ହାଇଦ୍ରାବାଦ: ବିଶ୍ବରେ କୋରୋନା ଭାଇରସ ଦୀର୍ଘ 8 ମାସ ହେବ କାୟା ବିସ୍ତାର କରିବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତଙ୍କୁ କୋରୋନା ଭାଇରସ ଆକ୍ରାନ୍ତ କରିସାରିଲାଣି । ଡିସେମ୍ବର 2019ରେ ଚୀନର ଉହାନ ସହରରେ ପ୍ରଥମେ ହୋଇଥିବା ସଂକ୍ରମଣ ଧିରେ ଧିରେ ସମଗ୍ର ବିଶ୍ବକୁ କବଳିତ କରିନେଇଛି । ବିଶ୍ବର 213ଟି ଦେଶକୁ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ବିଶ୍ବର 20,024,265 ଲୋକଙ୍କୁ ଏହି ମହାମାରୀ କାବୁ କରିସାରିଲାଣି । ତେବେ ଭାରତରେ ମଧ୍ୟ ବର୍ତ୍ତମାନ କୋରୋନାର ସ୍ଥିତି ସେତେ ଭଲ ନାହିଁ । ଯଦିଓ ଭାରତରେ ଆରୋଗ୍ୟତା ହାର ଅଧିକା ରହିଛି ତଥାପି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାସହ ଦେଶରେ କୋରୋନା ପରୀକ୍ଷଣ ମଧ୍ୟ ବୃଦ୍ଧି ପାଇଛି । ଏପରି ସ୍ବାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିରେ ଦେଶର ଅନେକ ନେତା କୋରୋନା ବିରୁଦ୍ଧ ଲଢେଇରେ ନିଜେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବତନ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ କୋରୋନାର କବଳରେ କବଳିତ ।
ସୋମବାର ପୂର୍ବତନ ରାଷ୍ଟ୍ରପତି ପ୍ରବଣ ମୂଖାର୍ଜୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ନିଜେ ଟ୍ବିଟ କରି ଜଣାଇଛନ୍ତି ପୂର୍ବତନ ରାଷ୍ଟ୍ରପତି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି । ଅଗଷ୍ଟ 2ରେ କୋରୋନା ପଜିଟିଭ୍ ହୋଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ପ୍ରଥମ କେନ୍ଦ୍ର କ୍ୟାବିନେଟ ଭାବେ ଶାହା କୋରୋନା ଆକ୍ରାନ୍ତ ହୋଇଥିଲେ । ତେବେ ବର୍ତ୍ତମାନ ସେ ନେଗେଟିଭ୍ ଥିବା ମନୋଜ ତିୱାରୀ ଟ୍ବିଟ କରିଥିବା ବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପରୀକ୍ଷା ହୋଇନଥିବା କୁହାଯାଇଛି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିଲା । ଅମିତ ଶାହାଙ୍କ କ୍ୟାବିନେଟ ବୈଠକ ପରେ ଧର୍ମେନ୍ଦ୍ର ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଶାହାଙ୍କ ପରେ ଧର୍ମେନ୍ଦ୍ର ଦ୍ବିତୀୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଆକ୍ରାନ୍ତ ହୋଇଥିଲେ । ଏହାସହ ଓଡିଶାର ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ ମଧ୍ୟ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିଛି ଲକ୍ଷଣ ନଥାଇ ମଧ୍ୟ ସାଂସଦ କୋଭିଡ ପଜିଟିଭ୍ ହୋଇଥିବା ଟ୍ବିଟ କରି ସୂଚନା ଦେଇଥିଲେ । ଏହାସହ ଓଡିଶାର 2 ବିଧାୟକ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିଲେ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ମଧ୍ୟ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । 77 ବର୍ଷିୟ ୟେଦିରୁପ୍ପା ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବାଙ୍ଗାଲୋରରେ ୟେଦିରୁପ୍ପା କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କୁ ସାକ୍ଷାତ କରିଥିଲେ । ଏହି ବୈଠକରେ ରାଜ୍ୟ ଗୃହମନ୍ତ୍ରୀ ବାସଭରାଜ ବମ୍ମାଇ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ସେ ହସ୍ପିଟାଲରୁ ହିଁ ଭର୍ଚୁଆଲ ବୈଠକରେ ଯୋଗ ଦେଉଛନ୍ତି । ଅନ୍ୟପକ୍ଷେ କର୍ଣ୍ଣାଟକ ପ୍ରଶାସନିକ ସେବା ଅଧିକାରୀ ଏଚ ଗଙ୍ଗାଧରାହୀ କୋଭିଡ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ତ୍ୟାଗ କରିଥିଲେ । ୟେଦିରୁପ୍ପା ଅଧିକାରୀଙ୍କ ପରିବାରର ଜଣକୁ ଚାକିରୀ ଦେବା ସହ ପରିବାରରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇଛନ୍ତି ।