ହାଇଦ୍ରାବାଦ: ଗତ ସେପ୍ଟେମ୍ବର 7 ତାରିଖ ମଧ୍ୟରାତ୍ରିରେ ସାରା ବିଶ୍ବର ନଜର ଟେଲିଭିଜନ ପରଦା ଉପରେ ଥାଏ । ମନରେ ଅନେକ ଆଶା ଓ ଆକାଂକ୍ଷା ନେଇ ଅପେକ୍ଷା କରିଥାନ୍ତି 133 କୋଟି ଭାରତୀୟ ହେଲେ ହଠାତ ଏକ ଦୁଃଖ ଖବର ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଦେଲା, ଖବର ଥିଲା ଚନ୍ଦ୍ରୟାନ-2 ସମ୍ବନ୍ଧରେ । ଲୁନାର ଅରବିଟର ଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠ ଆଡକୁ ନିର୍ଦ୍ଧାରିତ ବେଗରେ ଗତିକରୁଥିବା ବିକ୍ରମ ଲାଣ୍ଡର ହଠାତ ଚନ୍ଦ୍ରପୃଷ୍ଠରୁ ମାତ୍ର 2.1 କିମି ଦୂରତାରେ ଥିବା ସମୟରେ ଇସ୍ରୋ ସହ ଏହାର ସମ୍ପର୍କ ବିଛିନ୍ନ ହୋଇଥିଲା । ଆନ୍ତର୍ଜାତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ହଠାତ ଭିନ୍ନ ଭିନ୍ନ ମତ ପ୍ରସାରିତ ହେଲା, କିଏ କହିଲା ଭାରତର ଚନ୍ଦ୍ର ମିଶନ 95% ସଫଳ ହୋଇଛି ତ କିଏ କହିଲା ଏହା ସମ୍ପୂର୍ଣ୍ଣ ବିଫଳ ହୋଇଛି ।
ତେବେ ଏହିସବୁ ଆଲୋଚନା ଶୁଣି ଜଣେ ସାଧାରଣ ଲୋକ ମନରେ କିଛି ପ୍ରଶ୍ନ ଉଙ୍କି ମାରିବା ସ୍ବଭାବିକ । ସେ ପ୍ରଶ୍ନ ଗୁଡିକ ହେଲା:
- ଏହି ମିଶନର ନାମ ଚନ୍ଦ୍ରୟାନ-2 କଣ ପାଇଁ ରଖା ଯାଇଥିଲା ?
- ଚନ୍ଦ୍ରୟାନ-1 ମିଶନ କେଵେ ହୋଇଥିଲା ଓ ଏହା କଣ ଅସଫଳ ଥିଲା ?
- ପ୍ରକୃତରେ କଣ ଚନ୍ଦ୍ରୟାନ-2 ଅସଫଳ ହୋଇଗଲା ?
- ବିକ୍ରମ ଲାଣ୍ଡର ସହ ଇସ୍ରୋର ସମ୍ପର୍କ କାହିଁକି ବିଛିର୍ଣ୍ଣ ହେଲା ?
- ଚନ୍ଦ୍ରୟାନ-2 ର ଲୁନାର ଅରବିଟର ଏବେ କଣ କରୁଛି ?
- ପ୍ରଜ୍ଞାନ ରୋଭରର କାମ କଣ ?
- ବିକ୍ରମ ଲାଣ୍ଡର ସହ ଆଉ କଣ କେବେ ସମ୍ପର୍କ ସ୍ଥାପନ କରାଯାଇପାରିବ ନାହିଁ ?
- ଶେଷରେ ସବୁଠାରୁ ବଡ ପ୍ରଶ୍ନ ଭାରତ ଭଳି ଏକ ବିକାଶଶୀଳ ଦେଶର ଶହଶହ କୋଟି ଟଙ୍କା ବ୍ୟୟ କରି ଚନ୍ଦ୍ରଯାନ, ମଙ୍ଗଳଯାନ ଓ ଗଗନଯାନ ପ୍ରସ୍ତୁତକରିବାର କଣ ଆବଶ୍ୟକତା ରହିଛି ?
ତେବେ ଆସନ୍ତୁ ଇସ୍ରୋ ଦ୍ବାରା କରାଯାଇଥିବା ଚନ୍ଦ୍ରମିଶନ ଗୁଡିକର ସମ୍ପୂର୍ଣ ତଥ୍ୟାତ୍ମକ ବିଶ୍ଳେଷଣ କରିବା ।
ଚନ୍ଦ୍ରୟାନ-1
2003 ମସିହା ଅଗଷ୍ଟ 15 ତାରିଖ ସ୍ବାଧୀନତା ଦିବସ ଭାଷଣରେ ପ୍ରଥମେ ଚନ୍ଦ୍ର ମିଶନ ସମ୍ଭନ୍ଧରେ ଘୋଷଣା କରିଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏହି ଘୋଷଣା ପରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରି ଏ ସମ୍ବନ୍ଧରେ ଗବେଷଣା ଆରମ୍ଭ କରିଥିଲା । ଦୀର୍ଘ ପାଞ୍ଚ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଅର୍ଥାତ 2008 ମସିହା ଅକ୍ଟୋବର 22 ତାରିଖରେ ହୋଇଥିଲା ଏକ ନୂଆ ଯୁଗର ଆରମ୍ଭ । ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ଦ୍ବାରା ପ୍ରସ୍ତୁତ ଚନ୍ଦ୍ରାୟାନ-1, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ପିଏସଲଭି-ଏକ୍ସଏଲ (PSLV-XL) ରକେଟ ସାହାଯ୍ୟରେ ଚନ୍ଦ୍ରାଭିମୁଖେ ଉତ୍କ୍ଷେପଣ କରାଯାଇଥିଲା ।
ଏହି ଚନ୍ଦ୍ରୟାନ-1 ରେ ଥିଲା ଏକ ଲୁନାର ଅରବିଟର ଓ ଇମ୍ପାକ୍ଟର ଯାହାର ଜୀବନକାଳ ଥିଲା 2 ବର୍ଷ କିନ୍ତୁ କେବଳ 10 ମାସ ପରେ ଅର୍ଥାତ ଅଗଷ୍ଟ 2009ରେ ଇସ୍ରୋ ସହ ଚନ୍ଦ୍ରୟାନ-1ର ସମ୍ପର୍କ ବିଛିର୍ନ୍ନ ହୋଇଥିଲା । କିନ୍ତୁ ସମ୍ପର୍କ ବିଛିର୍ନ୍ନ ହେବା ପୂର୍ବରୁ ଚନ୍ଦ୍ରୟାନ-1 ଚନ୍ଦ୍ର ସମ୍ବନ୍ଧରେ ଅନେକ ଜରୁରୀ ତଥ୍ୟ ଦେଇଥିଲା ଯାହା ମଧ୍ୟରୁ ଚନ୍ଦ୍ରରେ ଜଳର ସନ୍ଧାନ ଅନ୍ୟତମ । ଚନ୍ଦ୍ରାୟାନ-1 ର ତଥ୍ୟ ଫଳରେ ହିଁ 18 ନଭେମ୍ବର 2008ରେ ସାରା ବିଶ୍ଵକୁ ପ୍ରଥମେ ଚନ୍ଦ୍ରପୃଷ୍ଠରେ ଜଳର (ବରଫ ଅବସ୍ଥାରେ) ଉପସ୍ଥିତି ସମ୍ବନ୍ଧରେ ସୂଚନା ମିଳିଥିଲା । ତେବେ ଏହି ଚନ୍ଦ୍ରୟାନ-1 386 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । 2 ଜୁଲାଇ, 2016 ମସିହାରେ ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ଚନ୍ଦ୍ରୟାନ-1 ର ସନ୍ଧାନ ପାଇଥିଲେ ମଧ୍ୟ ଇସ୍ରୋ ସହ ଚନ୍ଦ୍ରୟାନ-1 ର ପୁନଃ ସମ୍ପର୍କ ସ୍ଥାପନ କରାଯାଇପାରିନଥିଲା ।
କ୍ରମଶଃ....