ କରି ରାଷ୍ଟ୍ରପତି ଟ୍ରମ୍ପ୍‌ ବିଶ୍ବ ସ୍ବାସ୍ଥ୍ୟସଂଗଠନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେବା ପ୍ରସଙ୍ଗରେ ୟୁରୋପୀୟ ରାଷ୍ଟ୍ର ସମୂହର ପ୍ରତିକ୍ରିୟା ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ ରାଜାମୋନି କହିଛନ୍ତି ଯେ, ବର୍ତ୍ତମାନ ସର୍ବବ୍ୟାପୀ ମହାମାରୀର ‘ପୋଷ୍ଟମର୍ଟମ’ କରିବା ସମୟ ନୁହେଁ ବୋଲି ୟୁରୋପୀୟ ଦେଶ ସମୂହ ମତ ଦିଅନ୍ତି । ସେ ଆହୁରି କହିଛନ୍ତି ଯେ, ଭାରତ ଅନୁରୂପ, ଚୀନ୍‌ ଦ୍ବାରା ଆକ୍ରୋଶମୂଳକ ଅକ୍ତିଆର ଆଶଙ୍କା ସଂପର୍କରେ ୟୁରୋପର ବିଭିନ୍ନ କମ୍ପାନୀ ମଧ୍ୟ ସତର୍କତାମୂଳକ ମନୋଭାବ ପ୍ରଦର୍ଶନ କରିଛନ୍ତି ଏବଂ ସେହି ସବୁ କ୍ଷେତ୍ରର ସରକାର ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ସ୍ମିତା ଶର୍ମା, ନୂଆଦିଲ୍ଲୀ

ABOUT THE AUTHOR

...view details