ନୂଆଦିଲ୍ଲୀ: ସର୍ଭେ କହୁଛି, ଗାଁ ନୁହେଁ ସହରରେ କୋରୋନା ନେଉଛି ଭୟଙ୍କର ରୂପ। ସଂକ୍ରମଣର ମାତ୍ରା ସହର ଗୁଡିକରେ ଯଥେଷ୍ଟ ଅଧିକ ରହୁଛି। ଭାରତର 80 ପ୍ରତିଶତ କୋରୋନା ଭାଇରସ୍ କୋଭିଡ୍-19 ମାମଲା ମ୍ୟୁନିସିପାଲିଟିରେ ଦେଖିବାକୁ ମିଳିଛି। 30 ଟି ମ୍ୟୁନିସିପାଲିଟି ଅଞ୍ଚଳରୁ ଆସି ଥିବା ରିପୋର୍ଟ ସରକାରଙ୍କୁ ତାଜୁବ୍ କଲାଭଳି। ଏହାକୁ ନେଇ ସମୁଦାୟ 12 ଟି ରାଜ୍ୟ, ୟୁଟି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏହି ଅଞ୍ଚଳର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏକ ବୈଠକ କରାଯାଇଛି। ପରିସ୍ଥିତିକୁ ମୁକାଵିଲା କରିବାକୁ ନେଇ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଏହି ଅଞ୍ଚଳଗୁଡିକ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଏବଂ ଓଡିଶାର ରହିଛି ବୋଲି ଜଣାପଡିଛି।
ସୂଚନା ଅନୁସାରେ, ସଂକ୍ରମଣରେ ସୁଧାର ଆଣିବାକୁ ରୋଗୀଙ୍କର ଠିକ ସମୟରେ ଅନୁସନ୍ଧାନ ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ରହିଛି। ଯାହା ବର୍ତ୍ତମାନ 35.09 ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ 30,150 ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 2233 ରୋଗୀ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି। ନିଶ୍ଚିତ ହୋଇଥିବା ମୋଟ ମାମଲା ବର୍ତ୍ତମାନ 85,940। ଗତକାଲି ଠାରୁ, ଭାରତରେ କୋଭିଡ୍-19 ନିଶ୍ଚିତ ହୋଇଥିବା ମାମଲାରେ 3970 ର ବୃଦ୍ଧି ଲକ୍ଷ୍ୟ କରାଯାଇଛି।
ସମ୍ଭାବ୍ୟ ମୁକାଵିଲା ପାଇଁ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ରାଜେଶ ଭୂଷଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ସଚିବ, ମ୍ୟୁନିସିପାଲିଟି କମିଶନର, ଡିଏମ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି।