ନୂଆଦିଲ୍ଲୀ: ପୁଣି ଅନ୍ତରାଷ୍ଟ୍ରୀୟ ସ୍ତରରେ କୂଟନୈତିକ ବିଜୟ ହାସଲ କରିଛି ଭାରତ । ଶତ୍ରୁରାଷ୍ଟ୍ର ପାକିସ୍ତାନ ଠାରୁ ମୁହଁ ଫେରାଇଛି ସଂଯୁକ୍ତ ଦେଶ । କାଶ୍ମୀର ପ୍ରସଙ୍ଗରେ ଚିତ୍କାର କରୁଥିବା ପାକିସ୍ତାନ ଶେଷରେ ପ୍ରସ୍ତାବ ମଧ୍ୟ ପାସ୍ କରିପାରିନାହିଁ । ସଂଯୁକ୍ତ ରାଷ୍ଟ୍ର ମାନବଧିକାର ପରିଷଦ (ୟୁଏନଏଚଆରସି) ରେ କାଶ୍ମୀର ମାମଲାରେ ପ୍ରସ୍ତାବ ଆଗତ କରିବା ସେପ୍ଟେମ୍ବର 20 ରହିଥିଲା ପାକିସ୍ତାନ ପାଇଁ ଅନ୍ତିମ ତାରିଖ, କିନ୍ତୁ ଶେଷ ଦିନରେ ମଧ୍ୟ ଆବଶ୍ୟକୀୟ ମୁତାବକ ସମର୍ଥନ ଦେଲେ ନାହିଁ କୌଣସି ଦେଶ । ଫଳରେ କାଶ୍ମୀର ପ୍ରସଙ୍ଗରେ ପ୍ରସ୍ତାବ ପାସ କରିବାରେ ଫେଲ ମାରିଛି ପଡ଼ୋଶୀ ପାକ୍ ।
ଇଜ୍ଜତ ହାରିଲେ ଇମ୍ରାନ, କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଦେଲାନି ବିଶ୍ବ - ୟୁଏନଏଚଆରସି
ବିଶ୍ବ ସମୁଦାୟ ସାମ୍ନାରେ ପୁନର୍ବାର ଲଜ୍ଜିତ ହୋଇଛନ୍ତି ଇମ୍ରାନ ଖାନ୍। କାଶ୍ମୀର ମାମଲାରେ ‘ୟୁଏନଏଚଆରସି’ରେ ପ୍ରସ୍ତାବ ଆଗତ କରିବାରେ ଫେଲ ମାରିଛି ପାକ୍ । ଅନ୍ତିମ ଦିନରେ ମଧ୍ୟ ସମର୍ଥନ ଦେଲେନି ବିଶ୍ବର କୈଣସି ଦେଶ । ଗୋଟିଏ ପଟେ ଭାରତର କୂଟନୈତିକ ବିଜୟ ହୋଇଥିବାବେଳ ଅନ୍ୟପଟେ ଦୁନିଆ ସାମ୍ନାରେ ଲଜ୍ଜିତ ହୋଇଛି ପାକିସ୍ତାନ।
ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରେ ପ୍ରସ୍ତାବ ଆଗତ କରିବାକୁ ହେଲେ ଅତିକମରେ 16 ଦେଶର ସମର୍ଥନ ଆବଶ୍ୟକ । କିନ୍ତୁ କୌଣସି ଦେଶର ସମର୍ଥନ ନପାଇ ହତାଶ ହୋଇଛି ଆତଙ୍କୀ ରାଷ୍ଟ୍ର । ଏପଟେ ବିଶ୍ବର ସମସ୍ତ ଶକ୍ତିଶାଳୀ ଦେଶ ଭାରତକୁ ନିଜର ସମର୍ଥନ ଦେଇଛନ୍ତି । ଧାରା 370 ଉଚ୍ଛେଦ ହେବା ଭାରତର ଆଭ୍ୟନ୍ତରୀଣ ମାମଲା କହି ପୂର୍ବରୁ ଦୂରେଇ ଯାଇଛି ଆମେରିକା । ଅନ୍ୟପଟେ ଭାରତକୁ ଋଷିଆର ଦୃଢ ସମର୍ଥନ ରହିଥିବାବେଳେ ଚୁପ୍ ରହିଛି ଚୀନ ।
ଜେନିଭାରେ 42 ତମ ମାନବାଧିକାର ଅଧିବେଶନ ଚାଲୁରହିଥିବା ବେଳେ ୟୁଏନଏଚଆରସିରେ ମୋଟ ୪୭ ସଦସ୍ୟ ରହିଛନ୍ତି। ପୂର୍ବରୁ ନିଜ ସହ 60 ଦେଶଙ୍କ ସମର୍ଥନ କଥା କହୁଥିବା ପାକିସ୍ତାନ 16 ଦେଶର ସାହାର୍ଯ୍ୟ ପାଇବାରେ ଅସଫଳ ହୋଇଛି । ଏମିତିକି ସଂଯୁକ୍ତ ରାଷ୍ଟ୍ର ମାନବଧିକାର ପରିଷଦରେ ଥିବା 15ଟି ମୁସଲିମ ରାଷ୍ଟ୍ରର ସମର୍ଥନ ମଧ୍ୟ ପାଇନାହିଁ ପାକିସ୍ତାନ । ଫଳରେ ବିଶ୍ବ ସମୁଦାୟ ଆଗରେ ଲଜ୍ଜିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।